Latest Odisha News

BREAKING NEWS

ରାଷ୍ଟ୍ରପତି ଭବନରେ ଝାରସୁଗୁଡ଼ାର ଭେଷମତୀ ନାଏକ: ଦକ୍ଷତା, ଦୃଢ଼ତା ଓ ସଫଳତାର ଯାତ୍ରା

ଭୁବନେଶ୍ୱର: ଓଡ଼ିଶା ତଥା ଝାରସୁଗୁଡ଼ା ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଭେଷମତୀ ନାଏକ। ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ବ୍ଲକ ଅନ୍ତର୍ଗତ ତିଲେଇମାଲ ଗ୍ରାମର ଝିଅ ଭେଷମତୀ ନାଏକ, ଓରମାସ ଅଧୀନରେ ଡ଼ି.ଡ଼ି.ୟୁ.-ଜି.କେ.ୱାଇ (ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା)ରେ ପ୍ରଶିକ୍ଷିତ ଜଣେ ସଫଳ ପ୍ରାର୍ଥୀ ଭାବେ, ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ କଲ୍ଚରାଲ୍ ସେଣ୍ଟରରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ‘ଆଟ୍-ହୋମ୍’ ରିସେପସନ୍‌ରେ ଯୋଗଦେବା ପାଇଁ ଆମନ୍ତ୍ରିତ ହୋଇଥିଲେ। ତାଙ୍କର ଏହି ଆମନ୍ତ୍ରଣ ଜଣେ ଗ୍ରାମୀଣ ଯୁବତୀଙ୍କ ଦକ୍ଷତା ବିକାଶରୁ ଆରମ୍ଭ କରି ସଫଳ କର୍ମଜୀବନ ପର୍ଯ୍ୟନ୍ତର ପ୍ରେରଣାଦାୟୀ ଯାତ୍ରାର ଏକ ସ୍ୱୀକୃତି ।

ଓଡ଼ିଶାରେ ଡ଼ି.ଡ଼ି.ୟୁ.-ଜି.କେ.ୱାଇ କାର୍ଯ୍ୟକ୍ରମଟି ଓଡ଼ିଶା ସରକାରଙ୍କ ସହଯୋଗରେ ଓଡ଼ିଶା ରୁରାଲ୍ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି (ଓରମାସ) ମାଧ୍ୟମରେ କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ଗ୍ରାମୀଣ ଯୁବକ-ଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ସ୍ଥାୟୀ ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛି। ଭେଷମତୀ ନାଏକ ୨୦୧୬ ମସିହାରେ ଡ଼ି.ଡ଼ି.ୟୁ.-ଜି.କେ.ୱାଇ ଅଧୀନରେ ହସ୍ପିଟାଲିଟି ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଏହି ପ୍ରଶିକ୍ଷଣ ପି.ଆଇ.ଏ.- ମଲ୍ଟି କେୟାର ସର୍ଭିସେସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌, ଭୁବନେଶ୍ୱର ମାଧ୍ୟମରେ ପ୍ରଦାନ କରାଯାଇଥିଲା। ପାରିବାରିକ ଓ ଆର୍ଥିକ ପରିସ୍ଥିତି ଯୋଗୁଁ ସେ ଉଚ୍ଚଶିକ୍ଷା ଜାରି ରଖିପାରିନଥିଲେ। ତେଣୁ ଦକ୍ଷତା ବିକାଶକୁ ନିଯୁକ୍ତି ଓ ଆର୍ଥିକ ସ୍ୱାବଲମ୍ବନର ମାଧ୍ୟମ ଭାବେ ବାଛିନେଇଥିଲେ।

ପ୍ରଶିକ୍ଷଣ ସମାପ୍ତ କରିବା ପରେ ସେ ତାମିଲନାଡୁର ଊଟିରେ ମାସିକ ₹୬,୦୦୦ ଦରମାରେ ନିଜର କର୍ମଜୀବନ ଆରମ୍ଭ କରିଥିଲେ। ପ୍ରାୟ ଏକ ଦଶନ୍ଧି ଧରି ନିଷ୍ଠା, ପରିଶ୍ରମ ଓ ବୃତ୍ତିଗତ ଅଭିଜ୍ଞତା ହାସଲ କରିବା ପରେ ବର୍ତ୍ତମାନ ସେ ଆଇ.ଆଇ.ଏମ୍‌, ସମ୍ବଲପୁରରେ କାର୍ଯ୍ୟରତ ଅଛନ୍ତି ଏବଂ ମାସିକ ₹୩୫,୦୦୦ ଆୟ କରୁଛନ୍ତି। ନିଜ ଆୟ ମାଧ୍ୟମରେ ସେ ପରିବାରକୁ ସହଯୋଗ କରିବା ସହ ଜୀବନଯାପନର ମାନରେ ଉନ୍ନତି ଆଣିଛନ୍ତି ଏବଂ ଅଧିକ ଆର୍ଥିକ ସ୍ଥିରତା ହାସଲ କରିଛନ୍ତି। ଡ଼ି.ଡ଼ି.ୟୁ.-ଜି.କେ.ୱାଇରେ ପ୍ରଶିକ୍ଷଣ ନେଇ ନିଜ କର୍ମଜୀବନରେ ସଫଳତା ହାସଲ କରିଥିବା ଭେଷମତୀ ନାଏକଙ୍କ ଯାତ୍ରା ଓଡ଼ିଶା ସମେତ ସମଗ୍ର ଦେଶର ଗ୍ରାମୀଣ ଯୁବପିଢ଼ି ପାଇଁ ଏକ ପ୍ରେରଣା।

ତାଙ୍କର ଏହି ଯାତ୍ରା ପ୍ରମାଣ କରେ ଯେ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଓ ନିରନ୍ତର ପ୍ରୟାସ ଯୁବକ-ଯୁବତୀଙ୍କୁ ସାମାଜିକ ଓ ଆର୍ଥିକ ଆହ୍ୱାନକୁ ଅତିକ୍ରମ କରି ସ୍ୱାବଲମ୍ବନ ଦିଗରେ ଆଗେଇ ନେଇପାରେ। ରାଷ୍ଟ୍ରପତି ଭବନରେ ଆୟୋଜିତ ‘ଆଟ୍-ହୋମ୍’ ରିସେପସନ୍‌କୁ ତାଙ୍କର ଆମନ୍ତ୍ରଣ ଓଡ଼ିଶା ପାଇଁ ଗର୍ବର ବିଷୟ ହେବା ସହ ଓଡ଼ିଶା ସରକାର ଓ ଓରମାସର ସହଯୋଗରେ ଡ଼ି.ଡ଼ି.ୟୁ.-ଜି.କେ.ୱାଇର ସଫଳ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଷ୍ଟୋନ୍ ଭାବେ ପରିଗଣିତ ହୋଇଛି। ତାଙ୍କର ସଫଳତାର କାହାଣୀ ପ୍ରମାଣ କରେ ଯେ, ଦକ୍ଷତା ବିକାଶ ଗ୍ରାମୀଣ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି, ଆର୍ଥିକ ସଶକ୍ତିକରଣ ଓ ସମ୍ମାନଜନକ ଜୀବିକାର ନୂଆ ପଥ ସୃଷ୍ଟି କରିପାରେ।

Leave A Reply

Your email address will not be published.