ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନଲାଇନ୍ କ୍ୟାବ୍ ଏବଂ ବାଇକ୍-ଟ୍ୟାକ୍ସି ଚାଳକଙ୍କ ଆନ୍ଦୋଳନ ବୁଧବାର ଦିନ ଏକ ଉଗ୍ର ରୂପ ନେଇଛି । ଓଲା, ଉବେର ଏବଂ ରାପିଡୋ ଭଳି ଆପ୍-ଭିତ୍ତିକ ସେବା ଯୋଗାଉଥିବା କମ୍ପାନୀର ଶତାଧିକ ଡ୍ରାଇଭର ନିଜର ପ୍ରାପ୍ୟ ବୃଦ୍ଧି ଏବଂ ସାମାଜିକ ସୁରକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇ ଲଙ୍କାକାଣ୍ଡ ଘଟାଇଛନ୍ତି । ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ଉତ୍ତ୍ୟକ୍ତ ହୋଇ ପୋଲିସ ଉପରକୁ ଟେକାପଥର ମାଡ଼ କରିଛନ୍ତି । ଏହି ବ୍ୟାପକ ହିଂସାକାଣ୍ଡ ପରେ କମିଶନରେଟ୍ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରି ଆଇନ ଶୃଙ୍ଖଳା ବିପନ୍ନ କରିଥିବା ଅଭିଯୋଗରେ ପ୍ରାୟ ୫୦ ଜଣ ଡ୍ରାଇଭରଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଗତ ତିନି ଦିନ ଧରି ରାଜଧାନୀରେ ଡ୍ରାଇଭରମାନେ ସେମାନଙ୍କର ଦାବିପତ୍ର ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ତେବେ ବୁଧବାର ସକାଳେ ଲୋୟର ପିଏମଜି ଏବଂ ମାଷ୍ଟର କ୍ୟାଣ୍ଟିନ୍ ଛକ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା । ଆନ୍ଦୋଳନକାରୀ ଓ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଡ୍ରାଇଭରମାନେ ଏକାଧିକ ସରକାରୀ ‘ଆମ ବସ୍’କୁ ଟାର୍ଗେଟ୍ କରି ଆକ୍ରମଣ କରିଥିଲେ, ଯେଉଁଥିରେ ପ୍ରାୟ ୧୪ଟି ବସ୍ର କାଚ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି । ହଠାତ୍ ରାସ୍ତାରୋକ ଏବଂ ଟ୍ରାଫିକ୍ ଜାମ୍ ଯୋଗୁଁ ରେଳ ଷ୍ଟେସନ ଏବଂ ବିମାନବନ୍ଦର ଯାଉଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବିନା କ୍ୟାବ୍ ଓ ଅଟୋ ସେବାରେ ସାଧାରଣ ଯାତ୍ରୀ ରାସ୍ତାରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି।
ସ୍ଥିତି ବିଗିଡ଼ିବାରୁ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଘଟଣାସ୍ଥଳରେ ପହଞ୍ଚି କଡ଼ା ଚେତାବନୀ ଦେଇଥିଲେ । ଡିସିପି ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆଇନ ହାତକୁ ନେଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯିବା ସହ ସେମାନଙ୍କ ଗାଡ଼ି ସିଜ୍ କରାଯିବ । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଏହି ଡ୍ରାଇଭରମାନେ ଘରୋଇ କମ୍ପାନୀ ସହ ଚୁକ୍ତିବଦ୍ଧ ହୋଇ କାମ କରୁଛନ୍ତି; ତେଣୁ ସେମାନଙ୍କ ପାରିଶ୍ରମିକ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ କରିବାର କ୍ଷମତା ସୀମିତ ।
ଆନ୍ଦୋଳନକାରୀଙ୍କୁ କେବଳ ଗୋଟିଏ ଦିନ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବାକୁ ଅନୁମତି ମିଳିଥିଲା, ମାତ୍ର ସେମାନେ ଜାଣିଶୁଣି ବେଆଇନ ଭାବେ ସର୍ବସାଧାରଣଙ୍କୁ ହଇରାଣ କରୁଥିବାରୁ ପୋଲିସ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୫୦ ଜଣଙ୍କ ଗିରଫଦାରୀ ପରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୋଲିସ ପକ୍ଷରୁ କୁହାଯାଇଛି।

