ଥ୍ରିସୁର: କେରଳର ଥ୍ରିସୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏନ୍ଏଚ୍ରେ ପାର୍କିଂ ହୋଇଥିବା ଟ୍ରକ୍କୁ ପିଟିଲା କାର୍। ଏହି ଦୁର୍ଘଟଣାରେ ପଡ଼ୋଶୀ ତାମିଲନାଡୁର ୮ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ପୋଲିସ ଶନିବାର କହିଛି। ଥ୍ରିସୁର ନିକଟବର୍ତ୍ତୀ କାଇପାମଙ୍ଗଲମର ପାନାମ୍ବିକକୁନୁରେ ଶୁକ୍ରବାର ରାତି ପ୍ରାୟ ୧୧.୪୦ ସମୟରେ ଏହି ଦୁର୍ଘଟଣା ଘଟିଛି।
ପୋଲିସ କହିବା ଅନୁଯାୟୀ, ଯୁବକମାନଙ୍କୁ ନେଇ ଯାଉଥିବା କାରଟି ରାଜପଥରେ ପାର୍କିଂ ହୋଇଥିବା ଏକ ଗାଡ଼ି ସହିତ ଧକ୍କା ହୋଇଥିଲା। କାରରେ ଥିବା ସମସ୍ତ ଆଠ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା।
ସ୍ଥାନୀୟ ଲୋକମାନେ, ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳ ଏବଂ ପୋଲିସ ଉଦ୍ଧାର କାର୍ଯ୍ୟ କରି ପୀଡିତମାନଙ୍କୁ କାରରୁ ବାହାର କରିଥିଲେ। ଦୁର୍ଘଟଣାରେ ଜଡିତ ଗାଡିଟି ତାମିଲନାଡୁର ପଞ୍ଜିକରଣ ଥିଲା। ପୋଲିସ କହିଛି ଯେ ମୃତକମାନେ ତାମିଲନାଡୁର ଛାତ୍ର ବୋଲି ସନ୍ଦେହ କରାଯାଉଛି। ଦୁର୍ଘଟଣା ଘଟିବା ସମୟରେ କାରଟି ଗୁରୁଭାୟୁର ପାର୍ଶ୍ୱରୁ କୋଡୁଙ୍ଗାଲ୍ଲୁର ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି।

