Latest Odisha News

BREAKING NEWS

‘ଭାରତ ଏବେ ଦ୍ରୁତତମ ଅର୍ଥନୀତି’: ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି। ଆକାଶ ମାର୍ଗରୁ ହେଲିକପ୍ଟର ସାହାଯ୍ୟରେ ପୁଷ୍ପ ବର୍ଷା କଲା ବାୟୁସେନା। ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ବଡ଼ ବାର୍ତ୍ତା ଦେଇଛନ୍ତି। ବିକାଶର ସପ୍ତଧାରାକୁ ଗୁରୁତ୍ବ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଗୁଣବତ୍ତା ସହ କୌଣସି ସାଲିସ୍ କରାଯିବ ନାହିଁ। ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା। ଯୁବଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ଲଗାଇବାକୁ ହେବ।

ସେ ପୁଣି କହିଛନ୍ତି, ଆଜି ଭାରତ ବି ବଡ଼ ସ୍ବପ୍ନ ଦେଖିଛି। ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା। ବିଶ୍ବର ଦୃଷ୍ଟିଭଙ୍ଗୀ ଆମ ପ୍ରତି ବଦଳିଛି, ଆମକୁ ସମ୍ମାନ ଦୃଷ୍ଟିରେ ଦେଖୁଛି। ଦେଶବାସୀଙ୍କୁ ସମ୍ବୋଧନ କରି ଭାରତର ବିକାଶ ଯାତ୍ରାର ଚିତ୍ର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ୧୩ତମ ଲଗାତର ସ୍ୱାଧୀନତା ଦିବସ ଭାଷଣରେ ଭାରତ କିପରି ଗତ ୧୨ ବର୍ଷରେ ଆର୍ଥିକ ଓ ବିକାଶ କ୍ଷେତ୍ରରେ ଆଗକୁ ବଢ଼ିଛି, ସେନେଇ ଅନେକ ଉଦାହରଣ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ସମୟରେ ଭାରତକୁ ବିଶ୍ୱର ‘Fragile Five’ ଅର୍ଥାତ୍ ଦୁର୍ବଳ ଅର୍ଥନୀତି ଥିବା ପାଞ୍ଚଟି ଦେଶ ମଧ୍ୟରେ ଗଣାଯାଉଥିଲା । କିନ୍ତୁ ମାତ୍ର ୧୨ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଦ୍ରୁତତମ ବିକାଶଶୀଳ ପ୍ରମୁଖ ଅର୍ଥନୀତି ଭାବେ ଉଭା ହୋଇଛି ବୋଲି ସେ ଦାବି କରିଛନ୍ତି । ଏହି ପରିବର୍ତ୍ତନ ପଛରେ ଦେଶର ୧୪୦ କୋଟି ଲୋକଙ୍କ ପରିଶ୍ରମ, ସଂକଳ୍ପ ଓ ସାମୂହିକ ପ୍ରୟାସ ରହିଛି ବୋଲି ମୋଦି କହିଛନ୍ତି। ଭାରତର ବିକାଶକୁ ବୁଝାଇବା ପାଇଁ ସେ ବିଭିନ୍ନ କ୍ଷେତ୍ରର ତଥ୍ୟ ମଧ୍ୟ ରଖିଛନ୍ତି। ଗତ ୧୨ ବର୍ଷରେ ପ୍ରତିରକ୍ଷା ଉତ୍ପାଦନ ୪ ଗୁଣ ବଢ଼ିଛି, ଖଦି ଓ ଗ୍ରାମୋଦ୍ୟୋଗର ଉତ୍ପାଦନ ୫ ଗୁଣ ବଢ଼ିଛି ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୭ ଗୁଣ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ମୋବାଇଲ୍‌ ଫୋନ୍‌ ଉତ୍ପାଦନ ମଧ୍ୟ ୩୩ ପ୍ରତିଶତ ବଢ଼ିଥିବା ଦାବି କରିଛନ୍ତି।

ଡିଜିଟାଲ୍‌ ଇଣ୍ଡିଆର ପ୍ରସାରକୁ ମଧ୍ୟ ଭାଷଣରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଡିଜିଟାଲ୍‌ ଲେନଦେନରେ ବଡ଼ ବୃଦ୍ଧି ହୋଇଥିବା ସହ ପାଇପ୍‌ ଯୋଗେ ପାନୀୟ ଜଳ, LPG ସଂଯୋଗ ଏବଂ ଶୌଚାଳୟ ନିର୍ମାଣ ଭଳି ମୌଳିକ ସୁବିଧାର ବିସ୍ତାର ହୋଇଥିବା ସେ କହିଛନ୍ତି। ଏହା ସହିତ ସଂସ୍କାର ଉପରେ ମଧ୍ୟ ଜୋର ଦେଇଛନ୍ତି ମୋଦି। ତାଙ୍କ କହିବା ଅନୁସାରେ, ୨୧ତମ ଶତାବ୍ଦୀରେ ଭାରତ ପୁରୁଣା ଶତାବ୍ଦୀର ଆଇନ ଓ ବ୍ୟବସ୍ଥା ଉପରେ ନିର୍ଭର କରି ଆଗକୁ ବଢ଼ିପାରିବ ନାହିଁ । ଦେଶର ଆବଶ୍ୟକତା ଓ ଲୋକଙ୍କ ଆଶା ଅନୁସାରେ ଆଇନ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ବୋଲି ସେ କହିଛନ୍ତି । ଶେଷରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ଲୋକଙ୍କ ସାମୂହିକ ପ୍ରୟାସ ଓ ଦୃଢ଼ ସଂକଳ୍ପ ଭାରତକୁ ଆହୁରି ଦ୍ରୁତ ଗତିରେ ଆଗକୁ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.