Latest Odisha News

BREAKING NEWS

MMDR ଆଇନ ସଂଶୋଧନରେ ରାଜ୍ୟର ଲାଭ କ୍ଷତି ଉପରେ ଓଡିଶା ନାଗରିକ ସମାଜର ବୈଠକ; ସରକାରଙ୍କୁ ଏକ ସବିଶେଷ ରିପୋର୍ଟ…

ଭୁବନେଶ୍ୱର:ଓଡିଶା ନାଗରିକ ସମାଜ ତରଫରୁ “ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧିତ ଆଇନ(MMDR Act) ୨୦୨୬ ସମ୍ପର୍କରେ ଏକ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଛି । ଏହି ସଂଶୋଧନ ଆଇନରେ ଓଡିଶାର ଲାଭ କେତେ ଓ କ୍ଷତି କେତେ ? ଏହି ସମ୍ବନ୍ଧ ଉପରେ ଆଜି ଗୀତଗୋବିନ୍ଦ ସଦନ ସମ୍ମିଳନୀ କକ୍ଷରେ ଓଡିଶା ନାଗରିକ ସମାଜର ପ୍ରତିଷ୍ଠାତା ସଭାପତି ଡ଼ଃ ଭଗବାନ ପ୍ରକାଶଙ୍କ ପୌରାହିତ୍ୟରେ ସଦସ୍ୟ ସଚିବ ମନୋଜ ଜେନାଙ୍କ ଆବାହକତ୍ବରେ ଏବଂ ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀଙ୍କ ସଂଯୋଜନାରେ ଆୟୋଜିତ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରଙ୍କ ସମେତ ରାଜ୍ୟର ସମସ୍ତ ରାଜନୈତିକ ଦଳ, ଗଣ ସଂଗଠନ, ସାମାଜିକ ସଂଗଠନ,ବୁଦ୍ଧିଜୀବୀ, ବିଶେଷଜ୍ଞ ଯୋଗ ଦେଇ ବିଚାର ଆଲୋଚନା କରି ଆଗାମୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ ।

କେନ୍ଦ୍ର ସରକାରଙ୍କ ଏମ ଏମ ଡି ଆର ଆକ୍ଟ ବା ଖଣି ଓ ଖଣିଜ ସମ୍ପଦ ବିକାଶ ସଂଶୋଧନ ଅଧିନିୟମ ୨୦୨୬କୁ ନେଇ ବେଶ ପ୍ରତିକ୍ରିୟା, ବିବାଦ, ଆରୋପ ପ୍ରତ୍ୟାରୋପ ସହିତ ଓଡିଶାବାସୀଙ୍କ ମନରେ ଗଭୀର ଭାବାବେଗ ପରିପ୍ରକାଶ ହୋଇଛି । ଯେହେତୁ ବର୍ତମାନ ରାଜ୍ୟ ବିକାଶ କ୍ଷେତ୍ରରେ ପ୍ରମୁଖ ରାଜସ୍ବ ଖଣି କ୍ଷେତ୍ରରୁ ହିଁ ଆସିଥାଏ । ତେଣୁ ରାଜସ୍ବ ଆଦାୟ କମିଗଲେ, ବିକାଶ ଓ ଗରିବ କଲ୍ୟାଣ ଯୋଜନାର ସମ୍ପାଦନ କ୍ଷେତ୍ରରେ ଗଭୀର ପ୍ରଭାବ ପଡିବ । ବୈଠକରେ ଯୋଗ ଦେଇ ସବୁ ବିରୋଧୀ ଦଳ ଏହାକୁ ଓଡିଶାର ଖଣିଜ ସମ୍ପଦ ଲୁଟର ଷଡଯନ୍ତ୍ର କହୁଥିବା ବେଳେ ଶାସକ ଏହା ଓଡିଶାର ବିକାଶ ପାଇଁ ନୂଆ ଦିଗଦର୍ଶନ ବୋଲି ସଫେଇ ଦେଇଛି ।

ଆଲୋଚନାରେ ଅନେକ ବୁଦ୍ଧିଜୀବୀ ଏହି ଆଇନରେ ଆମ ରାଜ୍ୟ ଅନେକ କ୍ଷତି ସହିବ, ଖଣି ଉପରେ ଆମର କୌଣସି ହକ ରହିବନି ଏବଂ ଖଣି ଅଂଚଳର ଜଙ୍ଗଲ, ଆଦିବାସୀ ଓ ବିଶେଷ କରି ରାଜ୍ୟ ପ୍ରଶାସନର କିଛି କ୍ଷମତା ଓ ଅଧିକାର ରହିବନି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି । କେନ୍ଦ୍ର ଓ କର୍ପୋରେଟ ଲାଭବାନ ହେବ ଓ ଆମେ ଗଭୀର ପରିବେଷ ପ୍ରଭାବ ସହ ସାମଗ୍ରିକ କ୍ଷତିରେ ପଡିବା ବୋଲି ଆକଳନ ପରିବେଷବିତ ଓ ସାମାଜିକ ସଂଗଠନ ଓ କର୍ମୀ ମତ ଦେଇଛନ୍ତି ।

ସେପଟେ କେନ୍ଦ୍ର ସରକାର କ୍ରିଟିକାଲ ମିନେରାଲ ସହ ସମସ୍ତ ଖଣିଜ ସମ୍ପଦକୁ ବିଶ୍ୱ ବଜାରରେ ସଠିକ ମୂଲ୍ୟାୟନ ସହ ଖଣି ଓ ଖଣି ପର୍ଯ୍ୟବେଷିତ ଶିଳ୍ପାୟନ ସହ ରୋଜଗାର ଓ ଅର୍ଥନୈତିକ ପ୍ରଗତିରେ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ମଧ୍ୟ ଶାସକ ଦଳର ନେତା କହିଛନ୍ତି ।

ଖଣି ଓ ଖଣିଜଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ( MMDR act )ସଂଶୋଧିତ ଆଇନ ୨0୨୬ : ଓଡିଶାର ଲାଭ କେତେ କ୍ଷତି କେତେ ? ଉପରେ ମତ ବ୍ୟକ୍ତ କରିଥୁବା ସମସ୍ତ ବିଶେଷଜ୍ଞଙ୍କ ରାଜନୈତିକ ଦଳର ନେତା , ଗଣ ସଂଗଠନ, ସାମାଜିକ ସଂଗଠନ, ବିଶେଷଜ୍ଞ, ବୁଦ୍ଧିଜୀବୀ, ସାମ୍ବାଦିକ, ପରିବେଷବିତ ମାନଙ୍କ ତଥ୍ୟ ଭିତ୍ତିକ ଯୁକ୍ତି,ବୈଜ୍ଞାନିକ ମତ ଏବଂ ଏହାର ପ୍ରଭାବର ଆକଳନର ଏକ ସବିଶେଷ ରିପୋର୍ଟ ଓଡିଶା ନାଗରିକ ସମାଜ ତରଫରୁ ପ୍ରସ୍ତୁତି କରି ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.