Independence Day: ଗାନ୍ଧୀମାର୍ଗରେ ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେଲେ ବିକଶିତ ଓଡ଼ିଶାର ବାର୍ତ୍ତା
ଭୁବନେଶ୍ୱର: ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଆୟୋଜିତ ହୋଇଛି। ଏହି ଗୌରବମୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।
ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମରେ ଦେଶ ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଓ ଜନଆନ୍ଦୋଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ଜନଆନ୍ଦୋଳନ ବିନା ଭାରତର ସ୍ୱାଧୀନତାର ପରିକଳ୍ପନା ଅସମ୍ପୂର୍ଣ୍ଣ। ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିବା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ସମେତ ଓଡ଼ିଶାର ବୀର ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଚକରା ବିଷୋଇ, ଧର୍ମପଦ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ମାଲତୀ ଚୌଧୁରୀ, ଭାଗୀରଥୀ ମହାପାତ୍ର ଓ ନୀଳକଣ୍ଠ ଦାସଙ୍କ ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
୮୦ ବର୍ଷର ସ୍ୱାଧୀନ ଭାରତ ଏବେ ବିକାଶର ପଥରେ ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି। ଗତ ଏକ ବର୍ଷ ଦେଶ ପାଇଁ ଘଟଣାବହୁଳ ଥିବା କହି ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଆହ୍ୱାନ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସଠିକ୍ ଦିଗରେ ଆଗେଇ ନେଇଛନ୍ତି। ଦେଶର ସୁରକ୍ଷା ମଜବୁତ ହୋଇଥିବା ଏବଂ ଯୁବଶକ୍ତି ଦେଶ ଗଠନରେ ସାମିଲ ହେଉଥିବା ସେ କହିଛନ୍ତି। ମାଓବାଦ ଦମନରେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଗତ ଦୁଇ ବର୍ଷରେ ରାଜ୍ୟ ବିକାଶର ନୂଆ ଦିଗରେ ଆଗେଇଛି ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଲୋକଙ୍କୁ ସଡ଼କ, ବିଜୁଳି ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇବାକୁ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଶିକ୍ଷା କ୍ଷେତ୍ରରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାକୁ ଏକ ଐତିହାସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ୨୨୦୦ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଏହାସହ ଏପର୍ଯ୍ୟନ୍ତ ୨୬ ହଜାର ନିଯୁକ୍ତି ଦିଆଯାଇଥିବା ବେଳେ ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇବେ ବୋଲି ସେ ଘୋଷଣା କରିଛନ୍ତି। ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ଖାଦ୍ୟ ଓ ପୁସ୍ତକ ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ନୂଆ ପଦକ୍ଷେପ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯାଜପୁର ଓ କନ୍ଧମାଳ ସମେତ ଆଉ କିଛି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରାଯିବ। ଏହାଦ୍ୱାରା ରାଜ୍ୟରେ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି। କୃଷକଙ୍କ ପାଇଁ ମଧ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ଆଦର୍ଶ କରି ରାଜ୍ୟକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ ସମସ୍ତେ ମିଳିତ ଭାବେ ଆଗେଇବାକୁ ସେ ଆହ୍ୱାନ ଦେଇଛନ୍ତି।
ଗାନ୍ଧୀମାର୍ଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ସ୍ୱାଧୀନତା ଦିବସର ଦେଶପ୍ରେମ ଓ ଗର୍ବର ମାହୋଲ ଦେଖିବାକୁ ମିଳିଛି। ତ୍ରିରଙ୍ଗା ଉଡ଼ାଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏକତା, ଦେଶପ୍ରେମ ଓ ବିକାଶର ସଂକଳ୍ପ ସହ ଆଗକୁ ବଢ଼ିବାକୁ ଆହ୍ୱାନ ଜଣାଇଛନ୍ତି।
