ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ଚେନ୍ନାଇ ସୁପର କିଙ୍ଗସର ଖେଳାଳି ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ଇମ୍ପାକ୍ଟ ପ୍ଲେୟାର ଭାବରେ ଖେଳିବାକୁ ଚାହୁଁନାହାଁନ୍ତି । ଯଦି ସେ ଆଗାମୀ ସିଜନରେ ଖେଳନ୍ତି, ତେବେ ଜଣେ ଫୁଲଟାଇମ୍ ୱିକେଟକିପର ଭାବେ ସମ୍ପୂର୍ଣ୍ଣ ୨୦ ଓଭର ପଡ଼ିଆରେ ରହିବାକୁ ପସନ୍ଦ କରିବେ । ତାଙ୍କର ପୂର୍ବତନ ସାଥୀ ଖେଳାଳି ସୁବ୍ରମଣ୍ୟମ ବଦ୍ରିନାଥ ଏକ ୟୁଟ୍ୟୁବ୍ ଭିଡିଓରେ ଏହି ବଡ଼ ସୂଚନା ଦେଇଛନ୍ତି । ବଦ୍ରିନାଥଙ୍କ କହିବା ଅନୁଯାୟୀ, ଧୋନି ନିଜେ ତାଙ୍କୁ ଏହି କଥା ଜଣାଇଛନ୍ତି । ତେବେ ବଦ୍ରିନାଥ ଓ ଦଳର ପୂର୍ବତନ କୋଚ୍ ଷ୍ଟିଫେନ୍ ଫ୍ଲେମିଂଙ୍କ ମତରେ, ଧୋନିଙ୍କ ବୟସ ଓ ଫିଟନେସକୁ ଦୃଷ୍ଟିରେ ରଖି ସେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିଲେ ଚେନ୍ନାଇ ଫାଇଦାରେ ରହିବ । କାରଣ ସେ ମ୍ୟାଚର ୧୬ଶ ଓଭର ପରେ ହିଁ ବ୍ୟାଟିଂ କରିବାକୁ ଆସୁଛନ୍ତି ।
ଧୋନି ୨୦୨୬ ସିଜନରେ ଦଳର ଅଂଶ ଥିଲେ ମଧ୍ୟ ଗୋଟିଏ ହେଲେ ମ୍ୟାଚ୍ ଖେଳିନଥିଲେ । ୨୦୨୭ ସିଜନରେ ସେ ପଡ଼ିଆକୁ ଓହ୍ଲାଇବେ କି ନାହିଁ, ସେ ନେଇ ଧୋନିଙ୍କ ପକ୍ଷରୁ କୌଣସି ବୟାନ ଆସି ନାହିଁ । ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଚାମ୍ପିୟନ ହୋଇଛି । ଇତିହାସରେ ୧୦୦ରୁ ଅଧିକ (ମୋଟ ୧୩୬) ମ୍ୟାଚ୍ ଜିତିଥିବା ସେ ଏକମାତ୍ର ଅଧିନାୟକ । ସେ ସର୍ବାଧିକ ୨୩୫ଟି ମ୍ୟାଚରେ କ୍ୟାପଟେନସି କରିଛନ୍ତି । ୨୭୮ଟି ମ୍ୟାଚରେ ୩୮.୩୦ ହାରରେ ୫,୪୩୯ ରନ୍ (୨୪ଟି ଅର୍ଦ୍ଧଶତକ) ସଂଗ୍ରହ କରିଛନ୍ତି । ୱିକେଟକିପର ଭାବେ ୧୫୪ଟି କ୍ୟାଚ୍ ଓ ୪୭ଟି ଷ୍ଟମ୍ପିଂ କରିଛନ୍ତି ।

