Latest Odisha News

BREAKING NEWS

Corruption case:ଟଙ୍କା ହେରଫେର ମାମଲାରେ ପୂର୍ବତନ ଜିଲ୍ଲାପାଳ ଦୋଷୀ; କାରାଦଣ୍ଡ ସହ ପେନସନ୍ ବନ୍ଦ

ଭୁବନେଶ୍ବର:୯ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ IAS ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବର୍ଷେ ଜେଲ୍,ପେନସନ୍ ବନ୍ଦ ପାଇଁ ପଦକ୍ଷେପ ନେବ ଭିଜିଲାନ୍ସ ବିଭାଗ । ପ୍ରାୟ ୯ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ମାମଲାରେ ପୂର୍ବତନ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଅଭିଯୋଗ ହୋଇଥିବା ଅନିୟମିତତାର ପ୍ରାୟ ଅଢ଼େଇ ଦଶନ୍ଧି ପରେ ଏହି ମାମଲାରେ ରାୟ ପ୍ରକାଶ ପାଇଛି ।

ଦୋଷୀ ସାବ୍ୟସ୍ତ ହୋଇଥିବା ୩ ଜଣ ହେଲେ ଅବସରପ୍ରାପ୍ତ IAS ଅଧିକାରୀ ତଥା ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, DRDAର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ଦାସ ଏବଂ ତତ୍କାଳୀନ ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ । ଢେଙ୍କାନାଳର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ଏକ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଓଡ଼ିଶା ଭିଜିଲାନ୍ସର ସୂଚନା ଅନୁସାରେ, ୨୦୦୧-୦୨ ମସିହାରେ ନିତ୍ୟାନନ୍ଦ ମହାନ୍ତି ଢେଙ୍କାନାଳ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ସେହି ସମୟରେ FCI ଗୋଦାମରୁ ବିଭିନ୍ନ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟକୁ ଚାଉଳ ଓ ଗହମ ପରିବହନ ପାଇଁ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରକୁ ଅନୁମୋଦନ କରାଯାଇଥିବା ଭିଜିଲାନ୍ସ ଅଭିଯୋଗ କରିଥିଲା ।

ସେହିପରି ପୂର୍ବତନ DRDA ପ୍ରକଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ଦାସ ଦେଇଥିବା ଅଧିକ ପରିବହନ ଦରକୁ ତତ୍କାଳୀନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି ଅନୁମୋଦନ କରିଥିଲେ । ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ନିର୍ଦ୍ଧାରିତ ଦରକୁ ଅନୁସରଣ ନକରି ଠିକାଦାର ସତ୍ୟାନନ୍ଦ ବଳସାମନ୍ତଙ୍କ ହାତଲେଖା କୋଟେସନ୍ ଗ୍ରହଣ କରାଯାଇ ଅଧିକ ଦରରେ ଅର୍ଥ ପ୍ରଦାନ କରାଯାଇଥିବା ଭିଜିଲାନ୍ସ ଦର୍ଶାଇଥିଲା ।ସରକାରୀ ନିୟମ ଉଲ୍ଲଂଘନ କରି ଅଧିକ ଦରରେ ଅର୍ଥ ପ୍ରଦାନ ଯୋଗୁ ସରକାରୀ ରାଜକୋଷକୁ ପ୍ରାୟ ୯ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା ।ଏହି ମାମଲାରେ ତିନି ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ୍, 1988ର ଧାରା ୧୩(୨) ସହ ୧୩(୧)(ଡି) ଏବଂ IPCର ଧାରା ୪୬୮, ୪୭୧, ୪୨୦ ଓ ୧୨୦-ବି ଅନୁଯାୟୀ ଚାର୍ଜସିଟ୍ ଦାଖଲ କରାଯାଇଥିଲା ।

 

 

Leave A Reply

Your email address will not be published.