Latest Odisha News

BREAKING NEWS

ଓଲଟିଲା ତେଲ ଟ୍ୟାଙ୍କର: ଉଦ୍ଧାର ପରିବର୍ତ୍ତେ ବାଲଟି ଧରି ତେଲ ଲୁଟିବାରେ ଲାଗିଲେ ଲୋକେ

ଗୁନା: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଉଦ୍‌ବେଗଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରିବା କିମ୍ବା ପୋଲିସକୁ ଖବର ଦେବା ପରିବର୍ତ୍ତେ ମାଗଣା ତେଲ ଲୁଟିବାକୁ ଧାଇଁଥିଲେ। ଜୀବନ ପ୍ରତି କୌଣସି ଖାତିର ନକରି, ଲୋକେ ବାଲଟି, ଡବା, ହଣ୍ଡା ଏବଂ ବୋତଲ ଧରି ତେଲ ସାଉଁଟିବାରେ ଲାଗିପଡ଼ିଥିଲେ। ଏହି ବିପଦଜନକ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୁନା ଦେଇ ଯାଇଥିବା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ୟାଙ୍କରଟି ଓଲଟି ପଡ଼ିବା ଫଳରେ ସେଥିରୁ ତେଲ ବାହାରି ରାସ୍ତା ଏବଂ ନାଳରେ ବୋହିବାକୁ ଲାଗିଥିଲା। ଏହି ଖବର ସ୍ଥାନୀୟ ଅଞ୍ଚଳରେ ନିଆଁ ପରି ବ୍ୟାପିଯିବା ପରେ, ଦେଖୁ ଦେଖୁ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଦୁର୍ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ପୁରୁଷ, ମହିଳା ଓ ଛୋଟ ପିଲାମାନେ ମଧ୍ୟ ତେଲ ନେବା ପାଇଁ ପରସ୍ପର ମଧ୍ୟରେ ଠେଲାପେଲା ହେଉଛନ୍ତି। ନାଳରେ ବୋହୁଥିବା ତେଲକୁ ମଧ୍ୟ ଯିଏ ଯେମିତି ପାରିଲା ବୋହି ନେବାରେ ବ୍ୟସ୍ତ ଥିଲେ ।

ଏଭଳି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଓ ବିପଦଜନକ ବୋଲି ଜାଣି ମଧ୍ୟ ଲୋକେ କିଛି ଲିଟର ତେଲ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଯଦି ସେହି ସମୟରେ କୌଣସି କାରଣରୁ ଗୋଟିଏ ବି ସ୍ଫୁଲିଙ୍ଗ ବାହାରିଥାନ୍ତା, ତେବେ ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟି ଅନେକ ଜୀବନହାନି ହୋଇଥାନ୍ତା । ଅତୀତରେ ଦେଶର ବିଭିନ୍ନ ସ୍ଥାନରେ ଏଭଳି ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ଲୁଟ୍ ବେଳେ ଭୟାବହ ଅଗ୍ନିକାଣ୍ଡ ଘଟି ଶହ ଶହ ଲୋକଙ୍କ ପ୍ରାଣହାନି ଘଟିଥିବାର ନଜିର ରହିଛି, ତଥାପି ଲୋକଙ୍କ ମଧ୍ୟରେ ସଚେତନତା ଆସିପାରିନାହିଁ ।

ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସେଠାରୁ ଘଉଡ଼ାଇବା ସହ ସ୍ଥିତିକୁ ଆୟତ୍ତ କରିଥିଲା । ପୋଲିସ କର୍ମଚାରୀମାନେ ଅଗ୍ନିଶମ ବାହିନୀକୁ ମଧ୍ୟ ସତର୍କ କରାଇଥିଲେ ଏବଂ ଟ୍ୟାଙ୍କରଟିକୁ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଇ ରାସ୍ତା ଅବରୋଧ ହଟାଯାଇଥିଲା ।

Leave A Reply

Your email address will not be published.