ରାତି ଅଧରେ ସର୍କିଟ ହାଉସ୍ ଛାଡ଼ିବାକୁ ନିର୍ଦ୍ଦେଶ: ସୁରକ୍ଷା ନେଇ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଲେ ମହୁଆ ମୋଇତ୍ର
କୋଲକାତା: ପଶ୍ଚିମବଙ୍ଗର ନଦୀଆ ଜିଲ୍ଲାର କୃଷ୍ଣନଗର ସର୍କିଟ ହାଉସ୍ରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କୁ ରାତି ଅଧରେ ହଠାତ୍ ରୁମ ଛାଡିବା ଉଦ୍ୟମକୁ ନେଇ ଜାତୀୟସ୍ତରରେ ବିବାଦ ତେଜିଛି । ଏହି ଅଭାବନୀୟ ଘଟଣାରେ ମହିଳା ସାଂସଦମାନଙ୍କ ସୁରକ୍ଷା ଏବଂ ସମ୍ମାନ ଉପରେ ପ୍ରଶ୍ନବାଚୀ ଉଠାଇ ମହୁଆ ମୋଇତ୍ର ସିଧାସଳଖ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ଲିଖିତ ଚିଠି ଜଣାଇ ନ୍ୟାୟ ଭିକ୍ଷା କରିଛନ୍ତି।
ସୂଚନା ଅନୁଯାୟୀ, ଅଗଷ୍ଟ ୧୪ ତାରିଖ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ରେ କୃଷ୍ଣନଗର ସାଂସଦ ମହୁଆ ମୋଇତ୍ର ସର୍କିଟ ହାଉସ୍ରେ ପହଞ୍ଚିଥିଲେ ଏବଂ ନିୟମ ଅନୁସାରେ ତାଙ୍କୁ ତାଙ୍କର ନିର୍ଦ୍ଧାରିତ ରୁମ ଦିଆଯାଇଥିଲା। ରାତିରେ ସେଠାରେ ତାଙ୍କୁ ନିୟମିତ ଖାଦ୍ୟ ମଧ୍ୟ ଦିଆଯାଇଥିଲା। ମାତ୍ର ରାତି ପ୍ରାୟ ୯ଟା ୪୭ ମିନିଟ୍ ସମୟରେ ନଦିଆ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ଫୋନ୍ କରି ‘ଉପରୁ ନିର୍ଦ୍ଦେଶ ଆସିଛି’ ବୋଲି କହି ତୁରନ୍ତ ସେହି ରୁମ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ରାତି ୧୦ଟା ୫୨ରେ ତାଙ୍କୁ ହ୍ୱାଟସ୍ଆପ୍ରେ ଏକ ସରକାରୀ ନୋଟିସ୍ ପଠାଯାଇଥିଲା, ଯେଉଁଥିରେ ସର୍କିଟ ହାଉସ୍ର ବାର୍ଷିକ ସଫେଇ ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମସ୍ତ ବୁକିଂ ବାତିଲ କରାଯାଇଛି ବୋଲି ଦର୍ଶାଯାଇଥିଲା।
ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖିଥିବା ଚିଠିରେ ମହୁଆ ଅଭିଯୋଗ କରିଛନ୍ତି ଯେ, ଏକୁଟିଆ ରହୁଥିବା ଜଣେ ମହିଳା ସାଂସଦଙ୍କୁ ରାତି ଅଧରେ ନିଜ ରୁମ୍ରୁ ବାହାର କରିଦେବା ଅତ୍ୟନ୍ତ ଅପମାନଜନକ ଏବଂ ଏହା ସୁରକ୍ଷା ଦୃଷ୍ଟିରୁ ଏକ ବଡ଼ ବିପଦ । ସେ ଘର ଛାଡ଼ିବାକୁ ସିଧାସଳଖ ମନା କରିବା ପରେ ରାତି ପ୍ରାୟ ୧୧ଟା ବେଳେ ବାହାରେ ଏକ ଅଜଣା ଭିଡ଼ ଜମା ହୋଇ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ, ଯାହା ତାଙ୍କୁ ଆତଙ୍କିତ କରିଥିଲା ବୋଲି ସେ ଦାବି କରିଛନ୍ତି।
ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ସର୍କିଟ ହାଉସ୍ ଜିଲ୍ଲାପାଳ ଓ ଏସପିଙ୍କ ବାସଭବନ ସାମ୍ନାରେ ଥିଲେ ସୁଦ୍ଧା ସେଠାରେ ଅସାମାଜିକ ଲୋକଙ୍କ ଭିଡ଼ କିପରି ଜମା ହେଲା, ତାହା ସନ୍ଦେହଜନକ । ଜଣେ ସାଂସଦଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ସର୍କିଟ ହାଉସ୍ରେ ରହିବାର ସମ୍ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ରହିଛି । ଏହି ଘଟଣାକୁ ନେଇ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ, କଂଗ୍ରେସ ନେତା ପୱନ ଖେଡ଼ା ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ନେତାମାନେ ତୀବ୍ର ନିନ୍ଦା କରିଛନ୍ତି। ମହୁଆ ମୋଇତ୍ର ଏହି ପ୍ରସଙ୍ଗରେ ଲୋକସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିବା ସହ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି।
