ଆମଷ୍ଟେଲଭିନ୍ (ନେଦରଲ୍ୟାଣ୍ଡସ): ସଲିମା ଟେଟେଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ହକି ଦଳ ନେଦରଲ୍ୟାଣ୍ଡସର ଆମଷ୍ଟେଲଭିନ୍ଠାରେ ଖେଳାଯାଇଥିବା ମହିଳା ହକି ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଚୀନ୍ ବିପକ୍ଷରେ ୨-୨ ଗୋଲ୍ରେ ଡ୍ର ରଖିଛି । ପ୍ୟାରିସ୍ ଓଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଚୀନ୍ ବିପକ୍ଷରେ ଭାରତୀୟ ଦଳ ଦୁଇଥର ଅଗ୍ରଣୀ ହାସଲ କରିଥିଲେ ସୁଦ୍ଧା ମ୍ୟାଚ୍କୁ ଜିତିବାରେ ଅସମର୍ଥ ହୋଇଥିଲା । ମ୍ୟାଚ୍ର ୮ମ ମିନିଟ୍ରେ ନେହାଙ୍କ ପାସ୍କୁ ଗୋଲ୍ରେ ରୂପାନ୍ତରିତ କରି ନବନୀତ ଭାରତକୁ ୧-୦ରେ ଆଗୁଆ କରିଥିଲେ । ୧୫ଶ ମିନିଟ୍ରେ ଶିଳ୍ପୀ ଡାବସଙ୍କ ଏକ ଫାଉଲ୍ ଯୋଗୁଁ ଚୀନ୍ ପେନାଲ୍ଟି ଷ୍ଟ୍ରୋକ୍ ପାଇଥିଲା ଏବଂ ଗୋଲ୍ ଦେଇ ସ୍ଥିତି ବରାବର କରିଥିଲା ।
ହାଫ୍-ଟାଇମ୍ର ୪ ମିନିଟ୍ ପୂର୍ବରୁ ଦୀପିକା ପେନାଲ୍ଟି କୋର୍ନରରୁ ଏକ ଚମତ୍କାର ଡ୍ରାଗ୍ ଫ୍ଲିକ୍ ଜରିଆରେ ଗୋଲ୍ କରି ଭାରତକୁ ପୁଣି ୨-୧ରେ ଆଗୁଆ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଚୀନ୍ ଜୋରଦାର ଆକ୍ରମଣ କରି ୩୯ତମ ମିନିଟ୍ରେ ମା ନିଙ୍ଗଙ୍କ ପେନାଲ୍ଟି କୋର୍ନର ଗୋଲ୍ ବଳରେ ସ୍ଥିତି ୨-୨ କରିଥିଲା । ଶେଷ କ୍ୱାଟରରେ ଉଭୟ ଦଳ ବିଜୟୀ ଗୋଲ୍ ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା କୌଣସି ଦଳ ଗୋଲ୍ କରିପାରି ନଥିଲେ । ମଙ୍ଗଳବାର ଭାରତୀୟ ମହିଳା ହକି ଦଳ ପରବର୍ତ୍ତୀ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।
