ପାରାଦୀପ: ଓସେନ୍ ୱିନର୍ ଜାହାଜର ଉଦ୍ଧାର ଦୁଇ ଜଣ କ୍ର୍ୟୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଉଛି। ଏହି ଦୁଇ ଜଣ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ‘ଭରଦ’ରେ ପାରାଦୀପ ଆସୁଛନ୍ତି। ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡିଯିବା ଘଟଣାରେ ଏବେ ବି ୨୨ ଜଣ ନିଖୋଜ ଅଛନ୍ତି। ଇମିଗ୍ରେସନ ବିଭାଗର ଯାଞ୍ଚ ପରେ ଜାହାଜ ଏଜେଣ୍ଟଙ୍କୁ ହସ୍ତାନ୍ତର ହେବେ ଏହି ଦୁଇ କ୍ରିୟୁ ସଦସ୍ୟ। ଉଭୟ ସଦସ୍ୟ ସୁସ୍ଥ ଥିବା ସୂଚନା ମିଳିଛି।
ଜାହାଜରେ ଇମିଗ୍ରେସନର ସ୍ବତନ୍ତ୍ର ଟିମ୍, ପାରାଦ୍ଵୀପ ଅତିରିକ୍ତ ଏସପି ଆଜିଙ୍କ୍ୟ ମାଣେ ଓ ସିଆଇଏସଏଫ ଅଧିକାରୀ ପହଞ୍ଚି ପ୍ରାଥମିକ ଯାଞ୍ଚ ପରେ ଉଭୟଙ୍କୁ ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରଥମିକ ଚିକିତ୍ସା ପରେ ଇମିଗ୍ରେସନ ଅଫିସ୍ ପକ୍ଷରୁ ଉଦ୍ଧାର ଦୁଇ ନାବିକଙ୍କୁ ଜାହାଜର ଏଜେନ୍ସୀକୁ ହସ୍ତାନ୍ତର କରାଯିବ ଏବଂ ଏଜେନ୍ସୀ ମାଧ୍ୟମରେ ସେମାନଙ୍କୁ କଲିକତା ନିଆଯିବ। ସେଠାରୁ ତାଙ୍କୁ ଚାଇନା ଦୂତାବାସ ସହିତ ଯୋଗାଯୋଗ କରାଯାଇ ହସ୍ତାନ୍ତର କରାଯିବ। ଏବେବି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଚାଇନାର ଦୁଇଟି ଜାହାଜ ଓ ନ୍ୟାଭିର ଦୁଇଟି ଏୟାରକ୍ରାଫ୍ଟ ସହିତ କୋଷ୍ଟଗାର୍ଡର ଗୋଟିଏ ଜାହାଜ।
ପାରାଦୀପ ବନ୍ଦରଠୁ ପ୍ରାୟ ୪୭୦ ନଟିକାଲ୍ ମାଇଲ୍ ଦୂରରେ ଗଭୀର ସମୁଦ୍ରରେ ଓସେନ ୱିନର୍ ଜାହାଜ ବୁଡି ଘଟଣାକୁ ଆଜିକୁ ୬ ଦିନ ବିତିଗଲାଣି। ପ୍ରଥମ ଦିନ କେବଳ ୨ ଜଣ କ୍ର୍ୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଚିକିତ୍ସା କରାଯାଉଥିଲା। ଅନ୍ୟ ୨୨ ଜଣ କ୍ର୍ୟୁ ସଦସ୍ୟ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କ ପତ୍ତା ମିଳୁନଥିବା ବେଳେ ଏବେ ବି ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି।

