Latest Odisha News

BREAKING NEWS

୭ ବର୍ଷର ରିପୋର୍ଟ କାର୍ଡ ଦେଲେ ଅପରାଜିତା: ରାସ୍ତା, ଆଲୋକ ଏବଂ ପାନୀୟ ଜଳ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ସାତ ବର୍ଷ ମଧ୍ୟରେ ତାଙ୍କର ବିକାଶମୂଳକ କାର୍ଯ୍ୟକଳାପର ଏକ ବିସ୍ତୃତ ରିପୋର୍ଟ କାର୍ଡ ଦେଉଛନ୍ତି। ୬୦ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ନିଜ ସାତ ବର୍ଷର କାର୍ଯ୍ୟର ହିସାବ ଦେଇଛନ୍ତି ସାଂସଦ। ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ନିଆଯାଇଥିବା ପ୍ରମୁଖ ଭିତ୍ତିଭୂମି ସଫଳତା ଏବଂ ପ୍ରମୁଖ ନାଗରିକ ପଦକ୍ଷେପଗୁଡ଼ିକର ରୂପରେଖା ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ଭୁବନେଶ୍ୱର ପାଇଁ ୧୦୦ ପ୍ରତିଶତ ଚେଷ୍ଟା କରୁଥିବା କହିବା ସହ ନିଜ କାର୍ଯ୍ୟର ବିବରଣୀ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ କହିଛନ୍ତି।

ସାଂସଦଙ୍କ ଦାବି ଅନୁସାରେ, ଏହି ସାତ ବର୍ଷରେ ୫୫ ପ୍ରକାରର କାର୍ଯ୍ୟ କରାଯାଇଛି। ସଂସଦୀୟ କ୍ଷେତ୍ର ପାଇଁ ୮ଟି ମୁଖ୍ୟ କାର୍ଯ୍ୟକୁ ମଧ୍ୟ ସେ ପ୍ରମୁଖତା ଦେଇଛନ୍ତି । ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ଦୂର କରିବାକୁ ୧୦ଟି ଫୁଟ୍ ଓଭରବ୍ରିଜ୍, ୭ଟି ଫ୍ଲାଏଓଭର ଓ ୧୬ଟି ଅଣ୍ଡରପାସ୍ ପାଇଁ ପ୍ରସ୍ତାବ ରହିଥିବା ସେ କହିଛନ୍ତି । ପଳାଶୁଣୀରେ ୭ ମିଟର ସର୍ଭିସ୍ ରୋଡ୍ ଏବଂ ପଳାଶୁଣୀରୁ ରସୁଲଗଡ଼ ମଧ୍ୟରେ ପ୍ରାୟ ୧୮ କୋଟି ୪୨ ଲକ୍ଷ ଟଙ୍କାର ଫୁଟ୍ ଓଭରବ୍ରିଜ୍ ଓ ସ୍କାଏୱାକ୍ ନିର୍ମାଣ ଯୋଜନା ଥିବା ସୂଚନା ଦେଇଛନ୍ତି । ସେହିପରି ୧୧୧ କିଲୋମିଟରର ୬ ଲେନ୍ ରାସ୍ତା ନିର୍ମାଣ କାମ ଆରମ୍ଭ ହେବ ବୋଲି କହିଛନ୍ତି ଅପରାଜିତା।

କେବଳ ରାସ୍ତା ଓ ଟ୍ରାଫିକ୍ ନୁହେଁ, ଆଲୋକ ଏବଂ ପାନୀୟ ଜଳ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି। ୭,୫୦୦ ସୋଲାର ଲାଇଟ୍ ଏବଂ ୬୫୭ଟି ମନ୍ଦିର ଓ ମାର୍କେଟ୍ କମ୍ପ୍ଲେକ୍ସରେ ଆକ୍ୱାଗାର୍ଡ ପାଣି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ପାଣ୍ଡରା ଛକରେ ୫୭ କୋଟି ଟଙ୍କା ବ୍ୟୟରେ ଆଧୁନିକ ହୋଲସେଲ୍ ଫିସ୍ ମାର୍କେଟ୍ ନିର୍ମାଣ ହେବ। ସେହିପରି ୬୩୦ କୋଟି ଟଙ୍କା ବ୍ୟୟରେ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ ପାଇଁ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସାଂସଦ କହିଛନ୍ତି।

ଶିକ୍ଷା କ୍ଷେତ୍ରରେ ପ୍ରତି ବ୍ଲକରେ ଲାଇବ୍ରେରୀ କରିବା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ଉପରେ ଜୋର୍ ଦିଆଯିବ। ସେହିପରି ଭୁବନେଶ୍ୱର ମେଟ୍ରୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ସରକାର ସକାରାତ୍ମକ ଥିବା ଏବଂ ଆଗକୁ କାମ କରାଯିବ ବୋଲି ସରକାର କହିଥିବା ସେ ଦାବି କରିଛନ୍ତି। ଶେଷରେ, ନିଜ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ।

Leave A Reply

Your email address will not be published.