ଗାଲେ: ଗାଲେ ଟେଷ୍ଟରେ ଶ୍ରୀଲଙ୍କାକୁ ୧୬୫ ରନର ବୃହତ ବ୍ୟବଧାନରେ ପରାସ୍ତ କରି ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଭାରତୀୟ ଦଳର ଏହା ୬୦୦ତମ ଐତିହାସିକ ଟେଷ୍ଟ ମ୍ୟାଚ୍ ଥିଲା । ୩୭୨ ରନର ପିଛା କରୁଥିବା ଶ୍ରୀଲଙ୍କା ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୨୦୬ ରନରେ ଅଲଆଉଟ୍ ହୋଇଯାଇଥିଲା । ମାନବ ସୁଥାରଙ୍କ ସ୍ପିନ୍ ଯାଦୁ୨୪ ବର୍ଷୀୟ ଯୁବ ସ୍ପିନର ମାନବ ସୁଥାର ଏହି ବିଜୟର ମୁଖ୍ୟ ନାୟକ ସାଜିଥିଲେ । ସେ ମ୍ୟାଚ୍ରେ ମୋଟ ୧୦ଟି ୱିକେଟ୍ ନେଇଥିଲେ । ଦ୍ୱିତୀୟ ଇନିଂସରେ ୫୫ ରନ୍ ଦେଇ ୬ଟି ୱିକେଟ୍ ହାସଲ କରିଥିବା ସୁଥାର ଶ୍ରୀଲଙ୍କାର ଶେଷ ୪ଟି ୱିକେଟ୍ ମାତ୍ର ୧୦ଟି ବଲ୍ରେ ନେଇ ଭାରତକୁ ବିଜୟୀ କରାଇଥିଲେ ।
ପ୍ରଥମ ଇନିଂସରେ ୧୬୭ ରନ୍ର ଦମଦାର ଶତକ ହାସଲ କରିଥିବା ଦେବଦତ୍ତ ପଡିକ୍କଲଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି । ରବୀନ୍ଦ୍ର ଜାଡେଜା ପ୍ରଥମ ଇନିଂସରେ ୩ଟି ୱିକେଟ୍ ନେବା ସହ ଦ୍ୱିତୀୟ ଇନିଂସରେ ସେଟ୍ ବ୍ୟାଟ୍ସମ୍ୟାନ୍ ଧନଞ୍ଜୟ ଡି ସିଲଭାଙ୍କୁ ଆଉଟ୍ କରି ୯୫ ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାଙ୍ଗିଥିଲେ । ଏହି ବିଜୟ ସହ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲରେ ୫୩.୩୩% ପଏଣ୍ଟ ସହ ୫ମ ସ୍ଥାନରେ ପହଞ୍ଚିଛି । ଭାରତ ଖେଳିଥିବା ୧୦ଟି ମ୍ୟାଚ୍ରୁ ୫ଟିରେ ବିଜୟ, ୪ଟିରେ ପରାଜୟ ଓ ୧ଟି ଡ୍ର ରଖି ମୋଟ ୬୪ ପଏଣ୍ଟ ହାସଲ କରିଛି । ଭାରତ ହାତରେ ଆହୁରି ୯ଟି ଟେଷ୍ଟ ମ୍ୟାଚ୍ ବାକି ଅଛି ।
ଭାରତ ପ୍ରଥମ ଇନିଂସ : ୪୬୨/୧୦(ଦେବଦତ୍ତ ପଡିକ୍କଲ-୧୬୭,ରାହୁଲ-୮୨, ଧ୍ରୁବ ଜୁରେଲ-୫୧, ପ୍ରଭାତ ଜୟସୂର୍ୟ୍ୟା: ୪/୧୦୯) । ଶ୍ରୀଲଙ୍କା: ୨୮୪/୧୦(ସୋନାଲ ଦିନୁଷା-୧୦୦, ନିରୋଶନ ଡିକ୍ୱେଲା- ୮୦, ମାନବ ସୁଥାର-୪/୭୬, ରବୀନ୍ଦ୍ର ଜାଡେଜା- ୩/୫୧) । ଭାରତ ଦ୍ୱିତୀୟ ଇନିଂସ-: ୧୯୩/୧୦(ରିଷଭ ପନ୍ତ- ୬୬, ଦେବଦତ୍ତ ପଡିକ୍କଲ- ୪୪, ରାହୁଲ- ୩୫, ପ୍ରଭାତ ଜୟସୂର୍ୟ୍ୟା- ୩/୪୩) । ଶ୍ରୀଲଙ୍କା: ୨୦୬/୧୦ (ବିଜୟ ଲକ୍ଷ୍ୟ: ୩୭୨ ରନ୍)(ସୋନାଲ ଦିନୁଷା- ୮୪, ଧନଞ୍ଜୟ ଡି ସିଲଭା-୫୯, ମାନବ ସୁଥାର- ୬/୫୫) । ବ୍ୟକ୍ତିଗତ ପୁରସ୍କାର: ପ୍ଲେୟାର ଅଫ୍ ଦି ମ୍ୟାଚ୍: ଦେବଦତ୍ତ ପଡିକ୍କଲ (୧୬୭ ଓ ୪୪ ରନ୍), ଶ୍ରେଷ୍ଠ ବୋଲର: ମାନବ ସୁଥାର (ମୋଟ ୧୦ ୱିକେଟ୍) ।

