ପ୍ରୟାଗରାଜ: ମହାକୁମ୍ଭର ଭବ୍ୟତା କେବଳ ମାଟି ଉପରୁ ନୁହେଁ, ଅନ୍ତରୀକ୍ଷରୁ ମଧ୍ୟ ଚକିତ କରିଛି। NASAର ମହାକାଶଚାରୀ ଡନ୍ ପେଟିଟ୍ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍ (ISS)ରୁ ୧୪୪ ବର୍ଷରେ ଥରେ ପଡିଥିବା ୨୦୨୫ ମହାକୁମ୍ଭର ଏକ ଚମତ୍କାର ରାତ୍ରିକାଳୀନ ଫଟୋ କ୍ୟାପଚର କରିଥିଲେ। ଏବେ ଏହି ଫଟୋ ପୁଣିଥରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଫଟୋରେ ରାତିର ଅନ୍ଧାର ମଧ୍ୟରେ ଆଲୋକରେ ଝଲସୁଥିବା ପ୍ରୟାଗରାଜର ମହାକୁମ୍ଭ ମେଳା ପଡ଼ିଆ ଦେଖିବାକୁ ବେଶ୍ ଆକର୍ଷଣୀୟ ଲାଗୁଛି । ଉପରୁ ଦେଖିଲେ ହଜାର ହଜାର ଆଲୋକ ଏକ ବିଶାଳ ଆଲୋକିତ ସହର ଭଳି ଦେଖାଯାଉଛି। ଏହା ମେଳାର ବିଶାଳ ଆୟୋଜନ ଓ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଉପସ୍ଥିତିର ଏକ ଅଲଗା ଚିତ୍ର ଦେଉଛି।
ଡନ୍ ପେଟିଟ୍ ୧୧ ସେପ୍ଟେମ୍ବର ୨୦୨୪ରୁ ୧୯ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ISSରେ ରହି ଗବେଷଣା କାର୍ଯ୍ୟ କରିଥିଲେ। ପୃଥିବୀ ଠାରୁ ପ୍ରାୟ ୪୦୦ କିଲୋମିଟର ଉପରେ ଘୂରୁଥିବା ସ୍ପେସ୍ ଷ୍ଟେସନ୍ ପ୍ରାୟ ୨୮,୦୦୦ କିମି ପ୍ରତି ଘଣ୍ଟା ବେଗରେ ଗତି କରେ। ଏଭଳି ବେଗରେ ଚଳନ କରୁଥିବା ଅବସ୍ଥାରେ ରାତିରେ ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନର ସ୍ପଷ୍ଟ ଫଟୋ ନେବା ସହଜ ନୁହେଁ। ତଥାପି ବିଶେଷ କ୍ୟାମେରାର ସାହାଯ୍ୟରେ ପେଟିଟ୍ ମହାକୁମ୍ଭର ଏହି ଚମତ୍କାର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ। ଫଟୋ ଶେୟାର କରି ପେଟିଟ୍ ଏହାକୁ ୨୦୨୫ ପ୍ରୟାଗରାଜ ମହାକୁମ୍ଭର ନିଜର ‘ବେଷ୍ଟ ଶଟ୍’ ବୋଲି କହିଥିଲେ। ଭାରତର ପବିତ୍ର ନଦୀ କୂଳରେ ଆୟୋଜିତ ଏହି ବିଶାଳ ଧାର୍ମିକ ସମାବେଶରେ ଲକ୍ଷ ଲକ୍ଷ ଲୋକ ଯୋଗ ଦିଅନ୍ତି ବୋଲି ସେ ଉଲ୍ଲେଖ କରିଥିଲେ।
ହିନ୍ଦୁ ଧର୍ମରେ ମହାକୁମ୍ଭର ବିଶେଷ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ଧାର୍ମିକ ଆୟୋଜନ ମହାକୁମ୍ଭ ୧୪୪ ବର୍ଷରେ ଥରେ ଆୟୋଜିତ ହୁଏ। ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ଗଙ୍ଗା, ଯମୁନା ଓ ପୌରାଣିକ ସରସ୍ୱତୀର ସଙ୍ଗମ ହୋଇଥିବା ବିଶ୍ୱାସ କରାଯାଏ। ଶୁଭ ତିଥିରେ ସଙ୍ଗମରେ ପବିତ୍ର ସ୍ନାନ କରିବାକୁ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ, ସାଧୁ ଓ ସନ୍ଥମାନେ ଆସନ୍ତି। ବିଶେଷ ସ୍ନାନ ଦିନଗୁଡ଼ିକରେ ଭକ୍ତଙ୍କ ଭିଡ଼ ଏତେ ବଢ଼ିଯାଏ ଯେ ସାରା ମେଳା ଅଞ୍ଚଳ ଏକ ବିଶାଳ ଅସ୍ଥାୟୀ ସହରରେ ପରିଣତ ହୋଇଯାଏ। ଏହି ବିଶାଳତା ହିଁ ମହାକୁମ୍ଭକୁ ଅନ୍ତରୀକ୍ଷରୁ ମଧ୍ୟ ଏକ ଅଦ୍ଭୁତ ଦୃଶ୍ୟରେ ପରିଣତ କରିଛି। ଗୋଟିଏ ପଟେ ଧର୍ମ ଓ ଆସ୍ଥା, ଅନ୍ୟପଟେ ଅନ୍ତରୀକ୍ଷରୁ ଦେଖାଯାଉଥିବା ଆଲୋକର ସମୁଦ୍ର, ତା ସାଙ୍ଗରେ ମହାକୁମ୍ଭର ଏହି ଛବି ନିଶ୍ଚିତ ଭାବେ ମନ ଜିଣି ନେଉଛି।

