ଭୁବନେଶ୍ୱର: ଭୁବନେଶ୍ୱରରେ ୮୦ ତମ ସ୍ୱାଧୀନତା ଦିବସ ପାଳନ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ Gen Z ଙ୍କୁ ପ୍ରଶଂସା କରି ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦକ୍ଷତା କ୍ଷେତ୍ରରେ ଆମର ଉନ୍ନତ ପ୍ରଶିକ୍ଷଣ ଯୋଗୁ ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬ ରେ ଓଡ଼ିଶା ଜାତୀୟ ଦକ୍ଷତା ଚମ୍ପିଆନ୍ ହେବା ସହିତ ବିଭିନ୍ନ ବର୍ଗରେ ଓଡ଼ିଶାର ଯୁବକମାନେ ୫୭ଟି ପଦକ ହାସଲ କରିଛନ୍ତି। ଏହା ଏକ ସାଧାରଣ ସଫଳତା ନୁହେଁ । ଏହା ହେଉଛି ଓଡ଼ିଶାର ଯୁବବର୍ଗର ଉଜ୍ଜ୍ୱଳ ଭବିଷ୍ୟତର ପ୍ରତୀକ ।
ଗତ କିଛି ଦିନ ଧରି ଦେଶର ଯୁବ ସମାଜକୁ ବିଭ୍ରାନ୍ତ କରିବା ପାଇଁ ଦେଶ ଭିତର ତଥା ଦେଶ ବାହାରର କିଛି ବାହ୍ୟଶକ୍ତି ଚେଷ୍ଟା କରୁଛନ୍ତି। କାରଣ ସେମାନେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରଭାବେ ଦେଖିବାକୁ ଚାହୁଁ ନାହାନ୍ତି। ସେମାନେ ଭଲଭାବେ ଅବଗତ ଅଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କାହା ଆଗରେ ମୁଣ୍ଡ ନୂଆଁଇବେ ନାହିଁ, ଦେଶର ହିତକୁ ନେଇ ତିଳେମାତ୍ର ସାଲିସ କରିବେ ନାହିଁ। ତେଣୁ ସେମାନେ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରୁଛନ୍ତି। ତାଙ୍କର ଏହି ପ୍ରୟାସ ଭଲଭାବେ ସାରା ଦେଶରେ ଏକ୍ସପୋଜ ହୋଇ ସାରିଲାଣି। ତେଣୁ ଆପଣମାନେ କାହାଦ୍ବାରା ପ୍ରଭାବିତ ନ ହୋଇ ନିଜ ନିଜ କ୍ଯାରିୟର ପାଇଁ ଧ୍ୟାନ ଦିଅନ୍ତୁ। ଏହା ହିଁ ଆପଣମାନଙ୍କର ପ୍ରଥମ ପ୍ରାଥମିକତା ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଯୁବବର୍ଗଙ୍କୁ ପରାମର୍ଶ ଦେଇ କହିଛନ୍ତି।
