Latest Odisha News

BREAKING NEWS

ବାଜପେୟୀଙ୍କ ତିରୋଧାନ ଦିବସ: ଦେଶ ଗଠନରେ ମହାନ ଜନନାୟକଙ୍କ ଅବଦାନକୁ ମନେପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ଅଷ୍ଟମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ସମଗ୍ର ଦେଶ ଏହି ମହାନ ଜନନାୟକଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ବାଜପେୟୀଙ୍କ ସମାଧି ପୀଠ ‘ସଦୈବ ଅଟଳ’ଠାରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଆଜି ସକାଳୁ ‘ସଦୈବ ଅଟଳ’ ସ୍ମୃତିପୀଠରେ ଏକ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଭାରତୀୟ ଜନତା ପାର୍ଟିର ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହି ସ୍ୱର୍ଗତ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ବାର୍ତ୍ତା ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଅଟଳ ଜୀ ଦେଶବାସୀଙ୍କ ହୃଦୟରେ ସର୍ବଦା ଜୀବିତ ରହିବେ। ଦେଶ ଗଠନ ତଥା ଭାରତକୁ ଏକ ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଆଦର୍ଶ ଆଜି ମଧ୍ୟ କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ସେ ଏମିତି ଜଣେ ନେତା ଥିଲେ ଯାହାଙ୍କୁ ବିରୋଧୀ ଦଳର ନେତାମାନେ ମଧ୍ୟ ଗଭୀର ସମ୍ମାନ କରୁଥିଲେ।

ସୂଚନାଯୋଗ୍ୟ, ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ଦୀର୍ଘ ଦିନର ଅସୁସ୍ଥତା ପରେ ୯୩ ବର୍ଷ ବୟସରେ ବାଜପେୟୀଙ୍କ ପରଲୋକ ଘଟିଥିଲା। ସେ ତିନି ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଭାରତକୁ ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ତାଙ୍କର ଭୂମିକା (ପୋଖରାନ୍ ପରୀକ୍ଷଣ), କାର୍ଗିଲ ଯୁଦ୍ଧରେ ସେନାର ମନୋବଳ ବଢ଼ାଇ ବିଜୟ ହାସଲ କରିବା ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ସ୍ୱର୍ଣ୍ଣିମ ଚତୁର୍ଭୁଜ ଯୋଜନା ଭଳି ଯୁଗାନ୍ତକାରୀ ଭିତ୍ତିଭୂମି ବିକାଶ ପାଇଁ ସେ ସବୁଦିନେ ସ୍ମରଣୀୟ ହୋଇ ରହିବେ ।

କେବଳ ଦିଲ୍ଲୀ ନୁହେଁ, ବରଂ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆଜି ବିଭିନ୍ନ ସାମାଜିକ ତଥା ରାଜନୈତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ମହାନ ରାଷ୍ଟ୍ରନାୟକଙ୍କୁ ମନେ ପକାଯାଉଛି।

Leave A Reply

Your email address will not be published.