ଭୁବନେଶ୍ୱର: ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଜମି ଦେବା ବାହାନାରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୂର୍ବତନ ବିଜେଡି ସରକାରର ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁଙ୍କୁ ପୋଲିସ ଗିରଫ କରିଛି । ଦିଲ୍ଲୀର ଏକ କୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ଜାମିନ ବିହୀନ ୱାରେଣ୍ଟ ବଳରେ ନୟାପଲ୍ଲୀ ଥାନା ପୋଲିସ ନୂଆସାହି ସ୍ଥିତ ଏକ ଆପାର୍ଟମେଣ୍ଟରେ ଚଢ଼ାଉ କରି ତାଙ୍କୁ ବାନ୍ଧିବାରେ ସଫଳ ହୋଇଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୨୪ ମସିହାରେ ସାଂସଦ ସୁଜିତ କୁମାର ନୂଆଦିଲ୍ଲୀର ତୋଗଲକ ରୋଡ୍ ଥାନାରେ ଅଜିତଙ୍କ ନାମରେ ଏକ ଠକେଇ ମାମଲା ରୁଜୁ କରିଥିଲେ। ଅଭିଯୋଗ ଥିଲା ଯେ ଅଜିତ ତାଙ୍କୁ ଜାଗା ଯୋଗାଇଦେବା ନାଁରେ ବିପୁଳ ଅର୍ଥ ନେଇ ଆଉ ଫେରାଉ ନାହାନ୍ତି କି ଜାଗା ଦେଉନାହାନ୍ତି। ଏହି ମାମଲାର ତଦନ୍ତ ବେଳେ ଦିଲ୍ଲୀର ପଟିଆଲା ହାଉସ କୋର୍ଟଙ୍କ ପକ୍ଷରୁ ଅଜିତଙ୍କୁ ବାରମ୍ବାର ସମନ ଜାରି କରାଯାଇଥିଲା। କିନ୍ତୁ ସେ କୋର୍ଟରେ ହାଜର ନହେବାରୁ ବିଚାରପତି ତାଙ୍କୁ ପଳାତକ ଘୋଷଣା କରିବା ସହ ଗିରଫ ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ ।
ଅନ୍ୟପକ୍ଷରେ, ଗିରଫ ହେବା ପୂର୍ବରୁ ଅଜିତ ସାହୁ ଗଣମାଧ୍ୟମ ଆଗରେ ନିଜର ପକ୍ଷ ରଖି ସମସ୍ତ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି। ଏହି ଘଟଣାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ଆଖ୍ୟା ଦେଇ ସେ କହିଛନ୍ତି ଯେ, ଏହା କୌଣସି ଜମିଜମା କାରବାର ନୁହେଁ, ବରଂ ଦୁଇ ଜଣଙ୍କ ମଧ୍ୟରେ ଥିବା ଏକ ବ୍ୟକ୍ତିଗତ ଧାରଉଧାରର ବିଷୟ। ସାଂସଦଙ୍କ ଠାରୁ ନେଇଥିବା ଅର୍ଥର ୭୫ ପ୍ରତିଶତ ସେ ସୁଝି ସାରିଛନ୍ତି ଏବଂ ବାକି ୨୫ ପ୍ରତିଶତ ଦେବା ପାଇଁ ମାତ୍ର ସପ୍ତାହେ ସମୟ ମାଗିଥିଲେ। ଉଭୟଙ୍କ ଓକିଲଙ୍କ ମଧ୍ୟରେ ଏନେଇ ନିୟମିତ ଆଲୋଚନା ମଧ୍ୟ ଚାଲିଥିଲା। ଏପରିକି ସୁଜିତ କୁମାର ନିଜ ନିର୍ବାଚନୀ ସତ୍ୟପାଠରେ ମଧ୍ୟ ଅଜିତଙ୍କ ଠାରୁ ୨୦ ଲକ୍ଷ ଟଙ୍କା ପାଇବା ନେଇ ଉଲ୍ଲେଖ କରିଛନ୍ତି ବୋଲି ସେ ଦାବି କରିଛନ୍ତି ।
କୋର୍ଟଙ୍କ ନୋଟିସ ସମ୍ପର୍କରେ ସେ ଅବଗତ ନଥିଲେ ବୋଲି ଦର୍ଶାଇ ଅଜିତ କହିଛନ୍ତି ଯେ, “ମୋ ପାଖକୁ ଆସିଥିବା କୌଣସି ନୋଟିସ ମୁଁ ଗ୍ରହଣ କରିନାହିଁ। ମୁଁ ଜଣେ ଉଚ୍ଚଶିକ୍ଷିତ ଇଞ୍ଜିନିୟର ଓ ଏମବିଏ ଡିଗ୍ରୀଧାରୀ, ପୂର୍ବରୁ ନବୀନ ଜିନ୍ଦଲଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସହ କାମ କରିଛି। ମୁଁ ନିଜ ବ୍ୟବସାୟ ଓ ରାଜନୀତିରେ ବାପାଙ୍କୁ ସାହାଯ୍ୟ କରୁଛି। ଟଙ୍କା ଠକିଥିଲେ ମୁଁ କେବେଠୁ ଫେରାର ହୋଇଯାଇଥାନ୍ତି।” ତେବେ ସାଂସଦ ନିକଟରେ ଦଳ ବଦଳାଇ ଏବେ ସରକାରରେ ଥିବାରୁ, କ୍ଷମତାର ଅପବ୍ୟବହାର କରି ତାଙ୍କ ବିରୋଧରେ ଏଭଳି ମିଥ୍ୟା ଷଡ଼ଯନ୍ତ୍ର ରଚିଛନ୍ତି ବୋଲି ଅଜିତ ପାଲଟା ଅଭିଯୋଗ ଆଣିଛନ୍ତି।

