S-400: ‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନକୁ କନ୍ଦାଇଥିଲା…ପୁଣି ବଡ଼ ଡିଲ୍ କରିବ ଭାରତ! ରୁଷିଆ ଦେଲା ୫ ୟୁନିଟ୍ର ଅଫର…
ନୂଆଦିଲ୍ଲୀ: ମୋଦୀଙ୍କ ଆଗରେ ବଡ ପ୍ରସ୍ତାବ ରଖିଲେ ପୁଟିନ୍!
ଭାରତ ଆସିପାରେ ଆହୁରି S-400!
ଯାହାର ପ୍ରହାର ପାକିସ୍ତାନକୁ କନ୍ଦାଇଥିଲା…
‘ଅପରେସନ୍ ସିନ୍ଦୂର’ ସମୟରେ ଭାରତର ଏୟାର ଡିଫେନ୍ସ କ୍ଷମତାର ଦମ୍ ଦେଖିଥିଲା ପାକିସ୍ତାନ। ଏବେ ଏହି ଶକ୍ତିକୁ ଆହୁରି ମଜବୁତ କରିବାକୁ ଭାରତ ପୁଣି ଏକ ବଡ଼ ପ୍ରତିରକ୍ଷା ଡିଲ୍ କରିପାରେ। ରୁଷିଆ ଭାରତକୁ ଆଉ ୫ଟି S-400 ଟ୍ରାୟମ୍ଫ ଲଙ୍ଗ୍-ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ ସିଷ୍ଟମ୍ ଦେବାକୁ ପ୍ରସ୍ତାବ ଦେଇଥିବା ଖବର ସାମ୍ନାକୁ ଆସିଛି। କିର୍ଗିଜସ୍ତାନରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ମଧ୍ୟରେ ସାକ୍ଷାତ୍ ଆଲୋଚନା ହୋଇଛି। ଏହି ଉଚ୍ଚସ୍ତରୀୟ ଆଲୋଚନା ସମୟରେ ରୁଷିଆ ପକ୍ଷରୁ ଭାରତକୁ ଆଉ ୫ଟି S-400 ଏୟାର ଡିଫେନ୍ସ ସିଷ୍ଟମ୍ ବିକ୍ରି କରିବା ନେଇ ପ୍ରସ୍ତାବ ଆସିଥିବା ଖବର ମିଳିଛି।
ଭାରତୀୟ ସେନାରେ ‘ସୁଦର୍ଶନ’ ନାମରେ ପରିଚିତ S-400 ଏକ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍। ‘ଅପରେସନ୍ ସିନ୍ଦୂର’ ସମୟରେ ଏହା ଭାରତୀୟ ଆକାଶସୀମାକୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଏହାର ଲଙ୍ଗ୍-ରେଞ୍ଜ ରାଡାର ଏବଂ ଇଣ୍ଟରସେପ୍ଟର ମିସାଇଲ୍ର ମିଶ୍ରଣ ଏହାକୁ ଶତ୍ରୁର ବିମାନ ଓ ଅନ୍ୟାନ୍ୟ ଆକାଶମାର୍ଗୀୟ ବିପଦ ବିରୋଧରେ ଏକ ଶକ୍ତିଶାଳୀ ପ୍ରତିରକ୍ଷା ବ୍ୟବସ୍ଥାରେ ପରିଣତ କରିଛି। S-400ର ଭିନ୍ନ ଇଣ୍ଟରସେପ୍ଟର ମିସାଇଲ୍ର କ୍ଷମତା ଅନୁସାରେ ଏହା ପ୍ରାୟ ୪୦୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ୍କୁ ନଜରରେ ରଖି ମୁକାବିଲା କରିପାରେ।
ୱେଷ୍ଟର୍ନ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ପୂର୍ବରୁ କହିଥିବା ଅନୁସାରେ, S-400 ରେକର୍ଡରେ ସବୁଠାରୁ ଦୀର୍ଘ ଦୂରତାର ସର୍ଫେସ୍-ଟୁ-ଏୟାର ମିସାଇଲ୍ ଆକ୍ସନ୍ ମଧ୍ୟରୁ ଗୋଟିଏ କରିଥିଲା। ତାଙ୍କ ଦାବି ଅନୁସାରେ, ପ୍ରାୟ ୩୧୪ କିଲୋମିଟର ଦୂରରେ ପାକିସ୍ତାନର ଏକ ସର୍ଭିଲାନ୍ସ ଏୟାରକ୍ରାଫ୍ଟକୁ ଏହା ଟାର୍ଗେଟ୍ କରିଥିଲା। ଏହି କାରଣରୁ ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାରେ S-400ର ଗୁରୁତ୍ୱ ଆହୁରି ବଢ଼ିଛି।
ଭାରତ ୨୦୧୮ରେ ରୁଷିଆ ସହ ୫ଟି S-400 ସିଷ୍ଟମ୍ କିଣିବା ପାଇଁ ଚୁକ୍ତି କରିଥିଲା। ଏହା ଅନୁସାରେ ଏପର୍ଯ୍ୟନ୍ତ ୪ଟି ୟୁନିଟ୍ ଭାରତକୁ ମିଳିସାରିଛି। ଅବଶିଷ୍ଟ ପଞ୍ଚମ ୟୁନିଟ୍ ମଧ୍ୟ ନଭେମ୍ବର ସୁଦ୍ଧା ଆସିବାର ଆଶା ରହିଛି। ଏବେ ଯଦି ରୁଷିଆର ପ୍ରସ୍ତାବ ଉପରେ ଭାରତ ସହମତ ହୁଏ, ତେବେ ଆଉ ୫ଟି S-400 ୟୁନିଟ୍ ଭାରତୀୟ ଏୟାର ଡିଫେନ୍ସ ନେଟୱର୍କରେ ସାମିଲ ହୋଇପାରେ।
ନୂଆ S-400 ସିଷ୍ଟମ୍ଗୁଡ଼ିକୁ ଭାରତ ତା’ର ପଶ୍ଚିମ ଓ ପୂର୍ବ ସୀମା ନିକଟରେ ମୁତୟନ କରିପାରେ ବୋଲି ଆଶା କରାଯାଉଛି। ଏହା ଫଳରେ ଭାରତର ଲେୟର୍ଡ ଏୟାର ଡିଫେନ୍ସ ବ୍ୟବସ୍ଥା ଆହୁରି ମଜବୁତ ହେବ।
କେବଳ S-400 ନୁହେଁ, ଭାରତ-ରୁଷିଆ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ସମୟରେ ଅନ୍ୟ ପ୍ରତିରକ୍ଷା ପ୍ଲାଟଫର୍ମ ନେଇ ମଧ୍ୟ ରୁଷିଆ ପ୍ରସ୍ତାବ ଦେଇଛି କୁହାଯାଉଛି । ଯେଉଁଥିରେ S-500 ପ୍ରୋମେଥିଅସ୍, Su-57E ଷ୍ଟେଲ୍ଥ୍ ଫାଇଟର୍, କିଲୋ-କ୍ଲାସ୍ ପନ୍ଡୁବୀ, ଭୋରୋନେଜ୍ ଆର୍ଲି-ୱାର୍ଣ୍ଣିଂ ରାଡାର୍, ଭାରତର Su-30MKI ବିମାନ ବେଡ଼ର ଅପଗ୍ରେଡ୍ ଭଳି ପ୍ରସ୍ତାବ ସାମିଲ ଥିବା କୁହାଯାଉଛି। ଯାହା ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବ । ଯାହାପରେ ଏବେ ଭାରତ-ରୁଷିଆ ମଧ୍ୟରେ ହେବାକୁ ଥିବା ନୂଆ ଚୁକ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

