Odisha to install Doppler radars:ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ଆଉ ୩ ଡପଲର୍ ରାଡାର; ପାଣିପାଗର ପୂର୍ବାନୁମାନ ପ୍ରକ୍ରିୟା ହେବ ଅଧିକ ନିଖୁଣ
ଭୁବନେଶ୍ବର:ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପାଣିପାଗ ସୂଚନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ । ଏନେଇ ସରକାର ବଡ଼ ପଦକ୍ଷେପ ନେଉଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ବର୍ତ୍ତମାନ ଦୁଇଟି ଡପଲର୍ ରାଡାର କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ଆଉ ୩ଟି ନୂତନ ଡପଲର୍ ରାଡାର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।
ମନ୍ତ୍ରୀ କହିଛନ୍ତି ଏହି ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ପାଣିପାଗର ପୂର୍ବାନୁମାନ କରିବା ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ ସହଜ ଓ ନିଖୁଣ ହୋଇପାରିବ ।
ସୂଚନାଥାଉକି, ବାଲେଶ୍ୱରରେ ଏକ ଡପଲର୍ ରାଡାର ପ୍ରତିଷ୍ଠା କାର୍ଯ୍ୟ ଜାରି ରହିଛି, ଯାହା ଆଗାମୀ କିଛି ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏକ ଡପଲର୍ ରାଡାରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହା ସହ ପୁରୀରେ ମଧ୍ୟ ଏକ ନୂତନ ଡପଲର୍ ରାଡାର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।
ଡପଲର୍ ରାଡାର ସଂଖ୍ୟା ବୃଦ୍ଧି ହେଲେ ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ଠିକ୍ ସୂଚନା ମିଳିପାରିବ, ଯାହା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ ହେବ। ଯାହାଦ୍ବାରା ରାଜ୍ୟବାସୀଙ୍କୁ ଆଗୁଆ ସତର୍କ କରାଯାଇ ପାରିବ ।
ଫଳରେ ସମ୍ଭାବ୍ୟ କ୍ଷୟକ୍ଷତିକୁ ବହୁ ମାତ୍ରାରେ ହ୍ରାସ କରାଯାଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
