ଗାଲେ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ଦଳ ନିଜର ସ୍ଥିତି ମଜବୁତ କରିନେଇଛି । ଗାଲେ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୯ ୱିକେଟ ହରାଇ ୪୬୦ ରନ୍ ସଂଗ୍ରହ କରିଛି । ବର୍ଷା ଯୋଗୁଁ ଦ୍ୱିତୀୟ ଦିନର ଖେଳ ପ୍ରାୟ ସାଢ଼େ ଚାରି ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଏହା ପରେ ଭାରତ ୪୩ ଓଭରରେ ୧୭୨ ରନ୍ ଯୋଡ଼ିଥିଲା । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା କୁଲଦୀପ ଯାଦବ ୧୨ ରନ୍ ଓ ପ୍ରସିଦ୍ଧ କୃଷ୍ଣା ୧ ରନ୍ କରି ଅପରାଜିତ ଅଛନ୍ତି ।
ଦେବଦତ୍ତ ପଡିକ୍କଲ ୧୬୭ ରନ୍ର ଏକ ଦମଦାର ଇନିଂସ ଖେଳିଛନ୍ତି । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ । ସେ ୨୩୦ଟି ବଲର ସାମ୍ନା କରି ୧୫ଟି ଚୌକା ଓ ୧ଟି ଛକା ମାରିଥିଲେ । କେଏଲ ରାହୁଲ ୮୨ ରନ୍ର ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଥିବା ବେଳେ ଧ୍ରୁବ ଜୁରେଲ ୫୧ ରନ୍ ସଂଗ୍ରହ କରିଥିଲେ । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନ ଶେଷ ସୁଦ୍ଧା ଦଳ ୨ ୱିକେଟ ହରାଇ ୨୮୮ ରନ୍ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ପ୍ରଭାତ ଜୟସୂର୍ୟ୍ୟ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ କେଶରା ନୁୱନ୍ଥା ୩ଟି ୱିକେଟ ହାସଲ କରିଛନ୍ତି ।
