ନୂଆଦିଲ୍ଲୀ: କ୍ରିକେଟର ରବିନ ଉଥପ୍ପାଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ ସ୍ପଷ୍ଟ ଭାବେ ଲେଖିଛନ୍ତି ଆଇପିଏଲ ପଦାର୍ପଣରେ କୋଟି କୋଟି ଟଙ୍କା ମିଳିବା ମୋତେ ନଷ୍ଟ କରି ଦେଇଥିଲା । ଏବେକାର ଯୁବପିଢ଼ୀ ଏଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ୨୦୦୮ରେ ମାତ୍ର ୨୨ ବର୍ଷ ବୟସରେ ରବିନ୍ ଉଥପ୍ପାଙ୍କୁ ୩.୨ କୋଟି ଟଙ୍କାର ପ୍ରଥମ ଆଇପିଏଲ ଚୁକ୍ତି ମିଳିଥିଲା । ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସେ କେବେ ଭାବି ନ ଥିଲେ ଯେ ନିଜର ୨୨ତମ ଜନ୍ମଦିନ ପୂର୍ବରୁ ସେ ଗୋଟିଏ ସିଜିନ୍ରେ ତାଙ୍କ ପରିବାରର ପିଢ଼ି ପିଢ଼ିଠାରୁ ଅଧିକ ରୋଜଗାର କରିନେବେ ।
ଉଥପ୍ପା କହିଛନ୍ତି ଯେତେବେଳେ କୌଣସି ମଧ୍ୟବିତ୍ତ ପରିବାର ପାଖକୁ ହଠାତ୍ ବିପୁଳ ପରିମାଣର ପଇସା ଆସିଯାଏ, ସେତେବେଳେ ମନରେ ଅନେକ ଦ୍ୱନ୍ଦ୍ୱ, ଭୁଲ ବୁଝାମଣା ଏବଂ ଜଟିଳ ସ୍ଥିତି ସୃଷ୍ଟି ହୁଏ । କେଉଁଠି ନିବେଶ କରିବେ, କାହାକୁ ବିଶ୍ୱାସ କରିବେ ଏବଂ ଆତ୍ମୀୟ ସ୍ୱଜନଙ୍କୁ ପଇସାର ସୀମା କିପରି ବୁଝାଇବେ, ସେ ବିଷୟରେ କୌଣସି ସ୍କୁଲ ବା କ୍ଲାସ୍ରେ ଶିଖାଯାଏନାହିଁ । ୨୦୦୯ ସୁଦ୍ଧା ସେ ମାନସିକ ଅବସାଦର ଶିକାର ହୋଇଥିଲେ । ଦକ୍ଷିଣ ଆଫ୍ରିକାର ଏକ ହୋଟେଲର ୨୩ତମ ମହଲାରେ ବସିଥିବା ସମୟରେ ତାଙ୍କୁ ଅନୁଭବ ହୋଇଥିଲା ଯେ ଏହି ଅର୍ଥ ତାଙ୍କୁ ମାନସିକ ଶାନ୍ତି, ସମୟ ବା ଆତ୍ମସମ୍ମାନ ଦେଇପାରିବ ନାହିଁ । ଉଥପ୍ପା ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି ଯେ, ହଠାତ୍ ବଡ଼ ଅର୍ଥ ଲାଭ ହେଲେ ତୁରନ୍ତ ଜଣେ ଭଲ ଫାଇନାନ୍ସିଆଲ୍ ଆଡଭାଇଜର ଏବଂ ମାନସିକ ଶାନ୍ତି ପାଇଁ ଥେରାପିଷ୍ଟଙ୍କ ସାହାଯ୍ୟ ନିଅନ୍ତୁ । ପଇସା ମିଳିବା ପୂର୍ବରୁ ହିଁ ତାହାର ବ୍ୟବହାର ଓ ସୀମା ନିର୍ଦ୍ଧାରଣ କରିବା ଉଚିତ୍ ।

