Latest Odisha News

BREAKING NEWS

ଆର୍ଥିକ ଅନଟନ ଆଉ ହେବନି ବାଧକ: ନବମରୁ ଆରମ୍ଭ କରି ବିଦେଶରେ ପାଠ ପଢ଼ିବା ପାଇଁ ଏସବିଆଇ ଦେଉଛି ସ୍କଲାରସିପ୍

ନୂଆଦିଲ୍ଲୀ: ଆର୍ଥିକ ଅନଟନ କାରଣରୁ ଯେପରି କୌଣସି ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ନବନ୍ଧା ହୁଏ, ସେଥିପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଏସବିଆଇ ଫାଉଣ୍ଡେସନ୍ ପକ୍ଷରୁ ବର୍ତ୍ତମାନ ‘ଏସବିଆଇ ପ୍ଲାଟିନମ୍ ଜୁବଲି ଆଶା ସ୍କଲାରସିପ୍ ୨୦୨୬-୨୭’ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏହି ଯୋଜନା ମାଧ୍ୟମରେ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ନବମ ଶ୍ରେଣୀରୁ ଆରମ୍ଭ କରି ବିଦେଶରେ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ବ୍ୟାପକ ଆର୍ଥିକ ସହାୟତା ପାଇପାରିବେ ।

ଗତ ଜୁଲାଇ ୨୨ ତାରିଖରୁ ଏହି ବୃତ୍ତି ପାଇଁ ଆବେଦନ ଆରମ୍ଭ ହୋଇସାରିଥିବା ବେଳେ, ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏବେ ଏହାର ଶେଷ ତାରିଖକୁ ସେପ୍ଟେମ୍ବର ୧୯, ୨୦୨୬ ଯାଏଁ ବୃଦ୍ଧି କରାଯାଇଛି । ଶିକ୍ଷାଗତ ବର୍ଗ ଅନୁଯାୟୀ ଏହି ବୃତ୍ତିର ପରିମାଣ ବାର୍ଷିକ ୧୫,୦୦୦ ଟଙ୍କାରୁ ଆରମ୍ଭ କରି ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାମାନଙ୍କୁ ୧୫,୦୦୦ ଟଙ୍କାର ସହାୟତା ମିଳିବ, ଯେଉଁଥିପାଇଁ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍ ହେବା ଆବଶ୍ୟକ ।

ସେହିପରି ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ (NIRF ର‍୍ୟାଙ୍କିଙ୍ଗ୍ ଟପ୍ ୩୦୦ କିମ୍ବା NAAC ‘A’ ଗ୍ରେଡ୍) ରେ ସ୍ନାତକ କରୁଥିବା ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୭୫ ହଜାର ଟଙ୍କା ଏବଂ ସ୍ନାତକୋତ୍ତର କରୁଥିବା ପିଲାଙ୍କୁ ୧.୫ ଲକ୍ଷ ଟଙ୍କାର ବୃତ୍ତି ମିଳିବ । ଏହାବ୍ୟତୀତ ଦେଶର ପ୍ରମୁଖ ଆଇଆଇଟି ତଥା ଟପ୍ ୫୦ ମେଡିକାଲ କଲେଜରେ ଏମବିବିଏସ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆଇଆଇଏମ୍ ଛାତ୍ରଛାତ୍ରୀଙ୍କ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ସର୍ବାଧିକ ୧୫ ଲକ୍ଷ ଟଙ୍କାର ବୃତ୍ତି ବିଦେଶର ଟପ୍ ୨୦୦ QS ର‍୍ୟାଙ୍କିଙ୍ଗ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ, ଯେଉଁଥିପାଇଁ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ପାଖରେ GRE କିମ୍ବା GMAT ଭଳି ବୈଧ ସ୍କୋରକାର୍ଡ ରହିବା ଜରୁରୀ ।

ସ୍କୁଲ ସ୍ତରକୁ ଛାଡ଼ିଦେଲେ, ଅନ୍ୟ ସମସ୍ତ ଉଚ୍ଚଶିକ୍ଷା ବର୍ଗ ପାଇଁ ପରିବାରର ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଆବଶ୍ୟକ । ଏହାସହ ଗତ ଶିକ୍ଷାବର୍ଷରେ ପିଲାମାନେ ଅତିକମରେ ୭୫% ମାର୍କ ବା ୭.୫ CGPA ରଖିଥିବା ବାଧ୍ୟତାମୂଳକ। ତେବେ ଏହି ନିୟମରେ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ୬୫% ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୬୦% କୋହଳ ବ୍ୟବସ୍ଥା ରଖାଯାଇଛି ।

ଆଗ୍ରହୀ ଏବଂ ଯୋଗ୍ୟ ଛାତ୍ରଛାତ୍ରୀମାନେ ଏସବିଆଇର ଅଫିସିଆଲ୍ ପୋର୍ଟାଲ୍ (sbiashascholarship.co.in) କୁ ଯାଇ ନିଜର ମାର୍କସିଟ୍, ଆଧାର କାର୍ଡ, ଆୟ ପ୍ରମାଣପତ୍ର ଏବଂ ବ୍ୟାଙ୍କ ପାସବୁକ୍ ଆଦି ଜରୁରୀ କାଗଜପତ୍ର ଅପଲୋଡ୍ କରି ସମ୍ପୂର୍ଣ୍ଣ ମାଗଣାରେ ଆବେଦନ କରିପାରିବେ । ଆବେଦନ ପତ୍ର ଯାଞ୍ଚ କରାଯିବା ପରେ ସର୍ଟଲିଷ୍ଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କର ଟେଲିଫୋନିକ୍ ଇଣ୍ଟରଭ୍ୟୁ ମାଧ୍ୟମରେ ଚୂଡ଼ାନ୍ତ ଚୟନ କରାଯିବ ।

Leave A Reply

Your email address will not be published.