ଭୁବନେଶ୍ୱର: ରାଜ୍ୟରେ ଏବେ ଚିନି ଦର ଆକାଶଛୁଆଁ ହେବାରେ ଲାଗିଛି । ଖୁଚୁରା ବଜାରରେ କିଲୋପ୍ରତି ଦର ୭୦ ଟଙ୍କା ଛୁଇଁବା ସାଧାରଣ ଖାଉଟିଙ୍କ ଚିନ୍ତାକୁ ବହୁଗୁଣିତ କରିଦେଇଛି । ଏଭଳି ସ୍ଥିତିରେ ଦରଦାମ୍ ନିୟନ୍ତ୍ରଣ ଏବଂ ବ୍ୟାପକ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଚିନିର କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅସାଧୁ ବ୍ୟବସାୟୀ ଏବଂ ମୁନାଫାଖୋରଙ୍କ ଉପରେ ଲଗାମ ଲଗାଇବା ପାଇଁ ସରକାର ଡିଲରମାନଙ୍କ ଚିନି ମହଜୁଦ ସୀମାକୁ ସିଧାସଳଖ ଅଧାକୁ ହ୍ରାସ କରିଦେଇଛନ୍ତି ।
ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଣିକି କୌଣସି ଡିଲର ବା ଘରୋଇ ବ୍ୟବସାୟୀ ନିଜ ଗୋଦାମରେ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଚିନି ମହଜୁଦ ରଖିପାରିବେ ନାହିଁ। ପୂର୍ବରୁ ବ୍ୟବସାୟୀମାନଙ୍କୁ ୪ ହଜାର କ୍ୱିଣ୍ଟାଲ ପର୍ଯ୍ୟନ୍ତ ଚିନି ଷ୍ଟକ୍ କରିବାକୁ ଅନୁମତି ଥିଲା। ଏହି ନୂଆ କଟକଣା ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ସମଗ୍ର ଦେଶରେ ଲାଗୁ ହେବ। କେବଳ ମହଜୁଦ ସୀମା ହ୍ରାସ କରାଯାଇନାହିଁ, ବରଂ କୌଣସି ବ୍ୟବସାୟୀ ଗୋଟିଏ ଷ୍ଟକ୍କୁ ୩୦ ଦିନରୁ ଅଧିକ ସମୟ ଧରି ନିଜ ପାଖରେ ଗଚ୍ଛିତ କରି ରଖିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ବଜାରରେ ଚିନିର ନିରନ୍ତର ଯୋଗାଣ ବଜାୟ ରଖିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ।
ଆଗକୁ ଦଶହରା ଓ ଦୀପାବଳି ଭଳି ବଡ଼ ପାର୍ବଣ ଋତୁ ଆସୁଥିବାରୁ ବଜାରରେ ମିଠା ଏବଂ ଚିନିର ଚାହିଦା ବହୁତ ବୃଦ୍ଧି ପାଇବ। ଏହାର ଅନୁଚିତ ଫାଇଦା ଉଠାଇ କିଛି ଲାଭଖୋର ବ୍ୟବସାୟୀ ଚିନି ଲୁଚାଇ ରଖି କୃତ୍ରିମ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଏହି କଟକଣା ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି ।
ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ବଜାରରେ ଚିନି ଦର ଅହେତୁକ ଭାବେ ବଢ଼ୁଥିବାରୁ ଲୋକଙ୍କ ଉପରେ ଆର୍ଥିକ ବୋଝ ପଡ଼ୁଛି। କେନ୍ଦ୍ର ସରକାରଙ୍କ ଏହି ନୂଆ ଷ୍ଟକ୍ ଲିମିଟ୍ ଲାଗୁ ହେବା ପରେ ଗୋଦାମରେ ପଡ଼ିରହିଥିବା ଚିନି ବଜାରକୁ ଆସିବ ଏବଂ ଖୁଚୁରା ବଜାରରେ ଏହି ଦର ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି ।

