Latest Odisha News

BREAKING NEWS

ମାନବ ସୁଥାର: ଭାରତୀୟ କ୍ରିକେଟ୍‌ର ନୂଆ ସ୍ପିନ୍ ତାରକା

ଗାଲେ: ଭାରତର ୬୦୦ତମ ଟେଷ୍ଟ ମ୍ୟାଚ୍‌ରେ ଚମକିଲେ ନୂଆ ସ୍ପିନ୍ ତାରକା …ନରେନ୍ଦ୍ର ହିରୱାନୀ ଓ ଅକ୍ଷର ପଟେଲଙ୍କ ସ୍ୱତନ୍ତ୍ର କ୍ଲବରେ ସ୍ଥାନ ପାଇଲେ ମାନବ ସୁଥାର । ଭାରତୀୟ କ୍ରିକେଟ ଦଳ ଐତିହାସିକ ୬୦୦ତମ ଟେଷ୍ଟ ମ୍ୟାଚ୍‌କୁ ଏକ ସ୍ମରଣୀୟ ବିଜୟ ସହ ପାଳନ କରିଛି । ଶ୍ରୀଲଙ୍କା ବିପକ୍ଷ  ଟେଷ୍ଟରେ ଭାରତୀୟ ଦଳ ୧୬୫ ରନ୍‌ର ବିଶାଳ ବ୍ୟବଧାନରେ ବିଜୟୀ ହୋଇ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି । ଏହି ବିଜୟର ମୁଖ୍ୟ ନାୟକ ସାଜିଛନ୍ତି ୨୪ ବର୍ଷୀୟ ବାମହାତୀ ସ୍ପିନର ମାନବ ସୁଥାର । ରାଜସ୍ଥାନର ଶ୍ରୀ ଗଙ୍ଗାନଗରରୁ ଆସିଥିବା ମାନବ ସୁଥାର (୨୪ ବର୍ଷୀୟ) ବାମହାତୀ ସ୍ଲୋ-ଅର୍ଥୋଡକ୍ସ ସ୍ପିନର ଭାବେ ଭାରତୀୟ ଟେଷ୍ଟ ଦଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ସେ ଘରୋଇ କ୍ରିକେଟ୍‌ରେ ରାଜସ୍ଥାନ ଦଳର ପ୍ରତିନିଧିତ୍ୱ କରନ୍ତି ଏବଂ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଖେଳନ୍ତି ।  ଜୁନ୍ ୨୦୨୬ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ସେ ନିଜର ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ନିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ସେ ମୋଟ ୧୭ଟି ୱିକେଟ୍ ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଭାରତର ଐତିହାସିକ ୬୦୦ତମ ଟେଷ୍ଟ (ଶ୍ରୀଲଙ୍କା ବିପକ୍ଷ)ରେ ସେ ମୋଟ ୧୦ଟି ୱିକେଟ୍ (୪/୭୬ ଓ ୬/୫୫) ନେଇ ଭାରତକୁ ବିଶାଳ ବିଜୟ ଦେଇଥିଲେ ।  ନରେନ୍ଦ୍ର ହିରୱାନୀ, ଲକ୍ଷ୍ମଣ ଶିବରାମକୃଷ୍ଣନ୍ ଏବଂ ଅକ୍ଷର ପଟେଲଙ୍କ ପରେ ନିଜ କ୍ୟାରିୟରର ପ୍ରଥମ ଦୁଇଟି ଟେଷ୍ଟ ମଧ୍ୟରେ ୧୦-ୱିକେଟ୍ ହଲ୍ ହାସଲ କରିବାରେ ସେ ଚତୁର୍ଥ ଭାରତୀୟ ହୋଇଛନ୍ତି ।

ସୁଥାରଙ୍କ ନିୟନ୍ତ୍ରିତ ସ୍ପିନ୍ ଏବଂ ବାମହାତୀ ଆକ୍ସନ୍ ପାଇଁ ତାଙ୍କୁ ଭବିଷ୍ୟତରେ ରବୀନ୍ଦ୍ର ଜାଡେଜାଙ୍କର ଏକ ମଜବୁତ ବିକଳ୍ପ ଭାବେ ଦେଖାଯାଉଛି । ମ୍ୟାଚ୍ କଥା ବିଚାର କଲେ, ଭାରତ ଶ୍ରୀଲଙ୍କା ଆଗରେ ୩୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ପଞ୍ଚମ ତଥା ଅନ୍ତିମ ଦିନରେ ଶ୍ରୀଲଙ୍କା ଦଳ ଦ୍ୱିତୀୟ ଇନିଂସରେ ୨୦୬ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ପ୍ରଥମ ଇନିଂସରେ ଦେବଦତ୍ତ ପଡିକଲଙ୍କ ୧୬୭ ରନ୍‌ର ଆକର୍ଷଣୀୟ ଶତକ ଏବଂ ମାନବ ସୁଥାରଙ୍କ ପ୍ରଥମ ଇନିଂସର ୪ଟି ୱିକେଟ ଭାରତକୁ ଏକ ବଡ଼ ଅଗ୍ରଣୀ ଦେଇଥିଲା ।  ଶ୍ରୀଲଙ୍କା ପକ୍ଷରୁ ସୋନାଲ ଦିନୁଷା (୮୪) ଏବଂ ଅଧିନାୟକ ଧନଞ୍ଜୟ ଡି’ସିଲଭା (୫୯) କିଛି ସମୟ ଲଢ଼େଇ କରିଥିଲେ ମଧ୍ୟ ସୁଥାରଙ୍କ ସ୍ପିନ୍ ଆଗରେ ପଛଧାଡ଼ିର ବ୍ୟାଟ୍ସର ମାନେ ଆତ୍ମସମର୍ପଣ କରିଥିଲେ। ସୁଥାର ମାତ୍ର ୭ ରନ୍‌ରେ ଶେଷ ୪ଟି ୱିକେଟ୍ ନେଇ ଶ୍ରୀଲଙ୍କାର ବିପର‌୍ୟ୍ୟୟ ଘଟାଇଥିଲେ । ପ୍ରଥମ ଟେଷ୍ଟରେ ଏହି ବିଜୟ ଭାରତକୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲରେ ଆହୁରି ମଜବୁତ କରିଛି ।

Leave A Reply

Your email address will not be published.