ଭଦ୍ରକ: ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ପରିସ୍ଥିତି ଏବେ ବି ସଙ୍ଗିନ ରହିଛି। ନଦୀ ପାଣି କମିବା ଆରମ୍ଭ ହୋଇଥିଲେ ସୁଦ୍ଧା ଜିଲ୍ଲାର ଅନେକ ଗାଁ ବର୍ତ୍ତମାନ ସୁଦ୍ଧା ଜଳବନ୍ଦୀ ଅବସ୍ଥାରେ ରହିଛି । ବିଶେଷ କରି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଦୁର୍ଦ୍ଦଶା କମିବାର ନାଁ ନେଉନାହିଁ।
ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଆଖୁଆପଦା ନିକଟରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି। ଆଖୁଆପଦାରେ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଥିବାବେଳେ ଜଳସ୍ତର ୧୮.୧୮ ମିଟରକୁ ଖସିଆସିଛି। କିନ୍ତୁ ବନ୍ୟା ଜଳ ନିଷ୍କାସନ ଠିକ୍ ଭାବେ ହୋଇପାରୁନଥିବାରୁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଲଗାତାର ଜଳବନ୍ଦୀ ଯୋଗୁଁ ଭଦ୍ରକରୁ ପ୍ରସିଦ୍ଧ ଶୈବପୀଠ ଆରଡ଼ିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼ିଛି। ରାସ୍ତାଘାଟ ବୁଡ଼ି ରହିଥିବାରୁ ଯାତାୟାତ ଏକପ୍ରକାର ଠପ୍ ହୋଇଯାଇଛି। ସୂଚନା ଅନୁସାରେ, କୋଠାର ଛକ ଏବଂ ସୂର୍ଯ୍ୟପୁର ଛକ ରାସ୍ତା ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ପହିଆସାହି ଛକରେ ୨ ଫୁଟ୍ର ବନ୍ୟା ପାଣି ଲହଡ଼ି ମାରୁଛି । ଯୋଗାଯୋଗ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଘୋର ବାଧା ସୃଷ୍ଟି ହୋଇଛି।
ଗତ କିଛି ଦିନ ଧରି ଏଭଳି ଜଳବନ୍ଦୀ ଅବସ୍ଥାରେ ରହିବା କାରଣରୁ ବନ୍ୟା ବିପନ୍ନଙ୍କ ଦୁଃଖ କହିଲେ ନସରେ । ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ଅନେକ ଅଞ୍ଚଳ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛି । ଅତି ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରିବା ସମ୍ଭବପର ହୋଇପାରୁନାହିଁ । ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଖାଦ୍ୟପେୟ । ଘର ଚାରିପଟେ ଏବଂ ଅନେକଙ୍କ ଘର ଭିତରେ ବନ୍ୟା ପାଣି ପଶିଯାଇଥିବାରୁ ଚୁଲି ଜଳିବା ମୁସ୍କିଲ ହୋଇପଡ଼ିଛି। ଫଳରେ ରୋଷେଇବାସ ନହୋଇପାରି ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି।
ସମସ୍ୟା ଏତିକିରେ ସରିନାହିଁ, ଗୃହପାଳିତ ପଶୁଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି । ଗୋଖାଦ୍ୟର ଅଭାବ ଯୋଗୁଁ ଗାଈଗୋରୁମାନେ ହିନସ୍ତା ହେଉଛନ୍ତି । ଏଭଳି ସ୍ଥିତିରେ ବନ୍ୟାଞ୍ଚଳରେ ଝାଡ଼ାବାନ୍ତି ଏବଂ ବିଭିନ୍ନ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହା କୌଣସି ନୂଆ ଘଟଣା ନୁହେଁ । ପ୍ରତିବର୍ଷ ବର୍ଷା ଦିନେ ବୈତରଣୀର ବନ୍ୟା ପାଣି ପଶି ଏଭଳି ଦୁର୍ଦ୍ଦଶାର ସାମ୍ନା କରିବାକୁ ପଡ଼ୁଛି। ତେଣୁ ସରକାର ଏବଂ ଜିଲ୍ଲା ପ୍ରଶାସନ କେବଳ ରିଲିଫ୍ ବଣ୍ଟନରେ ସୀମିତ ନରହି, ଏହି ବାରମ୍ବାର ଘଟୁଥିବା ବନ୍ୟା ସମସ୍ୟାର ଏକ ସ୍ଥାୟୀ ପ୍ରତିକାର ଦିଗରେ ଦୃଷ୍ଟି ଦେବାକୁ ଭଦ୍ରକବାସୀ ଦୃଢ଼ ଦାବି କରିଛନ୍ତି।
