Latest Odisha News

BREAKING NEWS

PM Modi Visits: ମୋଦୀଙ୍କ ମିଶନ୍ ମଧ୍ୟ ଏସିଆ; ଉଜବେକିସ୍ତାନରୁ କିର୍ଗିଜସ୍ତାନ, ପୁଟିନଙ୍କ ସହ ସାକ୍ଷାତ…ଗସ୍ତରେ ରହିଛି ଏହି ବଡ଼ ଯୋଜନା…

ନୂଆଦିଲ୍ଲୀ: ତିନି ଦିନିଆ ଉଜବେକିସ୍ତାନ ଓ କିର୍ଗିଜସ୍ତାନ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତ ସମୟରେ ସେ ୨୬ତମ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗଦେବା ସହ ଅନେକ SCO ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏଥିରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ମଧ୍ୟ ସାମିଲ ରହିଛି। ଭାରତର ମଧ୍ୟ ଏସିଆ ସହ ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ଗଭୀର କରିବା ଏହି ଗସ୍ତର ପ୍ରମୁଖ ଲକ୍ଷ୍ୟ।

ଦୁଇ ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପିଏମ୍ ମୋଦୀ ଉଜବେକିସ୍ତାନର ରାଜଧାନୀ ତାସକେଣ୍ଟରେ ପହଞ୍ଚିବେ। ଏହା ତାଙ୍କର ଚତୁର୍ଥ ଉଜବେକିସ୍ତାନ ଗସ୍ତ ହେବ। ସେଠାରେ ଉଜବେକିସ୍ତାନ ରାଷ୍ଟ୍ରପତି ଶାଭକତ ମିର୍ଜିୟୋୟେଭଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ ମୋଦୀ। ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ସହ ବାଣିଜ୍ୟ, ନିବେଶ, ଡିଜିଟାଲ ସଂଯୋଗ, ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହେବ। ଏହା ସହ ମୋଦୀ ତାସକେଣ୍ଟର ଶାସ୍ତ୍ରୀ ସ୍ମାରକ ଏବଂ ତାସକେଣ୍ଟ ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ଓରିଏଣ୍ଟାଲ ଷ୍ଟଡିଜ୍‌ରେ ଥିବା ମହାତ୍ମା ଗାନ୍ଧୀ କେନ୍ଦ୍ର ପରିଦର୍ଶନ କରିବେ। ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଥିବା ଐତିହାସିକ, ସାଂସ୍କୃତିକ ଓ ଜନସମ୍ପର୍କର ଘନିଷ୍ଠତାକୁ ଏହା ପ୍ରତିଫଳିତ କରିବ। ମୋଦୀ କହିଛନ୍ତି ଯେ, ଉଭୟ ଦେଶର ବିକଶିତ ଭାରତ (Viksit Bharat) ଏବଂ ୟାଙ୍ଗି ଉଜବେକିସ୍ତାନ (Yangi Uzbekistan)ର ଲକ୍ଷ୍ୟ ସହ ସମନ୍ୱୟ ରଖି ସହଯୋଗକୁ ଆହୁରି ଆଗକୁ ନେବା ଉପରେ ଆଲୋଚନା ହେବ।

ଉଜବେକିସ୍ତାନ ଗସ୍ତ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିବ। ଏହାପରେ ପିଏମ୍ ମୋଦୀ କିର୍ଗିଜସ୍ତାନର ରାଜଧାନୀ ବିଶ୍କେକ୍ ଯାଇ SCO ସମ୍ମିଳନୀରେ ଯୋଗଦେବେ। କିର୍ଗିଜସ୍ତାନ ରାଷ୍ଟ୍ରପତି ସାଦିର ଜାପାରୋଭଙ୍କ ନିମନ୍ତ୍ରଣରେ ମୋଦୀ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି। ଏହି ସମ୍ମିଳନୀ SCOର ୨୫ତମ ବାର୍ଷିକୀ ସହ ଜଡ଼ିତ। ଭାରତ ୨୦୧୭ ମସିହାରୁ SCOର ପୂର୍ଣ୍ଣ ସଦସ୍ୟ ରହିଛି। ସମ୍ମିଳନୀ ଅବସରରେ ମୋଦୀ SCOର ଅନେକ ସଦସ୍ୟ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏଥିରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବୈଠକ ଉପରେ ବିଶେଷ ନଜର ରହିଛି।

SCO ସମ୍ମିଳନୀରେ ମୋଦୀ ଭାରତର ମଧ୍ୟ ଏସିଆ ଦୃଷ୍ଟିକୋଣକୁ ସୁରକ୍ଷା, ସଂଯୋଗ ଓ ସୁଯୋଗ ଉପରେ ଆଧାରିତ କରି ଆଗକୁ ବଢ଼ାଇବା ନେଇ ଆଲୋଚନା କରିବେ। ଏହା ସହ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଓ ଉଗ୍ରବାଦ ବିରୋଧରେ ଏକଜୁଟ ହୋଇ କାମ କରିବା ଉପରେ ମଧ୍ୟ ଭାରତ ଜୋର ଦେବ। ଏହି ତିନୋଟି ସମସ୍ୟା ଅଞ୍ଚଳର ଶାନ୍ତି ଓ ସ୍ଥିରତା ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ମୋଦୀ କହିଛନ୍ତି। SCO ସମ୍ମିଳନୀ ପରେ ପିଏମ୍ ମୋଦୀ କିର୍ଗିଜସ୍ତାନରେ ଆୟୋଜିତ ଷଷ୍ଠ ବିଶ୍ୱ ନୋମାଡ୍ ଗେମ୍ସର ଉଦ୍‌ଘାଟନୀ ସମାରୋହରେ ମଧ୍ୟ ଯୋଗଦେବେ। ଏହି ତିନି ଦିନିଆ ଗସ୍ତ ମାଧ୍ୟମରେ ଭାରତ ଓ ମଧ୍ୟ ଏସିଆ ଦେଶଗୁଡ଼ିକ ମଧ୍ୟରେ ରଣନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଭାରତ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.