Latest Odisha News

BREAKING NEWS

ବିଜେପି ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ: ଅମିତ ମାଲବ୍ୟ ଏବଂ ତେଜସ୍ୱୀ ସୂର୍ଯ୍ୟଙ୍କୁ କାହିଁକି ହଟାଗଲା?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂତନ ଟିମ୍ ଘୋଷଣା ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ସାଂଗଠନିକ ଅଦଳବଦଳରେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଦଳର ଆଇଟି ସେଲ୍ ମୁଖ୍ୟ ଥିବା ଅମିତ ମାଲବ୍ୟ ଏବଂ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଫାୟାରବ୍ରାଣ୍ଡ୍ ନେତା ତେଜସ୍ୱୀ ସୂର୍ଯ୍ୟଙ୍କୁ ପଦରୁ ହଟାଇ ଦିଆଯାଇଛି।

ଅମିତ ମାଲବ୍ୟଙ୍କ ସ୍ଥାନରେ ଛତିଶଗଡ଼ର କେମେଷ୍ଟ୍ରି ପ୍ରଫେସର ତଥା ଶିକ୍ଷାବିତ୍ ଦୀପକ ମ୍ହାସ୍କେଙ୍କୁ ବିଜେପିର ନୂଆ ସୋସିଆଲ୍ ମିଡିଆ ବିଭାଗ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ନିକଟରେ ଜନ୍ତରମନ୍ତରଠାରେ ହୋଇଥିବା ‘ଜେନ୍-ଜି’ ଛାତ୍ର ଆନ୍ଦୋଳନ, ପେପର୍ ଲିକ୍ ବିବାଦ ଏବଂ ବେକାରୀ ସମସ୍ୟାକୁ ନେଇ ସରକାରଙ୍କ ବିରୋଧରେ ହୋଇଥିବା ପ୍ରଦର୍ଶନ ସମୟରେ ବିଜେପିର ଆଇଟି ସେଲ୍ ଉପଯୁକ୍ତ ଜବାବ ରଖିବାରେ ବିଫଳ ହୋଇଥିଲା। ସୋସିଆଲ୍ ମିଡିଆରେ ଦଳର ନ୍ୟାରେଟିଭ୍ ଦୁର୍ବଳ ପଡ଼ିଯିବାରୁ ମାଲବ୍ୟଙ୍କୁ ଏହି ପଦ ହରାଇବାକୁ ପଡ଼ିଲା ବୋଲି କୁହାଯାଉଛି।

ସେହିପରି, ଲୋକସଭା ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତି ପଦରୁ ବିଦା କରାଯାଇ ତାଙ୍କ ସ୍ଥାନରେ ଗୁଜରାଟର ଡକ୍ଟର ହେମାଙ୍ଗ ଯୋଶୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ଯୁବପିଢ଼ିଙ୍କ ଆନ୍ଦୋଳନ ସମୟରେ ଯୁବ ମୋର୍ଚ୍ଚା ଛାତ୍ରମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ବା ସରକାରଙ୍କ ପାଇଁ ଢାଲ ସାଜିବାରେ ବିଫଳ ହୋଇଥିବାରୁ ଦଳର ଶୀର୍ଷ ନେତୃତ୍ୱ ଏହି କଠୋର ନିଷ୍ପତ୍ତି ନେଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ତେଜସ୍ୱୀଙ୍କୁ ନୂଆ ଟିମ୍‌ରେ ଅନ୍ୟ କୌଣସି ପଦବୀ ମଧ୍ୟ ଦିଆଯାଇ ନାହିଁ।

ଅନ୍ୟପକ୍ଷରେ, ଦଳର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ବରିଷ୍ଠ ନେତା ରାମ ମାଧବଙ୍କୁ ଜାତୀୟ କମିଟିକୁ ଫେରାଇ ଆଣି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ନୂଆ ସଭାପତି ନୀତିନ ନବୀନଙ୍କ ଏହି ୬୪ ଜଣିଆ ରାଷ୍ଟ୍ରୀୟ ପଦାଧିକାରୀ ତାଲିକାରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ମୋଟ ୧୨ ଜଣ ମହିଳା ନେତ୍ରୀଙ୍କୁ ସାମିଲ କରାଯାଇଛି। ଛାତ୍ର ଓ ଯୁବଗୋଷ୍ଠୀଙ୍କ ସହ ପୁଣିଥରେ ସୁସମ୍ପର୍କ ସ୍ଥାପନ କରିବା ଏବଂ ଡିଜିଟାଲ୍ ଯୋଗାଯୋଗକୁ ଅଧିକ କ୍ରିୟାଶୀଳ କରିବା ଏହି ଅଦଳବଦଳର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିବେଚନା କରାଯାଉଛି।

Leave A Reply

Your email address will not be published.