MMDR Bill 2026: MMDR ସଂଶୋଧନ ବିଲ୍-୨୦୨୬କୁ ନେଇ ସାଂସଦଙ୍କ ପ୍ରତିକ୍ରିୟା;ନବୀନଙ୍କ ପତ୍ରର ଉତ୍ତର ରଖିଲେ ଧର୍ମେନ୍ଦ୍ର
ଭୁବନେଶ୍ବର:MMDR ସଂଶୋଧନ ବିଲ୍-୨୦୨୬(MMDR Amendment Act, 2026)କୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପତ୍ରର ଉତ୍ତର ରଖିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ତଥ୍ୟକୁ ଗୋପନ ରଖି ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଅନୁଚିତ୍ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ପ୍ରକାଶ କରିଛନ୍ତି।
ନୂଆ ଆଇନ ଦ୍ୱାରା ଖଣିଜ ରାଜସ୍ୱର ପ୍ରାୟ ୯୦% ସିଧାସଳଖ ରାଜ୍ୟ କୋଷାଗାରକୁ ଯିବ । ଓଡ଼ିଶା ନିଲାମ ପ୍ରିମିୟମର ୧୧୦%, ରୟାଲଟି ୧୫% DMF ପାଣ୍ଠି ସମ୍ପୂର୍ଣ୍ଣ ପାଇବ । ୨୦୧୪ ପୂର୍ବରୁ ଓଡ଼ିଶାର ବାର୍ଷିକ ରାଜସ୍ୱ ମାତ୍ର ୫ ହଜାର କୋଟି ଥିଲା । ୨୦୧୫ରେ ସ୍ୱଚ୍ଛ ଇ-ନିଲାମ ନୀତି ଯୋଗୁଁ ୫୦ହଜାର କୋଟିରେ ପହଞ୍ଚିଛି । ରାଜ୍ୟର ବିକାଶ ଓ ଯୁବପିଢ଼ିଙ୍କ ସ୍ୱାର୍ଥରେ ସାଂସଦ ଏହି ବିଲକୁ ସମର୍ଥନ କରିଛନ୍ତି । ଦଳୀୟ ମନୋଭାବରୁ ଉର୍ଦ୍ଧ୍ୱକୁ ଯାଇ ସମର୍ଥନ କରିବାକୁ କହିଛନ୍ତି ଧର୍ମେନ୍ଦ୍ର ।
ସାଂସଦ ପ୍ରଧାନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗଣତନ୍ତ୍ରରେ ରାଜନୈତିକ ଆଲୋଚନା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ହେଁ, ସଂସଦରେ ଓଡ଼ିଶାର ସ୍ୱର ଭାବରେ ଜାତୀୟ ବିକାଶ ସହ ରାଜ୍ୟର ଅର୍ଥନୀତିର ବ୍ୟାପକତା ଏବଂ ସଂରଚନାଗତ ସ୍ୱାର୍ଥ ରକ୍ଷା କରିବା ଆମର ପ୍ରାଥମିକ ଦାୟିତ୍ୱ । ଏମଏମଡିଆର ସଂଶୋଧନ ଅଧିନିୟମ, ୨୦୨୬ ହେଉଛି ଏକ ଐତିହାସିକ ପଦକ୍ଷେପ ଯାହା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ରାଜ୍ୟ ରାଜସ୍ୱର ସୁରକ୍ଷା ଏବଂ ନାଗରିକମାନଙ୍କୁ ମୁଦ୍ରାସ୍ଫୀତିରୁ ରକ୍ଷା କରିବ।
ନୂତନ ଆଇନ ଅନୁଯାୟୀ, ଖଣି କ୍ଷେତ୍ରରୁ ମିଳୁଥିବା ମୋଟ ରାଜସ୍ୱର ପ୍ରାୟ ୯୦% ସିଧାସଳଖ ରାଜ୍ୟ ରାଜକୋଷକୁ ଯିବ । ଓଡ଼ିଶା ନିଜର ନିଲାମ ପ୍ରିମିୟମର ୧୧୦%, ରୟାଲଟିର ୧୫% ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିର ସମସ୍ତ ଅଂଶ ପୂର୍ବପରି ପାଇବ । ଅପରପକ୍ଷରେ ୨୦୧୪ ପୂର୍ବରୁ ମନମୁଖୀ ଭାବରେ ଅସ୍ୱଚ୍ଛ ଉପାୟରେ ନିଜ ପସନ୍ଦର ପରିବାର ଓ ସଂସ୍ଥାମାନଙ୍କୁ ଖଣି ବଣ୍ଟନ କରାଯାଉଥିଲା, ଯାହାଫଳରେ ଓଡ଼ିଶାର ବାର୍ଷିକ ଖଣି ରାଜସ୍ୱ ମାତ୍ର ୫,୦୦୦ କୋଟି ଟଙ୍କାରେ ସୀମିତ ଥିଲା । ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ଏମଏମଡିଆର ସଂଶୋଧନ ଦ୍ୱାରା ସ୍ୱଚ୍ଛ ଇ-ନିଲାମ ଏବଂ ରୟାଲଟି ୧୦% ରୁ ୧୫% କୁ ବୃଦ୍ଧି କରାଯାଇଥିଲା। ଫଳରେ ରାଜ୍ୟର ବାର୍ଷିକ ଖଣି ରାଜସ୍ୱ ଦଶଗୁଣ ବୃଦ୍ଧି ପାଇ ପ୍ରାୟ ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି ।
ଆହୁରି ପତ୍ରରେ ଉଲ୍ଲେଖ କରିଛନ୍ତି, ୨୦୧୫ରୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ଡିଏମଏଫ୍ ମାଧ୍ୟମରେ ଓଡ଼ିଶାର ଖଣି ଅଞ୍ଚଳଗୁଡ଼ିକର ବିକାଶ ପାଇଁ ୩୭,୦୦୦ କୋଟିରୁ ଅଧିକ ଟଙ୍କା ମିଳିଛି । ଓଡ଼ିଶାର ସାଂସଦମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥ, ଶିଳ୍ପ ସମୃଦ୍ଧି ଏବଂ ଯୁବପିଢ଼ିଙ୍କ ନିଯୁକ୍ତି ସୁରକ୍ଷା ପାଇଁ ସଂସଦରେ ଏମଏମଡିଆର୍ ସଂଶୋଧନ ବିଲ୍, ୨୦୨୬ କୁ ସମର୍ଥନ କରିଛନ୍ତି । ବିରୋଧୀ ଦଳ ନେତା ଏହି ଐତିହାସିକ ଆଇନକୁ ସମର୍ଥନ ଆହ୍ୱାନ ଦେଇଛନ୍ତି।

