Latest Odisha News

BREAKING NEWS

Sugar Prices: କାହିଁକି ଉପରମୁହାଁ ଚିନି ଦର? ୬୦ ଛୁଇଁଲାଣି କିଲୋ! ସରକାର କହିଲେ ପ୍ରକୃତ କାରଣ…

ନୂଆଦିଲ୍ଲୀ: ଚା’ରେ ଚିନି ଟିକେ ଅଧିକ ପଡ଼ିଲେ ଏବେ ପକେଟ୍‌ ଉପରେ ବି ପ୍ରଭାବ ପଡ଼ୁଛି। ଗତ ଏକ ମାସ ମଧ୍ୟରେ ଦେଶରେ ଚିନି ଦରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। କିଲୋ ପିଛା ହାରାହାରି ଖୁଚୁରା ଦର ୪୮.୧୮ ଟଙ୍କାରୁ ବଢ଼ି ୫୫.୭୦ ଟଙ୍କାରେ ପହଞ୍ଚିଛି। ରାଜ୍ୟରେ ତ ଚିନି ଦର ୬୦ ଟଙ୍କାରେ ବି ବିକ୍ରି ହେଉଛି । ତେବେ ଚିନି ଦର ବଢ଼ିବା ପଛରେ ଇଥାନଲ ଉତ୍ପାଦନ ପାଇଁ ଚିନି ବ୍ୟବହାର ହେବା ଦାୟୀ ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହାକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି।

ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି, ବର୍ତ୍ତମାନର ଚିନି ଦର ବୃଦ୍ଧିକୁ ଇଥାନଲ ଉତ୍ପାଦନ ସହ ଯୋଡ଼ିବା ଠିକ୍ ନୁହେଁ। ଚିନି ଉତ୍ପାଦନ କମିବା, ପର୍ବପର୍ବାଣୀ ପୂର୍ବରୁ ଚାହିଦା ବଢ଼ିବା, ପାଣିପାଗ ଯୋଗୁଁ ଆଖୁ ଫସଲ କ୍ଷତି, ବିଶ୍ୱ ବଜାରରେ ଯୋଗାଣ କମିବା ସହ କିଛି ବ୍ୟବସାୟୀଙ୍କ ଦ୍ୱାରା ଷ୍ଟକ୍ ଜମା କରି ରଖିବା ଭଳି କାରଣ ଦରବୃଦ୍ଧି ପଛରେ ରହିଛି।

ସରକାରୀ ତଥ୍ୟ ଅନୁସାରେ, ଜୁଲାଇ ୨୦ରେ ଦେଶରେ ଚିନିର ହାରାହାରି ଖୁଚୁରା ଦର କିଲୋ ପିଛା ୪୮.୧୮ ଟଙ୍କା ଥିଲା। ଅଗଷ୍ଟ ୨୦ରେ ଏହା ବଢ଼ି ୫୫.୭୦ ଟଙ୍କା ହୋଇଛି। ଅର୍ଥାତ୍ ମାସକ ମଧ୍ୟରେ କିଲୋ ପିଛା ଦରରେ ପ୍ରାୟ ୭.୫୨ ଟଙ୍କା ବୃଦ୍ଧି ହୋଇଛି। ଆଗକୁ ପର୍ବପର୍ବାଣୀ ଋତୁ ଆସୁଥିବାରୁ ଚିନିର ଚାହିଦା ଆହୁରି ବଢ଼ିପାରେ। ଏହା ସହିତ ଯୋଗାଣ କମ୍ ରହିଲେ ଦର ଉପରେ ଚାପ ଆହୁରି ବଢ଼ିବା ଆଶଙ୍କା ରହିଛି।

ଇଥାନଲ ଉତ୍ପାଦନ ପାଇଁ ଚିନି ଡାଇଭର୍ଟ ହେଉଥିବାରୁ ବଜାରରେ ଚିନି କମିଯାଇ ଦର ବଢ଼ୁଛି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ କେନ୍ଦ୍ର ସରକାର ଏହି ଯୁକ୍ତିକୁ ମାନିନାହାନ୍ତି। ସରକାର କହିଛି, ଇଥାନଲ ଉତ୍ପାଦନ ପାଇଁ ବ୍ୟବହୃତ ଚିନିର ଅଂଶ ବରଂ ଗତ କିଛି ବର୍ଷରେ କମିଛି। ୨୦୨୨-୨୩ରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ପାଇଁ ପ୍ରାୟ ୧୨% ଚିନି ଡାଇଭର୍ଟ ହେଉଥିଲା, ଯାହା ୨୦୨୫-୨୬ରେ ପ୍ରାୟ ୯%କୁ ଖସିଛି। ଏହାଛଡ଼ା ଇଥାନଲ ଉତ୍ପାଦନରେ ଏବେ ଚିନି ଅପେକ୍ଷା ଶସ୍ୟର ବ୍ୟବହାର ବଢ଼ିଛି। ସରକାରଙ୍କ ଅନୁସାରେ, ଭାରତର ଇଥାନଲ ଉତ୍ପାଦନର ପ୍ରାୟ ତିନି-ଚତୁର୍ଥାଂଶ ଏବେ ଶସ୍ୟ, ବିଶେଷକରି ମକାରୁ ଆସୁଛି।

ଚଳିତ ଋତୁରେ ଦେଶର ଚିନି ଉତ୍ପାଦନ ପ୍ରାୟ ୩୦.୬ ନିୟୁତ ଟନ୍ ହେବ ବୋଲି ସରକାର ଆକଳନ କରୁଛନ୍ତି। ଏହା ଆଖୁ ଚାଷ କରୁଥିବା ରାଜ୍ୟଗୁଡ଼ିକର ପ୍ରାରମ୍ଭିକ ଆକଳନ ୩୪.୩ ନିୟୁତ ଟନରୁ ବହୁତ କମ୍ । ଏହି ଉତ୍ପାଦନ ହ୍ରାସ ପଛରେ ଆଖୁ ଫସଲରେ ଦେଖାଦେଇଥିବା ରେଡ୍ ରଟ୍ ଓ ଟପ୍ ବୋରର୍ ଭଳି ରୋଗର ପ୍ରଭାବ ରହିଛି। ଏହାସହ ଅତ୍ୟଧିକ ବର୍ଷା ଓ ଜମିରେ ପାଣି ଜମି ରହିବା ଯୋଗୁଁ ମଧ୍ୟ ଫସଲ କ୍ଷତିଗ୍ରସ୍ତ ହୋଇଛି। ତେବେ ଉତ୍ପାଦନ କମିଥିଲେ ମଧ୍ୟ ଦେଶରେ ଥିବା ଚିନି ଷ୍ଟକ୍ ନୂଆ ଚିନିକଳ ଋତୁ ଅର୍ଥାତ୍ ଅକ୍ଟୋବର ପର୍ଯ୍ୟନ୍ତ ଘରୋଇ ଚାହିଦା ପୂରଣ କରିପାରିବ ବୋଲି ସରକାର କହିଛି। ଏଥିସହିତ ଚିନି ଦର ଆହୁରି ବଢ଼ିବା ରୋକିବା ଏବଂ ବଜାରରେ ପର୍ଯ୍ୟାପ୍ତ ଚିନି ଉପଲବ୍ଧ ରଖିବା ପାଇଁ କେନ୍ଦ୍ର ସରକାର ଷ୍ଟକ୍ ଲିମିଟ୍ ଲାଗୁ କରିଛନ୍ତି। ଦେଶର ଚିନି ବ୍ୟବସାୟୀମାନେ ସର୍ବାଧିକ ୪୦୦ ଟନ୍ ଚିନି ଷ୍ଟକ୍ ରଖିପାରିବେ। ଏହି ନିୟମ ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ। ଏହାଛଡ଼ା ବଲ୍କ୍ ଉପଭୋକ୍ତାମାନେ ସେପ୍ଟେମ୍ବର ୧ରୁ ନିଜର ୧୫ ଦିନର ଆବଶ୍ୟକତାଠାରୁ ଅଧିକ ଚିନି ଷ୍ଟକ୍ ରଖିପାରିବେ ନାହିଁ।

ଘରୋଇ ବଜାରରେ ଯୋଗାଣ ବଢ଼ାଇବା ପାଇଁ କେନ୍ଦ୍ର ସରକାର ୧୦ ଲକ୍ଷ ଟନ୍ କଞ୍ଚା ଚିନି ଶୁଳ୍କମୁକ୍ତ ଆମଦାନିକୁ ଅନୁମତି ଦେଇଛନ୍ତି। ଏହା ଦେଶରେ ଚିନିର ଉପଲବ୍ଧତା ବଢ଼ାଇ ଦର ଉପରେ ଚାପ କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହା ସହ ଚିନିକଳ ଗୁଡ଼ିକରେ ମହଜୁଦ ଥିବା ଚିନିର ଭୌତିକ ଯାଞ୍ଚ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ନେଇ ମିଳିତ ଟିମ୍ ଗଠନ କରାଯାଇଛି। କୃତ୍ରିମ ଅଭାବ ସୃଷ୍ଟି କରିବା ପାଇଁ କେହି ଚିନି ଲୁଚାଇ ରଖିଛି କି ନାହିଁ, ତାହା ଯାଞ୍ଚ କରାଯିବ।

ସରକାରଙ୍କ ଯୁକ୍ତି ହେଉଛି, ଇଥାନଲ କାର୍ଯ୍ୟକ୍ରମ କେବଳ ଚିନିକୁ ବଜାରରୁ ହଟାଇବାର ଏକ ମାଧ୍ୟମ ନୁହେଁ; ଏହା ଚିନି ଶିଳ୍ପର ଏକ ପୁରୁଣା ସମସ୍ୟାର ସମାଧାନରେ ସହାୟକ ହୋଇଛି। ଭାରତରେ ସାଧାରଣତଃ ପ୍ରତିବର୍ଷ ୩୨ରୁ ୩୪ ନିୟୁତ ଟନ୍ ଚିନି ଉତ୍ପାଦନ ହୁଏ, ଯେତେବେଳେ ଘରୋଇ ଚାହିଦା ପ୍ରାୟ ୨୮ରୁ ୨୯ ନିୟୁତ ଟନ୍। ଭଲ ଉତ୍ପାଦନ ହେଲେ ଚାହିଦାଠାରୁ ଅଧିକ ଚିନି ଉତ୍ପାଦନ ହୋଇ ବଡ଼ ଷ୍ଟକ୍ ଜମା ହୋଇଯାଏ। ଏଥିରେ ଚିନିକଳର ପୁଞ୍ଜି ଅଟକି ରହିବା ସହ ଆଖୁ ଚାଷୀଙ୍କୁ ସମୟରେ ଟଙ୍କା ଦେବା ନେଇ ସମସ୍ୟା ସୃଷ୍ଟି ହୋଇପାରେ। ସରକାରଙ୍କ ଅନୁସାରେ, ଇଥାନଲ କାର୍ଯ୍ୟକ୍ରମ ଏହି ଅତିରିକ୍ତ ଚିନିର କିଛି ଅଂଶକୁ ବ୍ୟବହାର କରିବାର ଅନ୍ୟ ଏକ ବଜାର ସୃଷ୍ଟି କରିଛି। ଫଳରେ ଚିନିକଳଗୁଡ଼ିକର ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆଖୁ ଚାଷୀଙ୍କୁ ସମୟରେ ଟଙ୍କା ପ୍ରଦାନ କରିବାରେ ସହାୟତା ମିଳୁଛି।

ଏବେ ସରକାର ଚିନି ଷ୍ଟକ୍ ଉପରେ ସୀମା ଲଗାଇବା ସହ ୧୦ ଲକ୍ଷ ଟନ୍ କଞ୍ଚା ଚିନି ଶୁଳ୍କମୁକ୍ତ ଆମଦାନିକୁ ଅନୁମତି ଦେଇଛି। ତେଣୁ ବଜାରରେ ଯୋଗାଣ ବଢ଼ିଲେ ଦର ଉପରେ ଚାପ କମିବାର ଆଶା ରହିଛି। ତେବେ ଆଗାମୀ ଦିନରେ ପର୍ବପର୍ବାଣୀର ଚାହିଦା, ଦେଶୀୟ ଉତ୍ପାଦନ ଓ ବଜାରରେ ଷ୍ଟକ୍‌ର ସ୍ଥିତି ଉପରେ ଚିନି ଦରର ଗତି ନିର୍ଭର କରିବ।

Leave A Reply

Your email address will not be published.