ନୂଆ ଟିମ୍ ଘୋଷଣା କଲେ ବିଜେପି ଅଧ୍ୟକ୍ଷ: ବୈଜୟନ୍ତ ପଣ୍ଡା ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କର ନୂଆ କେନ୍ଦ୍ରୀୟ ସାଙ୍ଗଠନିକ ଟିମ୍ (କାର୍ଯ୍ୟକାରିଣୀ) ଘୋଷଣା କରିଛନ୍ତି। ଏହି ନୂଆ ଟିମରେ ୧୩ ବରିଷ୍ଠ ନେତାଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି। ଏହାସହ ମହିଳା ଓ ଯୁବ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଓଡ଼ିଶା ରାଜନୀତି ଦୃଷ୍ଟିକୋଣରୁ ମଧ୍ୟ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ। ନୀତିନ ନବୀନଙ୍କ ନୂଆ ଟିମରେ ଓଡ଼ିଶାର ବରିଷ୍ଠ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ପ୍ରଦାନ କରାଯାଇଛି। ସେହିଭଳି ସମ୍ବିତ ପାତ୍ରଙ୍କୁ ଉତ୍ତର ପୂର୍ବ ସଂଯୋଜକ ଦାୟିତ୍ବ ମିଳିଛି।
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଜାତୀୟ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଉପାଧ୍ୟକ୍ଷ ତାଲିକାରେ ଅଛନ୍ତି ତିରଥ ସିଂ ରାୱତ, ରାମ ମାଧବ, ଡି ପୁରନ୍ଦେଶ୍ବରୀ, ରେଖା ବର୍ମା, ଭର୍ସାବେନ ନରେନ୍ଦ୍ରଭାଇ, ଭାରତୀ ପ୍ରବୀଣ ପାୱାର, ମନପ୍ରୀତ ସିଂ ବାଦଲ, ଲାଲ ସିଂ ଆର୍ଯ୍ୟ, ଏମ୍ ନାଗରାଜ, ତାରିକ୍ ମନସୁର ଓ ମଧୂଚନ୍ଦ୍ର କର ସାମିଲ ଅଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ବିଜେପି ସଂଗଠନରେ ଯୋଗ ଦେଇଛନ୍ତି। ତାଙ୍କୁ ଜାତୀୟ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି।
ବିଜେପି ସଭାପତି ନୀତିନ ନବୀନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, ଭାରତୀୟ ଜନତା ଦଳର ଜାତୀୟ ଦଳର ସମସ୍ତ ନବନିଯୁକ୍ତ ପଦାଧିକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଅଭିଜ୍ଞତା ଏବଂ ଶକ୍ତିରେ ସମୃଦ୍ଧ ଏହି ଦଳ, ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ସଂଗଠନକୁ ନୂତନ ଗତି ପ୍ରଦାନ କରିବ। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ସମସ୍ତ ଦଳର ସଦସ୍ୟ, ସେମାନଙ୍କର କର୍ମୀ ଭଳି ମନୋଭାବ ସହିତ, ସଂଗଠନକୁ ଆହୁରି ମଜବୁତ କରିବେ ଏବଂ ‘ବିକଶିତ ଭାରତ’ ପାଇଁ ସଂକଳ୍ପ ଏବଂ ଜାତୀୟ ସେବାର ଲକ୍ଷ୍ୟକୁ ନୂତନ ଉଚ୍ଚତାରେ ପହଞ୍ଚାଇବେ।
