Latest Odisha News

BREAKING NEWS

Dowry-free Odisha:’ଯୌତୁକ ମୁକ୍ତ ଓଡ଼ିଶା ଏବଂ ଘରୋଇ ହିଂସାମୁକ୍ତ ଘର ଗଠନ ସରକାରଙ୍କ ଲକ୍ଷ୍ୟ’

ଭୁବନେଶ୍ୱର:’ଘରୋଇ ହିଂସା ମହିଳା ସୁରକ୍ଷା ଆଇନ’ (PWDVA) ଏବଂ ‘ଯୌତୁକ ନିରୋଧ ଆଇନ’ ଉପରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଆଞ୍ଚଳିକ ତଥା ରାଜ୍ୟସ୍ତରୀୟ ଅଧିକାରୀମାନେ ଯୋଗଦେଇ ମହିଳାମାନଙ୍କ ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ଆଲୋଚନା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,”ଯେତେବେଳେ ମହିଳାମାନେ ନିଜର ଅଧିକାର ବିଷୟରେ ସଚେତନ ହେବେ, ସେତେବେଳେ ସେମାନେ ସଶକ୍ତ ହୋଇପାରିବେ । ହିଂସା, ଭେଦଭାବ ଏବଂ ଯୌତୁକ ସମ୍ବନ୍ଧୀୟ ପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆଇନଗତ ଅଧିକାର ଏବଂ ଉପଲବ୍ଧ ସହାୟତା ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ।”

ଯୌତୁକମୁକ୍ତ ଓଡ଼ିଶା ଏବଂ ଘରୋଇ ହିଂସାମୁକ୍ତ ଘର ଗଠନ କରିବା ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ କେବଳ କଠୋର ଆଇନ ନୁହେଁ, ବରଂ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା, ତୃଣମୂଳ ସ୍ତରରେ ସଚେତନତା ଏବଂ ସମସ୍ତ ଅଂଶୀଦାରଙ୍କ ମିଳିତ ସହଯୋଗ ଆବଶ୍ୟକ। ଘରୋଇ ହିଂସା କିମ୍ବା ଯୌତୁକ ନିର୍ଯାତନାର ସମ୍ମୁଖୀନ ହେଉଥିବା ମହିଳା ମାନଙ୍କୁ ଯେପରି ସମୟସୀମା ମଧ୍ୟରେ ସୁରକ୍ଷା, ଆଇନଗତ ସହାୟତା, ପରାମର୍ଶ ଏବଂ ଅନ୍ୟାନ୍ୟ ପ୍ରସଙ୍ଗିକ ସହାୟତା ମିଳିପାରିବ, ତାହା ସୁନିଶ୍ଚିତ କରିବାକୁ ସେ ଅଧିକାରୀ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ କରିଛନ୍ତି ।

ଏହି ତାଲିମ ଶିବିରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା । ଲିଙ୍ଗଗତ ବୈଷମ୍ୟ, ଘରୋଇ ହିଂସାର କାରଣ ଓ ଏହାର ପରିବାର ଉପରେ କୁପ୍ରଭାବ ସମ୍ପର୍କରେ ଲିଙ୍ଗଗତ ବିଶେଷଜ୍ଞ ବିରାଜ ଲକ୍ଷ୍ମୀ ସାରଙ୍ଗୀ ନିଜର ମତ ରଖିଥିଲେ । ସେହିପରି, ପୀଡ଼ିତାମାନଙ୍କ ସହାୟତା ପାଇଁ ‘ୱାନ୍ ଷ୍ଟପ୍ ସେଣ୍ଟର’, ‘ୱୁମେନ୍ ହେଲ୍ପଲାଇନ୍’ ଏବଂ ‘ଫ୍ୟାମିଲି ଆଡଭାଇଜରୀ ସେଣ୍ଟର’ର ଭୂମିକା ସମ୍ପର୍କରେ UNFPA ର କନ୍‌ସଲଟାଣ୍ଟ ପୀତାମ୍ବର ସାହୁ ଏବଂ ଝରଣା ସ୍ୱାଇଁ ଆଲୋକପାତ କରିଛନ୍ତି ।

ଲିଗାଲ୍ ଏକ୍ସପର୍ଟ ନବୀନ ମହାପାତ୍ର, ସୁପ୍ରିମ୍ କୋର୍ଟ ଏବଂ ହାଇକୋର୍ଟଙ୍କ ପ୍ରମୁଖ ରାୟଗୁଡ଼ିକ ବିଷୟରେ ବୁଝାଇବା ସହ ସୁରକ୍ଷା ଅଧିକାରୀ (Protection Officers) ମାନଙ୍କର ଦାୟିତ୍ୱ ବିଷୟରେ ଆଲୋଚନା କରିଥିଲେ। ମହିଳାମାନଙ୍କୁ ସୁରକ୍ଷା ଯୋଗାଇଦେବା ଏବଂ ସମାଜରୁ ଯୌତୁକ ପ୍ରଥା ଦୂର କରିବା ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇଛି ।


 

 

 

Leave A Reply

Your email address will not be published.