Latest Odisha News

BREAKING NEWS

ଭାରତର ପ୍ରିୟ ବନ୍ଧୁ ରୁଷିଆ, ପାକ୍‌ର ଚୀନ୍: ଆମେରିକୀୟ ସଂସ୍ଥାର ସର୍ଭେରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ୱାଶିଂଟନ୍: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଐତିହାସିକ ତିକ୍ତତା ଓ ଅବିଶ୍ୱାସର ପ୍ରଭାବ ଉଭୟ ଦେଶର ସାଧାରଣ ନାଗରିକଙ୍କ ମାନସିକତା ଉପରେ ଗଭୀର ଭାବେ ରହିଛି। ଆମେରିକାର ପ୍ରସିଦ୍ଧ ଥିଙ୍କ୍ ଟ୍ୟାଙ୍କ୍ ‘ପ୍ୟୁ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ପ୍ରକାଶିତ ଏକ ସର୍ବଶେଷ ସର୍ଭେ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏହି ସର୍ଭେ ଅନୁଯାୟୀ, ଭାରତ ଏବଂ ପାକିସ୍ତାନର ଏକ ବଡ଼ ଅଂଶର ନାଗରିକ ପରସ୍ପରକୁ ସେମାନଙ୍କର ସବୁଠାରୁ ବଡ଼ ଭୂ-ରାଜନୈତିକ ବିପଦ ବୋଲି କୁହାଯାଉଛି

ରିପୋର୍ଟ ଅନୁସାରେ, ଭାରତରେ ସର୍ଭେକ୍ଷଣ କରାଯାଇଥିବା ବୟସ୍କ ନାଗରିକଙ୍କ ମଧ୍ୟରୁ ପ୍ରାୟ ୫୪ ପ୍ରତିଶତ ଲୋକ ପାକିସ୍ତାନକୁ ଦେଶର ପ୍ରମୁଖ ସୁରକ୍ଷା ବିପଦ ବୋଲି ମତ ଦେଇଛନ୍ତି। ଏହା ପଛକୁ ୨୧ ପ୍ରତିଶତ ଭାରତୀୟ ଚୀନ୍‌କୁ ବଡ଼ ବିପଦ ଭାବେ ଆଖ୍ୟାୟିତ କରିଛନ୍ତି। ଅନ୍ୟପକ୍ଷରେ, ୪୩ ପ୍ରତିଶତ ପାକିସ୍ତାନୀ ନାଗରିକ ଭାରତକୁ ନିଜର ପ୍ରଧାନ ଶତ୍ରୁ ମନେ କରୁଥିବା ବେଳେ ୨୪ ପ୍ରତିଶତ ଇସ୍ରାଏଲ୍ ଏବଂ ୨୪ ପ୍ରତିଶତ ଚୀନ୍‌କୁ ବିପଦ ବୋଲି ଗ୍ରହଣ କରିଛନ୍ତି।

ଅନ୍ତର୍ଜାତୀୟ ବନ୍ଧୁତା ପ୍ରସଙ୍ଗରେ ଉଭୟ ଦେଶର ମତାମତ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ସର୍ଭେ ଅନୁଯାୟୀ, ୭୫ ପ୍ରତିଶତ ପାକିସ୍ତାନୀ ଚୀନ୍‌କୁ ନିଜର ସବୁଠାରୁ ଭରସାଯୋଗ୍ୟ ବନ୍ଧୁ ରାଷ୍ଟ୍ର ବୋଲି କହିଥିବା ବେଳେ ମାତ୍ର ୧୨ ପ୍ରତିଶତ ସାଉଦି ଆରବକୁ ସମର୍ଥନ କରିଛନ୍ତି। ଏହା ବିପରୀତରେ, ୩୬ ପ୍ରତିଶତ ଭାରତୀୟ ରୁଷିଆକୁ ନିଜର ପ୍ରମୁଖ ସହଯୋଗୀ ବୋଲି ମାନୁଥିବା ବେଳେ ୧୬ ପ୍ରତିଶତ ଲୋକ ଆମେରିକା ସପକ୍ଷରେ ମତ ଦେଇଛନ୍ତି। ରୁଷିଆ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ୫୮% ଭାରତୀୟ ସକାରାତ୍ମକ ମନୋଭାବ ପୋଷଣ କରୁଥିବା ବେଳେ ମାତ୍ର ୨୩% ଭାରତୀୟ ଚୀନ୍ ପ୍ରତି ଏବଂ ୨୫% ଶି ଜିନପିଙ୍ଗଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି। ସେହିପରି ୯୦% ପାକିସ୍ତାନୀ ନାଗରିକ ଚୀନ୍ ସପକ୍ଷରେ ଏବଂ ୮୩% ଶି ଜିନପିଙ୍ଗଙ୍କ ଉପରେ ବିଶ୍ୱାସ ରଖିଛନ୍ତି।

ଦକ୍ଷିଣ ଏସିଆର ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ଭାରତର ଭାବମୂର୍ତ୍ତିକୁ ନେଇ କୌତୂହଳପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଶ୍ରୀଲଙ୍କାର ପ୍ରାୟ ୭୯ ପ୍ରତିଶତ ଲୋକ ଭାରତ ପ୍ରତି ଅତ୍ୟନ୍ତ ସକାରାତ୍ମକ ମନୋଭାବ ରଖିଛନ୍ତି ଏବଂ ୬୩ ପ୍ରତିଶତ ଶ୍ରୀଲଙ୍କାବାସୀ ଭାରତକୁ ସେମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମିତ୍ର ରାଷ୍ଟ୍ର ବୋଲି ଅଭିହିତ କରିଛନ୍ତି। ତେବେ ବାଂଲାଦେଶରେ ମାତ୍ର ୪୨ ପ୍ରତିଶତ ଏବଂ ପାକିସ୍ତାନରେ ମାତ୍ର ୭ ପ୍ରତିଶତ ଲୋକ ଭାରତକୁ ଭଲ ଦୃଷ୍ଟିରେ ଦେଖନ୍ତି। ବାଂଲାଦେଶର ଅଧିକାଂଶ ଲୋକ ମଧ୍ୟ ଭାରତକୁ ଏକ ବଡ଼ ରଣନୈତିକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରନ୍ତି।

ଆମେରିକାରେ ଭାରତର ସ୍ଥିତି ସମ୍ପର୍କରେ ସର୍ଭେରୁ ଜଣାପଡ଼ିଛି ଯେ, ୪୫ ପ୍ରତିଶତ ଆମେରିକୀୟ ଭାରତ ସପକ୍ଷରେ ମତ ରଖିଥିବା ବେଳେ ୫୦ ପ୍ରତିଶତ ପ୍ରତିକୂଳ ମତ ରଖିଛନ୍ତି। ଏଥିସହ ୫୪ ପ୍ରତିଶତ ଆମେରିକୀୟଙ୍କ ମତରେ ବିଶ୍ୱ ମଞ୍ଚରେ ଭାରତର ପ୍ରଭାବ ପୂର୍ବପରି ସ୍ଥିର ରହିଛି, ୩୦ ପ୍ରତିଶତ ଲୋକ ଭାରତର ପ୍ରଭାବ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି ଏବଂ ୧୩ ପ୍ରତିଶତ ଏହା ଦୁର୍ବଳ ହେଉଥିବା ଦର୍ଶାଇଛନ୍ତି। ସମଗ୍ର ସର୍ଭେକ୍ଷଣରୁ ସ୍ପଷ୍ଟ ହେଉଛି ଯେ ଭାରତ-ପାକିସ୍ତାନ ସମ୍ପର୍କରେ କୂଟନୈତିକ ବ୍ୟବଧାନ ସାଧାରଣ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ଗଭୀର ଭାବେ ପ୍ରତିଫଳିତ ହେଉଛି।

Leave A Reply

Your email address will not be published.