ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ତଥା ଐତିହାସିକ ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଖୁବ୍ଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ନିଯୁକ୍ତି କରାଯିବ । ଏହି ନିଯୁକ୍ତି ପ୍ରକ୍ରିୟା ଦ୍ୱାରା କେବଳ ଯେ ସ୍କୁଲଗୁଡ଼ିକରେ ଥିବା ଶିକ୍ଷକ ଅଭାବ ଦୂର ହେବ ତାହା ନୁହେଁ, ବରଂ ହଜାର ହଜାର ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ରୋଜଗାରର ସୁଯୋଗ ମଧ୍ୟ ମିଳିପାରିବ । ବର୍ତ୍ତମାନ ସମୟରେ ଅନେକ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା ଗୁରୁତର ଭାବେ ବ୍ୟାହତ ହେଉଥିଲା। ବିଶେଷ କରି ଉପାନ୍ତ ଓ ଗ୍ରାମାଞ୍ଚଳର ସ୍କୁଲଗୁଡ଼ିକରେ ଶିକ୍ଷକ ମରୁଡ଼ି ଏକ ନିତିଦିନିଆ ସମସ୍ୟା ପାଲଟିଥିଲା । ଏହି ୪୫ ହଜାର ଶିକ୍ଷକଙ୍କ ନିଯୁକ୍ତି ଦ୍ୱାରା ସ୍କୁଲଗୁଡ଼ିକରେ ଛାତ୍ର-ଶିକ୍ଷକ ଅନୁପାତ ଠିକ୍ ରହିବା ସହ ପାଠପଢ଼ାର ମାନ ନିଶ୍ଚିତ ଭାବେ ବୃଦ୍ଧି ପାଇବ।
କେବଳ ଶିକ୍ଷକ ନିଯୁକ୍ତି ନୁହେଁ, ବରଂ ଶିକ୍ଷା ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରେ ଶିକ୍ଷାର ବ୍ୟାପକ ପ୍ରସାର ପାଇଁ ଆହୁରି ୨,୨୦୦ଟି ନୂଆ ‘ଆଦର୍ଶ ବିଦ୍ୟାଳୟ’ (ମଡେଲ ସ୍କୁଲ) ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ବାଧୀନତା ଅବସରରେ ଘୋଷଣା କରିଛନ୍ତି ।
ଭୁଲ ପୁସ୍ତକ ଛପିବା ନେଇ ରାଜ୍ୟ ସରକାର ସମାଲୋଚନାର ଶିକାର ହୋଇଥିବା ବେଳେ ଏବେ ସ୍କୁଲ ରେ ଶିକ୍ଷକ ନିଯୁକ୍ତି ନେଇ ଘୋଷଣା କରି ନିଜ ସରକାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ କରିବାକୁ ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବାର୍ତା ଦେଇଛନ୍ତି ।
