ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅସଂସଦୀୟ ମନ୍ତବ୍ୟ ଏବଂ ଗମ୍ଭୀର ଅଭିଯୋଗ ଆଣିବା ମାମଲାରେ ଲୋକସଭା ସଚିବାଳୟ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବିଶେଷାଧିକାର ଭଙ୍ଗ ଅଭିଯୋଗରେ ଏକ ନୋଟିସ୍ ଜାରି କରାଯାଇଛି। ବିଜେପି ସାଂସଦମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି ଏହି ନୋଟିସ୍ ଦିଆଯାଇଥିବା ସୂତ୍ରରୁ ପ୍ରକାଶ।
ଗତକାଲି ନୂଆଦିଲ୍ଲୀସ୍ଥିତ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଏହି ନୋଟିସ୍ ପଠାଯାଇଛି ଏବଂ ଆସନ୍ତା ଅଗଷ୍ଟ ୨୮ ତାରିଖ ମଧ୍ୟରେ ଏହାର ଲିଖିତ ଜବାବ ଦାଖଲ କରିବାକୁ ତାଙ୍କୁ କୁହାଯାଇଛି। ସଂସଦରେ ‘ସର୍ବସାଧାରଣ ପରୀକ୍ଷା (ଅନିୟମିତତା ନିବାରଣ) ସଂଶୋଧନ ବିଲ୍-୨୦୨୬’ ଉପରେ ଚର୍ଚ୍ଚା ଚାଲିଥିବା ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କିଛି ଆପତ୍ତିଜନକ ଏବଂ ଅସଂସଦୀୟ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ବିଜେପି ସାଂସଦ ଅନୁରାଗ ଠାକୁର ଏବଂ ଡାକ୍ତର ସଞ୍ଜୟ ଜୈସୱାଲ ପ୍ରମୁଖ ଲୋକସଭା ସ୍ପିକର ଓମ୍ ବିର୍ଲାଙ୍କ ନିକଟରେ ଏନେଇ ବିଧିବଦ୍ଧ ଭାବେ ଅଭିଯୋଗପତ୍ର ଦାଖଲ କରିଥିଲେ।
ଅଭିଯୋଗରେ ଦର୍ଶାଯାଇଥିଲା ଯେ, ସଂସଦୀୟ ନିୟମର ଧାରା ୩୫୩ ଅନୁଯାୟୀ କୌଣସି ସଦସ୍ୟ ଜଣେ ମନ୍ତ୍ରୀ କିମ୍ବା ସାଂସଦଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ପୂର୍ବରୁ ଆଗୁଆ ସୂଚନା ଦେବା ବାଧ୍ୟତାମୂଳକ । ମାତ୍ର ରାହୁଲ ଗାନ୍ଧୀ ବିନା କୌଣସି ପୂର୍ବ ସୂଚନାରେ ଏଭଳି ଅଭିଯୋଗ ଆଣିବା ସହ ଅସଂସଦୀୟ ଭାଷା ପ୍ରୟୋଗ କରି ସଂସଦୀୟ ମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି।
ବର୍ତ୍ତମାନ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉତ୍ତରକୁ ଅପେକ୍ଷା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ତାଙ୍କର ସ୍ପଷ୍ଟୀକରଣ ରଖିବା ପରେ ସ୍ପିକର ଏହାର ମୂଲ୍ୟାଙ୍କନ କରିବେ। ଯଦି ତାଙ୍କର ଉତ୍ତର ସନ୍ତୋଷଜନକ ନହୁଏ, ତେବେ ଏହି ମାମଲାକୁ ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ଅଧୀନରେ ଥିବା ‘ବିଶେଷାଧିକାର କମିଟି’କୁ ଅଧିକ ତଦନ୍ତ ପାଇଁ ପଠାଯାଇପାରେ ।
