ନୂଆଦିଲ୍ଲୀ: ରୋଷେଇ ଘରେ ବ୍ୟବହୃତ ଏଲପିଜି ବା ଗ୍ୟାସ୍ ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ଏପର୍ଯ୍ୟନ୍ତ ନିଜ ଗ୍ୟାସ୍ କନେକ୍ସନର ଇ-କେୱାଇସି ପ୍ରକ୍ରିୟା ଶେଷ କରିନାହାନ୍ତି, ତେବେ ଏହାକୁ ତୁରନ୍ତ ପୂରଣ କରିନିଅନ୍ତୁ। ସରକାର ଏବଂ ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରାହକଙ୍କ ସୁବିଧା ପାଇଁ ଇ-କେୱାଇସି କରିବାର ସମୟସୀମାକୁ ବର୍ତ୍ତମାନ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନିର୍ଦ୍ଧାରିତ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ନହେଲେ ଗ୍ରାହକମାନେ ନିଜର ଗ୍ୟାସ୍ କନେକ୍ସନ୍ ହରାଇପାରନ୍ତି କିମ୍ବା ଆକାଉଣ୍ଟକୁ ଆସୁଥିବା ସବସିଡି ରାଶିରୁ ବଞ୍ଚିତ ହୋଇପାରନ୍ତି ।
ଦେଶରେ ବଢୁଥିବା ବେଆଇନ ଗ୍ୟାସ୍ କନେକ୍ସନ୍ ଏବଂ ଜାଲିଆତି ରୋକିବା ତଥା ପ୍ରକୃତ ହିତାଧିକାରୀଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା ଉଦ୍ଦେଶ୍ୟରେ ଇ-କେୱାଇସିକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ଏହି ପ୍ରକ୍ରିୟା ସାରିବା ପାଇଁ ଅଗଷ୍ଟ ମାସର ୨୩ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅନେକ ଉପଭୋକ୍ତା ନିଜର ଆଧାର ସଂଯୋଗ ନକରିବା କାରଣରୁ ଏବେ ଏହି ତାରିଖକୁ ଅଗଷ୍ଟ ୩୧ ଯାଏଁ ଘୁଞ୍ଚାଇ ଦିଆଯାଇଛି।
ଇ-କେୱାଇସି ପ୍ରକ୍ରିୟା ସାରିବା ପାଇଁ ଉପଭୋକ୍ତାଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିବ ନାହିଁ। ଆପଣ ଚାହିଁଲେ ଘରେ ବସି ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ ଅନଲାଇନରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ । ଆପଣଙ୍କୁ ନିଜ ଗ୍ୟାସ୍ କମ୍ପାନୀର (ଯେପରିକି ଇଣ୍ଡେନ୍, ଏଚପି କିମ୍ବା ଭାରତ ଗ୍ୟାସ୍) ୱେବସାଇଟ୍ ବା ଅଫିସିଆଲ୍ ମୋବାଇଲ୍ ଆପ୍ ବ୍ୟବହାର କରି ଆଧାର ନମ୍ବର ସହିତ ସଂଯୋଗୀକରଣ କରିବାକୁ ହେବ। ଯଦି ଅନଲାଇନରେ କିଛି ସମସ୍ୟା ଉପୁଜୁଛି, ତେବେ ଉପଭୋକ୍ତାମାନେ ନିଜର ଆଧାର କାର୍ଡର ନକଲ ଓ ଗ୍ୟାସ୍ ପାସ୍ବୁକ୍ ନେଇ ପାଖରେ ଥିବା ନିଜ ଗ୍ୟାସ୍ ଏଜେନ୍ସି ବା ବିତରକଙ୍କ ଅଫିସକୁ ଯାଇ ମଧ୍ୟ ଏହାକୁ ଅଫଲାଇନରେ ଅପଡେଟ୍ କରିପାରିବେ ।
ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ଏକ ବିବୃତ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଇ-କେୱାଇସି ଏକ ନିରନ୍ତର ପ୍ରକ୍ରିୟା। ମାତ୍ର ସମୟ ଥାଉ ଥାଉ ଏହାକୁ ନକଲେ ସିଲିଣ୍ଡର ଯୋଗାଣରେ ବାଧା ଉପୁଜିପାରେ ଏବଂ ନୂଆ ସିଲିଣ୍ଡର ବୁକିଂ କରିବାରେ ବହୁତ ଅସୁବିଧା ହେବ । ବିଶେଷକରି ଯେଉଁମାନେ ଗ୍ୟାସ୍ ଉପରେ ସବସିଡି ପାଉଛନ୍ତି, ସେମାନଙ୍କ ଆକାଉଣ୍ଟକୁ ଅର୍ଥରାଶି ଆସିବା ବନ୍ଦ ହୋଇଯିବାର ସମ୍ଭାବନା ରହିଛି । ତେଣୁ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ତୁରନ୍ତ ନିଜର ଏଲପିଜି କନେକ୍ସନର ଇ-କେୱାଇସି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରନ୍ତୁ, ଯାହାଦ୍ୱାରା ଭବିଷ୍ୟତରେ ଆପଣଙ୍କୁ କୌଣସି ହଇରାଣ ହେବାକୁ ପଡ଼ିବ ନାହିଁ ।

