Latest Odisha News

BREAKING NEWS

ନେପାଳରେ ବନ୍ୟା; ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି, ୧୩୩ ଭାରତୀୟ ନିଖୋଜ…

ନୂଆଦିଲ୍ଲୀ: ତିବ୍ଦତ ସୀମା ନିକଟବର୍ତ୍ତୀ ନେପାଳର ରସୁୱା ଜିଲ୍ଲାରେ ବୁଧବାର ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ଅତି କମରେ ୧୬୦କୁ ବୃଦ୍ଧି ପାଇଛି।

ଏହି ଘଟଣାରେ ପ୍ରାୟ ୪୦୦ ଲୋକ ନିଖୋଜ ଅଛନ୍ତି। ଯେଉଁଥିରେ ୧୩୩ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୩୭ ଜଣ ପ୍ରବାସୀ ଭାରତୀୟ ଅଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅନେକ କୈଳାସ ମାନସରୋବର ଯାତ୍ରାରେ ଥିଲେ।

ପ୍ରଧାନମନ୍ତ୍ରୀ ମୋଦି ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି। ଭାରତ ସମସ୍ତ ପ୍ରକାରର ମାନବିକ ସହାୟତା ଯୋଗାଇବାକୁ ପ୍ରସ୍ତୁତ। ଭାରତୀୟ ବାୟୁସେନା ବିମାନ ଦ୍ୱାରା ରିଲିଫ୍ ସାମଗ୍ରୀ ପଠାଯାଉଛି ଏବଂ ଏନଡିଆରଏଫ ଦଳ ନିୟୋଜିତ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛି।

ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାରର ମାନବିକ ସହାୟତା ଯୋଗାଇ ଦେବାକୁ ମୋଦୀ ଶାହଙ୍କୁ ଆଶ୍ୱାସନା ଦେଇଛନ୍ତି। ଏହା ପରେ ମୋଦି ସୋସିଆଲ ମିଡିଆରେ କହିଛନ୍ତି, “ଏହି କଷ୍ଟକର ସମୟରେ ଭାରତର ଲୋକମାନେ ନେପାଳର ଭାଇଭଉଣୀମାନଙ୍କ ସହିତ ଏକାଠି ଠିଆ ହୋଇଛନ୍ତି।”

ଗଣ୍ଡକ ନଦୀରେ ଜଳ ପ୍ରବାହ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବିହାରରେ ହାଇ ଆଲର୍ଟ କରାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ବାଲ୍ମିକୀନଗରର ଗଣ୍ଡକ ବ୍ୟାରେଜର ସମସ୍ତ ୩୬ଟି ଗେଟ୍ ଖୋଲାଯାଇଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି।

ଏଥିପାଇଁ ବିପଦରେ ଏବଂ ସହାୟତା ଆବଶ୍ୟକ କରୁଥିବା  ଓଡ଼ିଶାର ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ଓଡ଼ିଶା ନିବାସ, ନୂଆଦିଲ୍ଲୀ ଠାରେ ଏକ ୨୪x୭ (୨୪ ଘଣ୍ଟିଆ) କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି।ନୂଆଦିଲ୍ଲୀ ସ୍ଥିତ ଓଡିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ଅନୁସାରେ ସହାୟତା ପାଇଁ ଓଡ଼ିଶା ନିବାସ, ନୂଆଦିଲ୍ଲୀ ପକ୍ଷରୁ ୨୪x୭ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କରାଯାଇଛି ।  ୦୧୧-୨୩୦୧୨୮୦୭ / ୭୪୨୮୧୩୫୦୪୪ / ୮୫୨୭୫୮୦୨୪୫ | ବୈଦେଶିକ ମନ୍ତ୍ରଣାଳୟ (MEA) ହେଲ୍ପଲାଇନ୍ ନମ୍ବର — +୯୭୭ ୯୮୫୧୩୧୬୮୦୭ / +୯୭୭ ୯୭୦୯୧୦୭୫୦୦

 

Leave A Reply

Your email address will not be published.