Latest Odisha News

BREAKING NEWS

ଭିସା ଟେନସନ ଓ କାମର ଚାପ: କାହିଁକି ଆମେରିକା ଛାଡିବାକୁ ନିଷ୍ପତ୍ତି ନେଲେ ଭାରତୀୟ ମହିଳା?

ନୂଆଦିଲ୍ଲୀ: ବିଦେଶରେ ସ୍ଥାୟୀ ଭାବେ ବସବାସ କରିବା ଏବଂ କ୍ୟାରିୟର ଗଢ଼ିବା ଅନେକଙ୍କର ସ୍ୱପ୍ନ ଥାଏ । ତେବେ ପରିବାରର ସ୍ନେହ ଏବଂ ନିଜ ମାଟିର ଟାଣ ବେଳେବେଳେ ମଣିଷକୁ ସବୁକିଛି ଛାଡ଼ି ପୁଣିଥରେ ସ୍ୱଦେଶ ଫେରାଇ ଆଣିଥାଏ । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଙ୍ଖୁରୀ ନାମକ ଜଣେ ଭାରତୀୟ ମହିଳାଙ୍କ କ୍ଷେତ୍ରରେ, ଯିଏକି ଆମେରିକାରେ ୧୩ ବର୍ଷ ବିତାଇବା ପରେ ଶେଷରେ ୨୦୨୩ ମସିହାରେ ନିଜ ପରିବାର ସହ ଭାରତ ଫେରିଆସିବାକୁ ନିଷ୍ପତ୍ତି ନେଇଥିଲେ । ସେ ନିକଟରେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଆମେରିକା ଛାଡ଼ିବାର ୫ଟି ମୁଖ୍ୟ ଭାବପ୍ରବଣ କାରଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି, ଯାହାକି ଏବେ ଖୁବ୍ ଭାଇରାଲ୍ ହେଉଛି ।

ପଙ୍ଖୁରୀଙ୍କ କହିବା ଅନୁଯାୟୀ, ଆମେରିକାରେ ତାଙ୍କର ଭିସାକୁ ନେଇ କୌଣସି ଅସୁବିଧା ନଥିଲା କିମ୍ବା ବନ୍ଧୁମାନଙ୍କର ଅଭାବ ନଥିଲା । ତଥାପି ସେଠାରେ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ଖାପ ଖୁଆଇ ପାରୁନଥିଲେ ଏବଂ ସବୁବେଳେ ନିଜ ସଂସ୍କୃତି ତଥା ପରିଚୟ ବିଷୟରେ ଅନ୍ୟମାନଙ୍କୁ ବୁଝାଇବାକୁ ପଡ଼ୁଥିଲା । ଏହା ବ୍ୟତୀତ ବାର୍ଦ୍ଧକ୍ୟ ଆଡ଼କୁ ଗତି କରୁଥିବା ନିଜ ପିତାମାତାଙ୍କୁ କେବଳ ଫେସ୍‌ଟାଇମ୍ କିମ୍ବା ହ୍ୱାଟ୍ସଆପ୍ ଭିଡିଓ କଲ୍‌ରେ ଦେଖିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ହେଉଥିଲା। ସେ ନିଜ ବାପାମାଆଙ୍କ ସହ ପ୍ରକୃତ ସମୟ ବିତାଇବାକୁ ଚାହୁଁଥିଲେ, ଯାହାକି ସ୍ୱଦେଶ ଫେରିବାର ଏକ ପ୍ରମୁଖ କାରଣ ପାଲଟିଥିଲା ।

ଏହା ସହିତ ନିଜ ପିଲାମାନଙ୍କ ଭବିଷ୍ୟତ ତାଙ୍କ ପାଇଁ ଏକ ବଡ଼ ପ୍ରସଙ୍ଗ ଥିଲା । ସେ ଚାହୁଁଥିଲେ ଯେ ତାଙ୍କ ପିଲାମାନେ ଭାରତୀୟ ସଂସ୍କୃତି ଓ ସଂସ୍କାର ମଧ୍ୟରେ ନିଜ ଲୋକଙ୍କ ଗହଣରେ ବଡ଼ ହୁଅନ୍ତୁ । ଆମେରିକାରେ ଉଭୟ ସ୍ୱାମୀ-ସ୍ତ୍ରୀ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କାମ କରୁଥିଲେ, ଯାହା ଫଳରେ ସେମାନଙ୍କର ‘ୱାର୍କ-ଲାଇଫ୍ ବ୍ୟାଲାନ୍ସ’ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା । ଭାରତରେ ଘର କାମ ପାଇଁ ସହଜରେ ଡୋମେଷ୍ଟିକ୍ ହେଲ୍ପ ମିଳିପାରୁଥିବାରୁ ଏହା ସେମାନଙ୍କ ନିଷ୍ପତ୍ତିକୁ ଆହୁରି ସହଜ କରିଥିଲା । ଏହାଛଡ଼ା ବାରମ୍ବାର ଭିସା ରିନ୍ୟୁଆଲ୍ ଓ ଆପଏଣ୍ଟମେଣ୍ଟ୍ ଚିନ୍ତାରେ ସେମାନଙ୍କୁ ନିଜର ଦୈନନ୍ଦିନ ଜୀବନକୁ ଯୋଜନା କରିବାକୁ ପଡ଼ୁଥିଲା, ଯାହାକି ଖୁବ୍ ଚାପଗ୍ରସ୍ତ ଥିଲା ।

ଶେଷରେ ପଙ୍ଖୁରୀ କହିଛନ୍ତି ଯେ, ୨୫ ବର୍ଷ ବୟସରେ ମଣିଷର ଯେଉଁ ସ୍ୱପ୍ନ ଥାଏ, ୧୩ ବର୍ଷ ପରେ ତାହାର ପ୍ରାଥମିକତା ସମ୍ପୂର୍ଣ୍ଣ ବଦଳିଯାଏ । ଏମିତି ଏକ ଜୀବନ ଗଢ଼ିବାକୁ ସେମାନେ ଆଉ ଚାହୁଁନଥିଲେ, ଯେଉଁଠି ପରିବାରଠାରୁ ଦୂରରେ ରହିବାକୁ ପଡ଼ିବ। ଅବଶ୍ୟ ୧୩ ବର୍ଷ ପରେ ଭାରତ ଫେରି ସବୁକିଛି ନୂଆ କରି ଆରମ୍ଭ କରିବା ଆଦୌ ସହଜ ନଥିଲା, କିନ୍ତୁ ପରିବାର ପାଖରେ ରହିବା ଯୋଗୁଁ ଯେଉଁ ମାନସିକ ଶାନ୍ତି ମିଳିଛି, ତାହା ସବୁଠାରୁ ଊର୍ଦ୍ଧ୍ୱରେ ।

Leave A Reply

Your email address will not be published.