Latest Odisha News

BREAKING NEWS

ସିଏଜି ରିପୋର୍ଟ ପରେ ତତ୍ପର ରେଳ ମନ୍ତ୍ରଣାଳୟ: ଯାତ୍ରୀଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବାକୁ ଆରମ୍ଭ ହେବ ‘ଟ୍ୟାଙ୍କ୍ ଟୁ ଟ୍ୟାପ୍’ ପ୍ରୋଜେକ୍ଟ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ନିଜର ଲକ୍ଷ ଲକ୍ଷ ଯାତ୍ରୀମାନଙ୍କୁ ସୁରକ୍ଷିତ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ନିକଟରେ କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲଙ୍କ ଏକ ରିପୋର୍ଟରେ ଦେଶର ଅନେକ ରେଳ ଷ୍ଟେସନରେ ଥିବା ପାନୀୟ ଜଳରେ ମାରାତ୍ମକ ‘ଇ-କୋଲାଇ’ (E. coli) ବ୍ୟାକ୍ଟେରିଆ ଥିବା ଜଣାପଡିବା ପରେ ରେଳ ମନ୍ତ୍ରଣାଳୟ ତତ୍ପର ହୋଇଉଠିଛି।

ଏହି ସମସ୍ୟାର ସମାଧାନ ପାଇଁ ରେଳବାଇ ପକ୍ଷରୁ ସମଗ୍ର ନେଟୱାର୍କରେ ‘ଟ୍ୟାଙ୍କ୍ ଟୁ ଟ୍ୟାପ୍’ ନାମକ ଏକ ନୂତନ ତଥା ବ୍ୟାପକ ୱାଟର ଫିଲ୍ଟ୍ରେସନ୍ ପ୍ରୋଜେକ୍ଟ ଆରମ୍ଭ କରାଯିବ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଦେଶରେ ଥିବା ରେଳ ଷ୍ଟେସନଗୁଡ଼ିକର ପ୍ରାୟ ୨୦ ହଜାର ସ୍ଥାନରେ ଏହି ଅତ୍ୟାଧୁନିକ ଜଳ ବିଶୋଧନ ବ୍ୟବସ୍ଥା ଲଗାଯିବ ।

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଷ୍ଟେସନରେ ଥିବା ୱାଟର କୁଲର୍ ଏବଂ ଟ୍ୟାପ୍‌ରୁ ବାହାରୁଥିବା ପାଣିକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପିଇବା ଯୋଗ୍ୟ କରିବା। କେବଳ ସେତିକି ନୁହେଁ, ପୁରୁଣା ପାଣି ଟ୍ୟାଙ୍କ୍‌ଗୁଡ଼ିକୁ ବଦଳାଇବା ସହିତ ନୂଆ ଫିଲ୍ଟର ମେସିନ୍ ଲଗାଇବାକୁ ମଧ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।

ପ୍ରକାଶ ଥାଉ କି, ସିଏଜି ନିଜ ରିପୋର୍ଟରେ ଦର୍ଶାଇଥିଲେ ଯେ ହାଇଦ୍ରାବାଦ, କୋଏମ୍ବାଟୁର, ପାଲକ୍କଡ ଏବଂ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍ ପରି ଦେଶର ୮ଟି ପ୍ରମୁଖ ରେଳ ଷ୍ଟେସନରୁ ସଂଗ୍ରହ କରାଯାଇଥିବା ପାଣି ନମୁନାରେ ମଣିଷ ଶରୀର ପାଇଁ କ୍ଷତିକାରକ ବ୍ୟାକ୍ଟେରିଆ ରହିଛି। ପାନୀୟ ଜଳ ବ୍ୟବସ୍ଥାର ଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ନେଇ ରିପୋର୍ଟରେ କ୍ଷୋଭ ପ୍ରକାଶ କରାଯାଇଥିଲା।

ରେଳବାଇର ନୂଆ ବ୍ୟବସ୍ଥା ଅଧୀନରେ ଉଭୟ ଟ୍ୟାଙ୍କ ଏବଂ ଟ୍ୟାପ୍ ପଏଣ୍ଟରେ ନିୟମିତ ଭାବେ ପାଣିର ଗୁଣବତ୍ତା ଯାଞ୍ଚ କରାଯିବ । ଏହାସହ ଷ୍ଟୋରେଜ୍ ଟ୍ୟାଙ୍କ୍‌ଗୁଡ଼ିକର ସମୟାନୁସାରେ ସଫେଇ ଏବଂ ରକ୍ଷଣାବେକ୍ଷଣ ନିଶ୍ଚିତ କରାଯିବ । ଏ ସମ୍ପର୍କରେ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଏବେଠାରୁ ବୋର୍ଡ ସ୍ତରରେ ପାନୀୟ ଜଳର ଗୁଣବତ୍ତା ଉପରେ ସିଧାସଳଖ ନଜର ରଖାଯିବ। ପ୍ରକ୍ରିୟାକୁ ସ୍ୱଚ୍ଛ ରଖିବା ପାଇଁ ପର୍ଯ୍ୟାୟକ୍ରମେ ଜଳର ମାନ ସମ୍ପର୍କିତ ରିପୋର୍ଟ ମଧ୍ୟ ସର୍ବସାଧାରଣରେ ପ୍ରକାଶ କରାଯିବ। ଯାତ୍ରୀମାନଙ୍କୁ ଏକ ସୁରକ୍ଷିତ ଏବଂ ଉନ୍ନତ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବା ଦିଗରେ ରେଳବାଇର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Leave A Reply

Your email address will not be published.