ଗାଲେ: ଟେଷ୍ଟ କ୍ରିକେଟରେ ଏ ଭଳି କେତେକ ବ୍ୟାଟ୍ସମ୍ୟାନ ଅଛନ୍ତିି ଯେଉଁମାନେ ଦଳର ଆବଶ୍ୟକତା ଅନୁସାରେ ଭଲ ରନ ସଂଗ୍ରହ କରିଛନ୍ତି । ତେବେ ସେମାନେ ଶତକ ହାସଲରେ ଅଳ୍ପକେ ରହିଛନ୍ତି । ଆସନ୍ତୁ ଜାଣିବା ଏ ଭଳି କେତେକ ବ୍ୟାଟ୍ସମ୍ୟାନଙ୍କ ସମ୍ପର୍କରେ.. । ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଶ୍ରୀଲଙ୍କାର ନିରୋଷନ୍ ଡିକ୍ୱେଲା ଓ ସୋନଲ ଦିନୁଷାଙ୍କ ମଧ୍ୟରେ ୧୪୬ ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିଲା । ୯୦ ରନ୍ରେ ୫ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଦଳକୁ ଏହି ଯୋଡ଼ି ଉଦ୍ଧାର କରିଥିଲା । ଦିନୁଷା ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିବା ବେଳେ ଡିକ୍ୱେଲା ୮୦ ରନ୍ କରି ପ୍ରସିଦ୍ଧ କୃଷ୍ଣାଙ୍କ ବଲ୍ରେ ଆଉଟ୍ ହୋଇ ଶତକରୁ ବଞ୍ଚିତ ହୋଇଥିଲେ । ଏହି ଇନିଂସ ସହ ଟେଷ୍ଟ କ୍ରିକେଟ୍ ଇତିହାସରେ ଗୋଟିଏ ହେଲେ ବି ଶତକ ନ ସର୍ବାଧିକ ରନ୍ କରିଥିବା ବ୍ୟାଟରଙ୍କ ତାଲିକାରେ ଡିକ୍ୱେଲା ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଅଷ୍ଟ୍ରେଲିଆର ଦିବଂଗତ ସ୍ପିନର କିମ୍ବଦନ୍ତୀ ଶେନ୍ ୱାର୍ଣ୍ଣ ୧୯୯ଟି ଟେଷ୍ଟ ଇନିଂସରେ ୧୨ଟି ଅର୍ଦ୍ଧଶତକ ସହ ୩,୧୫୪ ରନ୍ କରି ଏହି ତାଲିକାର ଶୀର୍ଷରେ ଅଛନ୍ତି । ସେ ମାତ୍ର ୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇ ୯୯ ରନ୍ରେ ଆଉଟ୍ ହୋଇଥିଲେ । ଶ୍ରୀଲଙ୍କାର ନିରୋଷନ୍ ଡିକ୍ୱେଲା ଏହି ୱିକେଟକିପର-ବ୍ୟାଟରଙ୍କ ଟେଷ୍ଟ କ୍ରିକେଟରେ ଏପର୍ୟ୍ୟନ୍ତ ୨,୮୩୭ ରନ୍ ହୋଇସାରିଛି, କିନ୍ତୁ ସେ ଗୋଟିଏ ହେଲେ ବି ଶତକ ହାସଲ କରିପାରିନାହାନ୍ତି । ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ୯୬ ରନ୍ ରହିଛି । ଅଷ୍ଟ୍ରେଲିଆର ୩୬ ବର୍ଷୀୟ ଦ୍ରୁତ ବୋଲର୍ ମିଚେଲ୍ ଷ୍ଟାର୍କ ୧୫୬ଟି ଇନିଂସରେ ୨,୪୯୭ ରନ୍ ସଂଗ୍ରହ କରି ତୃତୀୟ ସ୍ଥାନରେ ଅଛନ୍ତି । ତାଙ୍କର ସର୍ବୋଚ୍ଚ ସ୍କୋର୍ ମଧ୍ୟ ୯୯ ରନ୍ ରହିଛି ।
