ନୂଆଦିଲ୍ଲୀ: ତିବ୍ଦତ ସୀମା ନିକଟବର୍ତ୍ତୀ ନେପାଳର ରସୁୱା ଜିଲ୍ଲାରେ ବୁଧବାର ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ଅତି କମରେ ୧୬୦କୁ ବୃଦ୍ଧି ପାଇଛି। ଏହି ଘଟଣାରେ ପ୍ରାୟ ୪୦୦ ଲୋକ ନିଖୋଜ ଅଛନ୍ତି।
ଯେଉଁଥିରେ ୧୩୩ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୩୭ ଜଣ ପ୍ରବାସୀ ଭାରତୀୟ ଅଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅନେକ କୈଳାସ ମାନସରୋବର ଯାତ୍ରାରେ ଥିଲେ। ଏହାରି ମଧ୍ୟରେ ସୂଚନା ମିଳିଛି ଯେ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ୨ ଓଡ଼ିଆ ରହିଛନ୍ତି।
ନିଖୋଜ ବ୍ୟକ୍ତିମାନେ ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ ବୋଲି ଚିହ୍ନଟ କରାଯାଇଛି। ସେମାନେ ଖୋର୍ଦ୍ଧାର ବାସିନ୍ଦା ବୋଲି ଜଣାପଡିଛି।
ତେବେ ଓଡିଶା ପରିବାର ନିର୍ଦ୍ଦେଶାଳୟର ଓଏସଡି ପ୍ରୀତୀଶ ପଣ୍ଡାଙ୍କ ଅନୁଯାୟୀ, ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ହେଲ୍ପଲାଇନ୍ ନମ୍ବରରେ ଆସିଥିବା କଲ୍ ଆଧାରରେ ସୂଚନା ସଂଗ୍ରହ କରାଯାଉଛି।
ଅପରପକ୍ଷରେ ଓଡ଼ିଶାର ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ଓଡ଼ିଶା ନିବାସ, ନୂଆଦିଲ୍ଲୀ ଠାରେ ଏକ ୨୪x୭ (୨୪ ଘଣ୍ଟିଆ) କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି।ନୂଆଦିଲ୍ଲୀ ସ୍ଥିତ ଓଡିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ଅନୁସାରେ ସହାୟତା ପାଇଁ ଓଡ଼ିଶା ନିବାସ, ନୂଆଦିଲ୍ଲୀ ପକ୍ଷରୁ ୨୪x୭ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି । ୦୧୧-୨୩୦୧୨୮୦୭ / ୭୪୨୮୧୩୫୦୪୪ / ୮୫୨୭୫୮୦୨୪୫ | ବୈଦେଶିକ ମନ୍ତ୍ରଣାଳୟ (MEA) ହେଲ୍ପଲାଇନ୍ ନମ୍ବର — +୯୭୭ ୯୮୫୧୩୧୬୮୦୭ / +୯୭୭ ୯୭୦୯୧୦୭୫୦୦।

