ନୂଆଦିଲ୍ଲୀ: ଛାତି ଥରାଉଛି, ଲୋମଟାଙ୍କୁରି ଉଠୁଛି। ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ପାହାଡ଼ି ଦେଶ ନେପାଳ। ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଚିତ୍ର। ଧ୍ବଂସାବଶେଷ ତଳେ ଜାରି ରହିଛି ଜୀବନ ଖୋଜା। ପାହାଡ଼ି ଦେଶ ନେପାଳରେ ପ୍ରକୃତିର ଭୟଙ୍କର ତାଣ୍ଡବ। ଏଯାଏଁ ୩୯୨ ଜଣଙ୍କ ମୃତ୍ୟୁ ହେଲାଣି, ଶହ ଶହ ନିଖୋଜ ଅଛନ୍ତି। ଯେଉଁ ଅଞ୍ଚଳରେ କିଛି ଦିନ ତଳେ ଜୀବନ ସ୍ୱାଭାବିକ ଥିଲା, ଆଜି ସେଠାରେ ଖୋଜା ଚାଲିଛି ଜୀବନର ଚିହ୍ନ।
ରସୁୱାରେ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୯୨କୁ ବୃଦ୍ଧି ପାଇଛି। ଆହୁରୀ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ୧୪୬୮ ନିଖୋଜଙ୍କ ମଧ୍ୟରେ ୨୮୮ ଜଣ ଭାରତୀୟ ଥିବା ସୂଚନା ମିଳିଛି। ତ୍ରିଶୁଳି ପାୱାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ୭୩ ଜଣ ନିଖୋଜ ଅଛନ୍ତି। ସେହିପରି ତାମିଲନାଡୁର ୨ଟି ଗ୍ରୁପର ୩୭ ଓ ୩୯ ଜଣଙ୍କ ପତ୍ତା ମିଳୁନି। ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗର ୩୨ ଜଣଙ୍କୁ ଠାବ କରାଯାଇ ପାରିନାହିଁ। ଅନ୍ୟାନ୍ୟ ରାଜ୍ୟର ୬୧ ଜଣ ନିଖୋଜ ଥିବା ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି। କେତେ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି ସ୍ପଷ୍ଟ ହୋଇନି।
ଅନ୍ୟପଟେ ନେପାଳ ପ୍ରଳୟରେ ଇଶା ଫାଉଣ୍ଡେସନର ୮୦ ନିଖୋଜ ଅଛନ୍ତି। ‘S3’ ଗ୍ରୁପରେ ଥିଲେ ୩୪ ପୁରୁଷ ଏବଂ ୪୬ ମହିଳା। ଏହି ଖବରରେ ଫାଉଣ୍ଡେସନ ପ୍ରତିଷ୍ଠାତା ସଦଗୁରୁଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି। ଦୁଃଖ ପ୍ରକାଶ କରି କାନ୍ଦିଲେ ସଦଗୁରୁ ଜଗ୍ଗୀ ବାସୁଦେବ। ନେପାଳରେ ଗତ କିଛି ବର୍ଷ ମଧ୍ୟରେ ପ୍ରକୃତିର ସବୁଠୁ ବଡ଼ ବିନାଶକାରୀ ବିପର୍ଯ୍ୟୟ ମଧ୍ୟରୁ ଏହା ଅନ୍ୟତମ। ପ୍ରଭାବିତ ଅଞ୍ଚଳରେ ବ୍ୟାପକ ବ୍ୟାପକ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବନ୍ୟା ପାଣି ଓ ପାହାଡ଼ରୁ ମାଡ଼ି ଆସିଥିବା ମାଟି-ପଥର ଅନେକ ସ୍ଥାନରେ ବହୁତଳ କୋଠାର ତଳ ମହଲାକୁ ପୋତି ଦେଇଛି ।
ରାସ୍ତା ଓ ବ୍ରିଜ୍ ଭାସିଯାଇଥିବାରୁ ଅନେକ ଅଞ୍ଚଳକୁ ସ୍ଥଳପଥରେ ପହଞ୍ଚିବା କଷ୍ଟକର ହୋଇପଡ଼ିଛି। ନିଖୋଜ ବିଦେଶୀଙ୍କ ମଧ୍ୟରେ ଭାରତୀୟଙ୍କ ସହ ଅଷ୍ଟ୍ରେଲିଆ, ବ୍ରିଟେନ୍, ମାଲେସିଆ, ନେଦରଲାଣ୍ଡ୍ସ, ପର୍ତ୍ତୁଗାଲ୍, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଓ ଆମେରିକାର ନାଗରିକ ଅଛନ୍ତି। ନିଖୋଜ ଥିବା ଆତ୍ମୀୟ ସ୍ବଜନଙ୍କୁ ଚାହିଁ ରହିଛନ୍ତି ସଂପର୍କୀୟ । ଖୋଜି ଆଣିବାକୁ ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ ।

