ନୂଆପଡ଼ା: ଖଡ଼ିଆଳ ବନବିଭାଗକୁ ପୁଣି ବଡ଼ ସଫଳତା। ବଜ୍ରକାପ୍ତା ଚୋରାଚାଲାଣ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନବିଭାଗ ମିଳିତ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିଛି। ବିଶେଷ ସୂତ୍ରରୁ ବଜ୍ରକାପ୍ତା ଚୋରାଚାଲାଣ ସମ୍ପର୍କରେ ଖବର ପାଇ ଖଡ଼ିଆଳ ଓ ଛତିଶଗଡ଼ ବନବିଭାଗର କର୍ମଚାରୀମାନେ ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ ପଲମା ଗାଁ ଝରାନାଳା ନିକଟରେ ମିଳିତ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ଚୋରାଚାଲାଣ ଡିଲ୍ରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ବନବିଭାଗ କାବୁ କରିଥିଲା। ସେମାନଙ୍କ ନିକଟରୁ ପ୍ରାୟ ୭ କେଜି ଓଜନର ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଉଦ୍ଧାର ବଜ୍ରକାପ୍ତାକୁ ବନବିଭାଗ ନିଜ ହେପାଜତରେ ନେଇଛି। ଏହି ଘଟଣାରେ ଖଡ଼ିଆଳ ବନବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ସ୍ଥାନୀୟ ପଲମାର ଦୁଇ ଜଣ ହୋଇଥିବା ବେଳେ ଛତିଶଗଡର ଜଣେ ବ୍ୟକ୍ତି ହୋଇଥିବା ଜଣାପଡିଛି l ବଜ୍ରକାପ୍ତା ଚୋରାଚାଲାଣ ରାକେଟ୍ରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ଅଧିକ ତଦନ୍ତ ଜାରି ରହିଛି। ଏନେଇ ଖଡ଼ିଆଳ ଡିଏଫ୍ଓ ଅଜିଜ ଖାନ୍ ସୂଚନା ଦେଇଛନ୍ତି।

