Latest Odisha News

BREAKING NEWS

ନୂଆ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ଢାକାର ସଂକେତ, ଭାରତ ପାଇଁ ବଢ଼ିଲା ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ/ଢାକା: ଭାରତର ପୂର୍ବ ସୀମାନ୍ତରେ ଏବେ ଏକ ନୂଆ ପ୍ରତିରକ୍ଷା ସମୀକରଣର ସୂତ୍ରପାତ ହେବାକୁ ଯାଉଛି, ଯାହା ନୂଆଦିଲ୍ଲୀ ପାଇଁ ଏକ ବଡ଼ ସୁରକ୍ଷା ଚିନ୍ତା ପାଲଟିଛି। ପାକିସ୍ତାନ, ତୁର୍କୀ ଏବଂ ସାଉଦି ଆରବକୁ ନେଇ ଗଠନ ହେବାକୁ ଥିବା ସାମରିକ ମେଣ୍ଟ ବା ‘ଇସଲାମିକ୍ ନାଟୋ’ରେ ସାମିଲ ହେବାକୁ ବାଂଲାଦେଶ ପ୍ରସ୍ତୁତ ଥିବା ସୂଚନା ମିଳିଛି । ବାଂଲାଦେଶର ବରିଷ୍ଠ ମନ୍ତ୍ରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏହି ନୂତନ ପ୍ରତିରକ୍ଷା ଚୁକ୍ତିରେ ଯୋଗଦେବା ପାଇଁ ଢାକା ନିଜର ବିକଳ୍ପ ଖୋଲା ରଖିଛି ।

ରିପୋର୍ଟ ଅନୁଯାୟୀ, ଇସଲାମୀୟ ଦେଶଗୁଡ଼ିକୁ ନେଇ ଏକ ଶକ୍ତିଶାଳୀ ସାମରିକ ଗୋଷ୍ଠୀ ଗଠନ ପାଇଁ ଦୀର୍ଘ ଦିନରୁ ଉଦ୍ୟମ ଜାରି ରହିଛି । ବିଶେଷକରି ତୁର୍କୀ ଏବଂ ପାକିସ୍ତାନ ଏହି ମେଣ୍ଟର ନେତୃତ୍ୱ ନେଉଛନ୍ତି । ଏବେ ଏହି ତାଲିକାରେ ଦକ୍ଷିଣ ଏସିଆର ପ୍ରମୁଖ ରାଷ୍ଟ୍ର ବାଂଲାଦେଶ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିବା ସମଗ୍ର ଅଞ୍ଚଳର ଭୌଗୋଳିକ ରାଜନୀତିକୁ ଦୋହଲାଇ ଦେଇଛି । ବାଂଲାଦେଶର ମନ୍ତ୍ରୀମାନେ ଦର୍ଶାଇଛନ୍ତି ଯେ ଦେଶର ସାର୍ବଭୌମତ୍ୱ ଏବଂ ଜାତୀୟ ସୁରକ୍ଷା ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାଉଦି ଆରବ, ତୁର୍କୀ ଓ ପାକିସ୍ତାନ ସହ ବୃହତ୍ ପ୍ରତିରକ୍ଷା ବୁଝାମଣା କରିବାକୁ ସେମାନେ ଆଦୌ ପଛାଇବେ ନାହିଁ ।

ବର୍ତ୍ତମାନର ବୈଶ୍ୱିକ ପରିସ୍ଥିତିରେ ଏପରି ଏକ ମେଣ୍ଟ ବାଂଲାଦେଶର ସାମରିକ ଶକ୍ତିକୁ ମଜବୁତ କରିବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି । ଭାରତ ପାଇଁ ଏହି ଖବର ଅତ୍ୟନ୍ତ ଉଦ୍ବେଗଜନକ। ଭାରତ ଓ ବାଂଲାଦେଶ ମଧ୍ୟରେ ୪ ହଜାର କିଲୋମିଟରରୁ ଅଧିକ ଦୀର୍ଘ ସୀମା ରହିଛି। ପୂର୍ବରୁ ଉଭୟ ଦେଶ ମଧ୍ୟରେ ଉତ୍ତମ କୂଟନୈତିକ ସମ୍ପର୍କ ରହିଆସିଥିବା ବେଳେ, ଏବେ ଢାକା ଇସଲାମାବାଦ ଆଡ଼କୁ ଢଳିବା ନୂଆଦିଲ୍ଲୀର ଚିନ୍ତା ବଢ଼ାଇଛି। ଯଦି ‘ଇସଲାମିକ୍ ନାଟୋ’ରେ ବାଂଲାଦେଶ ସାମିଲ ହୁଏ, ତେବେ ଭାରତର ପୂର୍ବ ସୀମାନ୍ତରେ ପାକିସ୍ତାନ ଏବଂ ତୁର୍କୀ ଭଳି ଦେଶଗୁଡ଼ିକର ସାମରିକ ଅନୁପ୍ରବେଶ ଓ ପ୍ରଭାବ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହାଦ୍ୱାରା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇପାରେ ।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ବାଂଲାଦେଶର ଏହି ନୂତନ ଆଭିମୁଖ୍ୟ ଭାରତୀୟ ଉପମହାଦେଶରେ ଶକ୍ତି ସନ୍ତୁଳନକୁ ଗଭୀର ଭାବେ ପ୍ରଭାବିତ କରିବ। ପାକିସ୍ତାନ ସହ ଚୀନ୍‌ର ଘନିଷ୍ଠ ବନ୍ଧୁତା ଥିବାରୁ ଏହି ନୂଆ ଇସଲାମିକ୍ ସାମରିକ ମେଣ୍ଟ ପଛରେ ବେଜିଂର ମଧ୍ୟ ପ୍ରଚ୍ଛନ୍ନ ସମର୍ଥନ ଥାଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ନିଜର ପଡ଼ୋଶୀ ରାଷ୍ଟ୍ରରେ ହେଉଥିବା ଏହି ଦ୍ରୁତ ରାଜନୈତିକ ଏବଂ ସାମରିକ ପରିବର୍ତ୍ତନ ଉପରେ ଭାରତ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ଆଗାମୀ ଦିନରେ ନିଜର ପୂର୍ବ ସୀମାନ୍ତ ସୁରକ୍ଷା ନୀତିକୁ ପୁନର୍ବିଚାର କରିବା ସହ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ନୂଆଦିଲ୍ଲୀ ବାଧ୍ୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.