Latest Odisha News

BREAKING NEWS

ଆକାଶରେ ଉଡ଼ୁଥିବା ବେଳେ ବଢ଼ୁଛି କର୍କଟ ରୋଗର ଆଶଙ୍କା, ପାଇଲଟ୍‌ମାନଙ୍କୁ ସର୍ବାଧିକ ବିପଦ!

ନୂଆଦିଲ୍ଲୀ: ଆକାଶରେ ହଜାର ହଜାର ଘଣ୍ଟା ଅତିବାହିତ କରୁଥିବା ପାଇଲଟ୍ ଏବଂ ଫ୍ଲାଇଟ୍ ଆଟେଣ୍ଡାଣ୍ଟ (ଏୟାର୍ ହୋଷ୍ଟେସ୍) ମାନଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ହାର୍ଭାର୍ଡ ମେଡିକାଲ ସ୍କୁଲର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ୫୦୦ରୁ ଅଧିକ ବିଭିନ୍ନ ପେସାର ଲୋକଙ୍କ ତୁଳନାରେ ବିମାନ କର୍ମଚାରୀମାନଙ୍କ ଠାରେ ରେଡିଏସନ୍ (ବିକିରଣ) ଜନିତ କର୍କଟ ରୋଗରେ ମୃତ୍ୟୁ ହେବାର ଆଶଙ୍କା ସର୍ବାଧିକ ରହିଛି ।

‘JAMA ଇଣ୍ଟରନାଲ୍ ମେଡିସିନ୍’ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ପାଇଁ ଗବେଷକମାନେ ୨୦୨୦ରୁ ୨୦୨୪ ମଧ୍ୟରେ ଆମେରିକାରେ ହୋଇଥିବା ପ୍ରାୟ ୧ କୋଟି ୨୭ ଲକ୍ଷ ମୃତ୍ୟୁ ପ୍ରମାଣପତ୍ରର ତଥ୍ୟକୁ ବିଶ୍ଳେଷଣ କରିଥିଲେ । ଏଥିରେ ୫୦୩ ପ୍ରକାରର ପେସାକୁ ସାମିଲ କରାଯାଇଥିଲା । ଗବେଷଣାରୁ ଜଣାପଡିଛି ଯେ, ଅନ୍ୟ ପେସା ତୁଳନାରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ ଠାରେ ରେଡିଏସନ୍-ଜଡିତ କର୍କଟରୁ ମୃତ୍ୟୁ ଆଶଙ୍କା ପ୍ରାୟ ୫୦ ପ୍ରତିଶତ ଅଧିକ ଥିବା ବେଳେ, ପାଇଲଟ୍‌ମାନଙ୍କ କ୍ଷେତ୍ରରେ ଏହା ୩୬ ପ୍ରତିଶତ ଅଧିକ। ଏହି ତାଲିକାରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ପ୍ରଥମ ସ୍ଥାନରେ ଏବଂ ପାଇଲଟ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏପରିକି ନ୍ୟୁକ୍ଲିୟର ମେଡିସିନ୍ ବିଭାଗରେ କାମ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ମଧ୍ୟ ବିମାନ କର୍ମଚାରୀଙ୍କ ବିପଦ ଅଧିକ ଥିବା ଦେଖାଯାଇଛି ।

ଏହି ବିପଦର ମୁଖ୍ୟ କାରଣ ଭାବରେ ‘କସ୍ମିକ୍ ରେଡିଏସନ୍’ ବା ମହାଜାଗତିକ ବିକିରଣକୁ ଦର୍ଶାଯାଇଛି । ପୃଥିବୀର ବାୟୁମଣ୍ଡଳ ଆମକୁ ମହାକାଶରୁ ଆସୁଥିବା କ୍ଷତିକାରକ ରଶ୍ମିରୁ ରକ୍ଷା କରେ, କିନ୍ତୁ ବିମାନ ଯେତେ ଅଧିକ ଉଚ୍ଚତାରେ ଉଡ଼େ, ଏହି ସୁରକ୍ଷା କବଚ ସେତେ ଦୁର୍ବଳ ହୋଇଯାଏ। ପାଇଲଟ୍ ଓ ଏୟାର୍ ହୋଷ୍ଟେସ୍‌ମାନେ ନିଜ କ୍ୟାରିୟରରେ ଅଧିକାଂଶ ସମୟ ଏହି ଉଚ୍ଚତାରେ ବିତାଉଥିବାରୁ, ସେମାନେ ଅଧିକ ପରିମାଣରେ କସ୍ମିକ୍ ରେଡିଏସନ୍‌ର ଶିକାର ହୋଇଥାନ୍ତି । ଅନୁମାନ କରାଯାଏ ଯେ ଜଣେ ସାଧାରଣ ଯାତ୍ରୀଙ୍କ ତୁଳନାରେ ବିମାନ କର୍ମଚାରୀମାନେ ବାର୍ଷିକ ଯଥେଷ୍ଟ ଅଧିକ ବିକିରଣର ସମ୍ମୁଖୀନ ହୁଅନ୍ତି ।

ତେବେ, ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ କେବଳ କସ୍ମିକ୍ ରେଡିଏସନ୍ ନୁହେଁ, ଅନିୟମିତ ସମୟରେ ଡ୍ୟୁଟି, ରାତି ଅନିଦ୍ରା, ଏବଂ ଶରୀରର ସ୍ୱାଭାବିକ ‘ବାୟୋଲୋଜିକାଲ୍ କ୍ଲକ୍’ରେ ପରିବର୍ତ୍ତନ ମଧ୍ୟ କର୍କଟ ରୋଗର ଆଶଙ୍କା ବଢ଼ାଇବାର ଅନ୍ୟତମ କାରଣ ହୋଇପାରେ । ସମସ୍ତ ବିମାନ କର୍ମଚାରୀ ଏହି ରୋଗରେ ଆକ୍ରାନ୍ତ ହେବେ ବୋଲି ନୁହେଁ, କିନ୍ତୁ ସେମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ଏବଂ ମନିଟରିଂ ବ୍ୟବସ୍ଥାର ଆବଶ୍ୟକତା ଉପରେ ଏହି ରିପୋର୍ଟ ଜୋର୍ ଦେଇଛି ।

Leave A Reply

Your email address will not be published.