Latest Odisha News

BREAKING NEWS

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା: ଆମେରିକା ଘାଟି ଉପରେ ‘ପ୍ରଥମ ପ୍ରହାର’ କରିବ ଇରାନ!

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା! ଆରବରେ ଜଳିବ କି ଆମେରିକାର ସାମରିକ ଘାଟି? ୱାଶିଂଟନ୍‌କୁ ଡରାଇବା ପାଇଁ ଇରାନର ଭୟଙ୍କର ‘ପ୍ରଥମ ପ୍ରହାର’ ପ୍ଲାନ୍… ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ଏକ ବିସ୍ଫୋରକ ରୂପ ନେବାକୁ ଯାଉଛି । ଇରାନର ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି ଚେତାବନୀ ଦେବା ପରେ, ଏବେ ଇରାନ ମଧ୍ୟ ପାଲଟା ଜବାବ ଦେଇଛି । ଆମେରିକାର ସମ୍ଭାବ୍ୟ ଆକ୍ରମଣକୁ ରୋକିବା ପାଇଁ ଇରାନ ନିଜର ‘ପ୍ରଥମ ପ୍ରହାର’ ବା ଫାଷ୍ଟ ଷ୍ଟ୍ରାଇକ୍ ପ୍ଲାନ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଇରାନ ସ୍ପଷ୍ଟ କରିଛି ଯେ, ଯଦି ଆମେରିକା ତାର ସୀମାରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଗଲ୍ଫ ବା ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ସିଧାସଳଖ ଟାର୍ଗେଟ୍ କରାଯିବ ।

କେବଳ ସେତିକି ନୁହେଁ, ସାଉଦି ଆରବ, କତାର ଏବଂ ଓମାନ ଭଳି ଦେଶଗୁଡ଼ିକୁ ମଧ୍ୟ ଇରାନ କଡ଼ା ଚେତାବନୀ ଦେଇଛି । ଯଦି ଯୁଦ୍ଧ ହୁଏ, ତେବେ ଆରବ ଦେଶଗୁଡ଼ିକର ତୈଳ ଖଣି, ବିଦ୍ୟୁତ୍ କେନ୍ଦ୍ର ଏବଂ ଜଳ ପ୍ରକଳ୍ପ ଉପରେ ମଧ୍ୟ ବଡ଼ ଧରଣର ଆକ୍ରମଣ ହେବ ବୋଲି ତେହେରାନ ପକ୍ଷରୁ ସୂଚନା ଦିଆଯାଇଛି । ଆରବ ଦେଶଗୁଡ଼ିକ ଆମେରିକା ସହ କୌଣସି ପ୍ରକାରର ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ନକରିବାକୁ ଇରାନ ପରାମର୍ଶ ଦେଇଛି ।

ଇରାନର ଧମକ ପରେ ଆତଙ୍କିତ ଆରବ ଦେଶ! ନିଜ ତୈଳ ଖଣିକୁ ବଞ୍ଚାଇବା ପାଇଁ ଟ୍ରମ୍ପଙ୍କୁ ଯୁଦ୍ଧରୁ ଅଟକାଇ ପାରିବେ କି ଗଲ୍ଫ ରାଷ୍ଟ୍ର? ଇରାନର ଏହି ଚେତାବନୀ ଏବେ ମଧ୍ୟପ୍ରାଚ୍ୟରେ ଏକ ନୂଆ ସଙ୍କଟ ସୃଷ୍ଟି କରିଛି। ଆମେରିକା ଏବଂ ଇରାନର ଏହି ଲଢ଼େଇରେ ଏବେ ସମ୍ପୂର୍ଣ୍ଣ ଫସିଯାଇଛନ୍ତି ଉପସାଗରୀୟ ଦେଶ। ନିଜ ଦେଶର ତୈଳ ଏବଂ ଗ୍ୟାସ୍ ଭିତ୍ତିଭୂମିକୁ ବଞ୍ଚାଇବା ପାଇଁ ଏବେ ସାଉଦି ଆରବ ଏବଂ କତାର ଭଳି ଦେଶ ଆମେରିକା ଉପରେ ପ୍ରବଳ ଚାପ ପକାଉଛନ୍ତି । କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ୱାଶିଂଟନ୍‌କୁ ବାରମ୍ବାର ନିବେଦନ କରାଯାଉଛି ।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ଇରାନର ଏହା ଏକ ଅତ୍ୟନ୍ତ ଚାଲାକିପୂର୍ଣ୍ଣ ରଣନୀତି । ଗଲ୍ଫ ଦେଶଗୁଡ଼ିକର ଅର୍ଥନୀତିକୁ ବନ୍ଧକ ରଖି ସେ ଆମେରିକାକୁ ଯୁଦ୍ଧରୁ ନିବୃତ୍ତ କରିବାକୁ ଚାହୁଁଛି । ଯଦି ଏହି ଅଞ୍ଚଳରେ ପ୍ରକୃତରେ ଯୁଦ୍ଧ ଆରମ୍ଭ ହୁଏ, ତେବେ ସମଗ୍ର ବିଶ୍ୱରେ ତୈଳ ଯୋଗାଣ ବାଧାପ୍ରାପ୍ତ ହେବ ଏବଂ ଏହାର ସିଧାସଳଖ ନକାରାତ୍ମକ ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିବ । ବର୍ତ୍ତମାନ ପରିସ୍ଥିତିରେ ଆମେରିକା ନିଜର ଆକ୍ରମଣାତ୍ମକ ନୀତିରୁ ଓହରିବ ନା ମଧ୍ୟପ୍ରାଚ୍ୟରେ ପୁଣି ଏକ ବିନାଶକାରୀ ଯୁଦ୍ଧ ଦେଖିବାକୁ ମିଳିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.