Latest Odisha News

BREAKING NEWS

ଖଡ଼ଗେଙ୍କ ଗସ୍ତ ପରେ ‘ଶୁଦ୍ଧିକରଣ’କୁ ନେଇ ତେଜିଲା ରାଜନୀତି, କଂଗ୍ରେସକୁ ଦଳିତ ବିରୋଧୀ କହିଲା ବିଜେପି

ଡେରାଡୁନ: ଉତ୍ତରାଖଣ୍ଡର ହଲଦ୍ୱାନୀଠାରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଗସ୍ତ ପରେ ହୋଇଥିବା କଥିତ ‘ଶୁଦ୍ଧିକରଣ’ ବିବାଦ ଏବେ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏସସି/ଏସଟି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦାବି କରିଥିଲେ ।

ତେବେ ରାହୁଲଙ୍କ ଏହି ଦାବି ଉପରେ ଭାରତୀୟ ଜନତା ପାର୍ଟି କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ପାଲଟା ଆକ୍ରମଣ କରିଛି । ରାହୁଲ ଗାନ୍ଧୀ ମିଥ୍ୟା ଆଧାରରେ ଭାରତୀୟ ସମାଜରେ ବିଷ ଘୋଳିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଶନିବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ ଭାଇରାଲ ହେଉଥିବା ଭିଡିଓରେ ଦୂରଦୂରାନ୍ତ ପର୍ଯ୍ୟନ୍ତ କୌଣସି ପ୍ରକାରର ଜାତିଗତ ଦିଗ କିମ୍ବା ଉଦ୍ଦେଶ୍ୟ ନାହିଁ ।

କଂଗ୍ରେସ ଦଳ ପାଖରେ ଏବେ ଲୋକଙ୍କ ନିକଟକୁ ଯିବା ପାଇଁ କୌଣସି ନୂଆ ବିଚାର କିମ୍ବା ସକାରାତ୍ମକ ପ୍ରସଙ୍ଗ ବାକି ନାହିଁ । ତେଣୁ ସେମାନେ କ୍ଷମତା ହାସଲ ପାଇଁ ବାରମ୍ବାର ଜାତି, ଭାଷା, ଅଞ୍ଚଳ ଏବଂ ଲିଙ୍ଗ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇ ସମାଜକୁ ବିଭାଜନ କରିବାକୁ ଘୃଣ୍ୟ ପ୍ରୟାସ କରୁଛନ୍ତି । ତ୍ରିବେଦୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ହିନ୍ଦୁମାନଙ୍କୁ ପରସ୍ପର ମଧ୍ୟରେ ଲଢ଼ାଇବା ହିଁ କଂଗ୍ରେସର ଏକମାତ୍ର ଉଦ୍ଦେଶ୍ୟ ପାଲଟିଛି ଏବଂ କଂଗ୍ରେସ ପରୋକ୍ଷରେ ମାକଲେ, ମାର୍କ୍ସ ଏବଂ ମୌଲାନାଙ୍କ ବିଚାରଧାରାକୁ ଆଗକୁ ବଢ଼ାଉଛି ।

ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ଦଳିତ ପ୍ରେମକୁ ନେଇ ମଧ୍ୟ ବିଜେପି କଡ଼ା ପ୍ରଶ୍ନ ଉଠାଇଛି । ଅତୀତରେ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଘଟିଥିବା ଘଟଣାଗୁଡ଼ିକୁ ମନେ ପକାଇଦେଇ ତ୍ରିବେଦୀ କହିଛନ୍ତି ଯେ, ୨୦୧୯ ଏବଂ ୨୦୨୧ ମସିହାରେ ରାଜସ୍ଥାନର ଭିୱାଡି, ଆଲୱାର ଏବଂ ଝାଲାୱାଡ଼ରେ ଦଳିତ ଯୁବକଙ୍କ ଉପରେ ହୋଇଥିବା ପ୍ରାଣଘାତୀ ଆକ୍ରମଣ ସମୟରେ କଂଗ୍ରେସ ସରକାର କେଉଁ ପଦକ୍ଷେପ ନେଇଥିଲେ?

ସେହିପରି କର୍ଣ୍ଣାଟକରେ ଦଳିତ ସମ୍ପ୍ରଦାୟର ପୂର୍ବତନ କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ବାସଭବନ ଉପରେ ଯେତେବେଳେ ଆକ୍ରମଣ ହୋଇଥିଲା, ସେତେବେଳେ ନିଜ ଦଳ ତାଙ୍କୁ ସମର୍ଥନ ନଦେଇ ଏକୁଟିଆ ଛାଡ଼ିଦେଇଥିଲା ଏବଂ ତାଙ୍କୁ ନ୍ୟାୟାଳୟରେ ଏକାକୀ ଲଢ଼ିବାକୁ ପଡ଼ିଥିଲା ।

ଏହି ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବିଜେପିର ଅନ୍ୟତମ ମୁଖପାତ୍ର ଗୁରୁ ପ୍ରକାଶ ପାଶ୍ୱାନ ମଧ୍ୟ କଂଗ୍ରେସକୁ ଏକ ଦଳିତ ବିରୋଧୀ ମାନସିକତା ରଖୁଥିବା ଦଳ ବୋଲି ଆକ୍ଷେପ କରିଛନ୍ତି । ହଲଦ୍ୱାନୀର ଏହି କଥିତ ଶୁଦ୍ଧିକରଣ ଘଟଣାକୁ ନେଇ ଆରମ୍ଭ ହୋଇଥିବା ଏହି ବୟାନବାଜି ଏବେ ଉଭୟ ପ୍ରମୁଖ ଦଳ ମଧ୍ୟରେ ରାଜନୈତିକ ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛି ।

Leave A Reply

Your email address will not be published.