Latest Odisha News

BREAKING NEWS

ଜଣେ ବ୍ୟକ୍ତି କେତୋଟି କ୍ରେଡିଟ୍ କାର୍ଡ ରଖିପାରିବେ? ଜାଣନ୍ତୁ କ’ଣ ରହିଛି ଆରବିଆଇର ନୂଆ ନିୟମ

ଆଜିକାଲି ଦୈନନ୍ଦିନ ଜୀବନରେ କ୍ରେଡିଟ୍ କାର୍ଡର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସପିଂ ହେଉ କିମ୍ବା ଟ୍ରାଭେଲ୍ ଓ ଖାଇବା ପିଇବା, ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍ କାର୍ଡରେ ମିଳୁଥିବା ଆକର୍ଷଣୀୟ ରିହାତି ଏବଂ କ୍ୟାସବ୍ୟାକ୍ ଯୋଗୁଁ ଲୋକେ ଏକାଧିକ କାର୍ଡ ରଖିବାକୁ ପସନ୍ଦ କରୁଛନ୍ତି। ତେବେ ଅନେକ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଯେ, ଜଣେ ବ୍ୟକ୍ତି ନିଜ ପାଖରେ ସର୍ବାଧିକ କେତୋଟି କ୍ରେଡିଟ୍ କାର୍ଡ ରଖିପାରିବେ? ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର କ’ଣ ନିୟମ ରହିଛି, ଆସନ୍ତୁ ଜାଣିବା।

କ’ଣ କହୁଛି ଆରବିଆଇର ନିୟମ?

ସିଧାସଳଖ କହିବାକୁ ଗଲେ, ଜଣେ ବ୍ୟକ୍ତି କେତୋଟି କ୍ରେଡିଟ୍ କାର୍ଡ ରଖିବେ ସେନେଇ ଆରବିଆଇ ପକ୍ଷରୁ କୌଣସି ସୀମା ବା ଲିମିଟ୍ ଧାର୍ଯ୍ୟ କରାଯାଇ ନାହିଁ। ଅର୍ଥାତ୍, ଏପରି କୌଣସି ଆଇନଗତ ନିୟମ ନାହିଁ ଯେ ଜଣେ କେବଳ ଦୁଇ, ତିନି କିମ୍ବା ଚାରୋଟି କାର୍ଡ ହିଁ ରଖିପାରିବ। ଆପଣ ନିଜ ଆର୍ଥିକ ଆବଶ୍ୟକତା ଓ ସୁବିଧା ଅନୁଯାୟୀ ଏକାଧିକ କାର୍ଡ ବ୍ୟବହାର କରିପାରିବେ ।

ବ୍ୟାଙ୍କ କେଉଁ ସବୁ ଦିଗ ଉପରେ ନଜର ରଖେ?

ଆରବିଆଇର କଟକଣା ନଥିଲେ ମଧ୍ୟ ଏହାର ଅର୍ଥ ନୁହେଁ ଯେ ବ୍ୟାଙ୍କ ଆପଣଙ୍କୁ ଯେତେ ଚାହିଁବେ ସେତେ କାର୍ଡ ଦେଇଦେବ। କୌଣସି ନୂଆ କ୍ରେଡିଟ୍ କାର୍ଡ ଇସ୍ୟୁ କରିବା ପୂର୍ବରୁ ବ୍ୟାଙ୍କ ଗ୍ରାହକଙ୍କ ମାସିକ ଦରମା ବା ଆୟ, ପୂର୍ବ ନେଣଦେଣର ଇତିହାସ, ସିବିଲ୍ ସ୍କୋର୍ ଏବଂ ଆଗରୁ ଥିବା ଋଣ ବୋଝ ଉପରେ ତନ୍ନ ତନ୍ନ କରି ଯାଞ୍ଚ କରିଥାଏ ।

ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ପାଖରେ ପୂର୍ବରୁ ୩ଟି କାର୍ଡ ଅଛି ଏବଂ ସେଗୁଡ଼ିକର ସମୁଦାୟ ଲିମିଟ୍ ୫ ଲକ୍ଷ ଟଙ୍କା ରହିଛି, ତେବେ ଚତୁର୍ଥ କାର୍ଡ ପାଇଁ ଆବେଦନ କଲେ ବ୍ୟାଙ୍କ ଆପଣଙ୍କ ଋଣ ପରିଶୋଧ କ୍ଷମତାକୁ ଦେଖି ହିଁ ନିଷ୍ପତ୍ତି ନେଇଥାଏ।

କ୍ରେଡିଟ୍ ସ୍କୋର୍ ଉପରେ କ’ଣ ପ୍ରଭାବ ପଡ଼େ?

ଅନେକଙ୍କ ଧାରଣା ଥାଏ ଯେ ଅଧିକ କାର୍ଡ ରଖିଲେ କ୍ରେଡିଟ୍ ସ୍କୋର୍ ଖରାପ ହୋଇଯାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। କେବଳ ଏକାଧିକ କାର୍ଡ ରଖିବା ଦ୍ୱାରା ସ୍କୋର୍ ଖରାପ ହୁଏ ନାହିଁ, ବରଂ କ୍ରେଡିଟ୍ ୟୁଟିଲାଇଜେସନ୍ ରେସିଓ କମ୍ ରହିବା ଦ୍ୱାରା ଏହା ଫାଇଦା ଦେଇଥାଏ। ତେବେ ଆପଣ କାର୍ଡର କିପରି ବ୍ୟବହାର କରୁଛନ୍ତି ଏବଂ ଠିକ୍ ସମୟରେ ବିଲ୍ ପଇଠ କରୁଛନ୍ତି କି ନାହିଁ, ତାହା ଉପରେ ସ୍କୋର୍ ମୁଖ୍ୟତଃ ନିର୍ଭର କରେ ।

ଆପଣଙ୍କ ପାଖରେ ଏକାଧିକ କାର୍ଡରେ ଲକ୍ଷାଧିକ ଟଙ୍କାର ଲିମିଟ୍ ଥିଲେ ମଧ୍ୟ, ନିଜ ଆୟ ଅନୁଯାୟୀ ଖର୍ଚ୍ଚ କରିବା ବୁଦ୍ଧିମାନର କାମ। ମାସ ଶେଷରେ ଯେତିକି ଟଙ୍କା ଆପଣ ସହଜରେ ପରିଶୋଧ କରିପାରିବେ, କେବଳ ସେତିକି ହିଁ ଖର୍ଚ୍ଚ କରନ୍ତୁ । ଠିକ୍ ସମୟରେ ସମ୍ପୂର୍ଣ୍ଣ ବିଲ୍ ପଇଠ ନକଲେ ବକେୟା ରାଶି ଉପରେ ଉଚ୍ଚ ହାରରେ ସୁଧ ଏବଂ ଅତିରିକ୍ତ ଫି’ ଗଣିବାକୁ ପଡ଼ିଥାଏ.।

Leave A Reply

Your email address will not be published.