Latest Odisha News

BREAKING NEWS

ଓଡ଼ିଶାର ଇଞ୍ଜିନିୟରିଂ କଲେଜରେ ହାହାକାର: ଓଜେଇଇ ନାମଲେଖା ପରେ ଖାଲି ପଡ଼ିଛି ୩୭ ହଜାର ବି-ଟେକ୍ ସିଟ୍

ଭୁବନେଶ୍ୱର: ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରରେ ଏବେ ଏକ ବଡ଼ ବୈଷମ୍ୟ ଦେଖିବାକୁ ମିଳିଛି । ରାଜ୍ୟର ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପ୍ରବଳ ଭିଡ଼ ଯୋଗୁଁ ପ୍ରାୟ ଶତପ୍ରତିଶତ ସିଟ୍ ପୂରଣ ହୋଇଥିବା ବେଳେ ଘରୋଇ କଲେଜଗୁଡ଼ିକରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଓଜେଇଇ ପକ୍ଷରୁ ତିନୋଟି ପର୍ଯ୍ୟାୟର କାଉନସେଲିଂ ପ୍ରକ୍ରିୟା ଶେଷ ହେବା ପରେ ବି ରାଜ୍ୟରେ ପ୍ରାୟ ୩୭,୦୦୦ ବି-ଟେକ୍ ସିଟ୍ ଖାଲି ପଡ଼ିଛି। ନାମଲେଖା ହୋଇପାରିନଥିବା ଏହି ବଳକା ସିଟ୍‌ଗୁଡ଼ିକୁ ଏବେ ସିଧାସଳଖ ପୂରଣ କରିବା ପାଇଁ ଓଜେଇଇ କର୍ତ୍ତୃପକ୍ଷ ସମ୍ପୃକ୍ତ କଲେଜଗୁଡ଼ିକୁ ହସ୍ତାନ୍ତର କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଭୟ ସରକାରୀ ଏବଂ ଘରୋଇ ଇଞ୍ଜିନିୟରିଂ କଲେଜକୁ ମିଶାଇ ସମୁଦାୟ ପ୍ରାୟ ୫୩,୦୦୦ ବି-ଟେକ୍ ସିଟ୍ ଉପଲବ୍ଧ ଥିଲା। ଦୁଇ ମାସ ଧରି ଚାଲିଥିବା କାଉନସେଲିଂ ପ୍ରକ୍ରିୟା ପରେ ମାତ୍ର ୧୫,୦୦୦ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଥିବା ସମୁଦାୟ ୬,୦୦୦ ସିଟ୍ ମଧ୍ୟରୁ ୯୯ ପ୍ରତିଶତ ପୂରଣ ହୋଇସାରିଛି। ଆର୍ଥିକ ଅନଗ୍ରସର ବର୍ଗ କୋଟାରେ ମାତ୍ର ୧୦୦ଟି ସିଟ୍ ସରକାରୀ ସ୍ତରରେ ଖାଲି ଅଛି । ମାତ୍ର ଘରୋଇ ଅନୁଷ୍ଠାନଗୁଡ଼ିକର ଅବସ୍ଥା ନୈରାଶ୍ୟଜନକ ରହିଛି । ସେଠାରେ ଥିବା ୪୭,୦୦୦ ସିଟ୍‌ରୁ ପ୍ରାୟ ୩୬,୯୦୦ ସିଟ୍ ଫାଙ୍କା ପଡ଼ିଛି। ଅର୍ଥାତ୍ ଘରୋଇ କଲେଜଗୁଡ଼ିକରେ ସିଟ୍ ଖାଲି ରହିବା ହାର ପ୍ରାୟ ୭୮.୫ ପ୍ରତିଶତରେ ପହଞ୍ଚିଛି, ଯାହା ଗତବର୍ଷ ୬୦ ରୁ ୭୦ ପ୍ରତିଶତ ମଧ୍ୟରେ ଥିଲା ।

ଚଳିତ ବର୍ଷ ରାଜ୍ୟରେ ନୂତନ ୧୦ଟି ବୈଷୟିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ମିଳିବା ଫଳରେ ବି-ଟେକ୍ ସିଟ୍ ସଂଖ୍ୟା ଆହୁରି ୫,୦୦୦ ବୃଦ୍ଧି ପାଇଥିଲା । ଏତେ ସଂଖ୍ୟକ ସିଟ୍ ଖାଲି ପଡ଼ିବାର ଏହା ଅନ୍ୟତମ ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହାବ୍ୟତୀତ, ଛାତ୍ରଛାତ୍ରୀଙ୍କ ପସନ୍ଦରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପାରମ୍ପରିକ ସିଭିଲ୍ ଏବଂ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଅପେକ୍ଷା କମ୍ପ୍ୟୁଟର ସାଇନ୍ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ ଏବଂ ରୋବୋଟିକ୍ସ ଭଳି ନୂତନ ଜ୍ଞାନକୌଶଳ ପ୍ରତି ପିଲାଙ୍କ ଆକର୍ଷଣ ଅଧିକ ରହୁଥିବା ଓଜେଇଇ ସୂତ୍ରରୁ ଜଣାପଡ଼ିଛି ।

ଖାଲି ପଡ଼ିଥିବା ଏହି ବିପୁଳ ସିଟ୍‌ଗୁଡ଼ିକୁ ପୂରଣ କରିବା ପାଇଁ କଲେଜଗୁଡ଼ିକୁ ଏବେ ଆଉ କିଛି ସମୟ ମିଳିଯାଇଛି । ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର ସଂଶୋଧିତ ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ, ବି-ଟେକ୍ ନାମଲେଖା ଅବଧିକୁ ଅଗଷ୍ଟ ୧୪ ପରିବର୍ତ୍ତେ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କଲେଜସ୍ତରରେ ସିଧାସଳଖ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା ପରେ ବଳକା ସିଟ୍‌ଗୁଡ଼ିକ ଆଗାମୀ ଦିନରେ କିଛି ମାତ୍ରାରେ ପୂରଣ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

Leave A Reply

Your email address will not be published.