ସେନ୍ଜେନ୍ (ଚୀନ୍): ଭାରତର ତାରକା ବ୍ୟାଡମିଣ୍ଟନ୍ ଯୋଡ଼ି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ ଚାଇନା ମାଷ୍ଟର୍ସ ସୁପର ୭୫୦ ଟୁର୍ନାମେଣ୍ଟରେ ଇତିହାସ ରଚିଛନ୍ତି । ଚୀନ୍ର ସେନ୍ଜେନ୍ଠାରେ ଖେଳାଯାଇଥିବା ପୁରୁଷ ଡବଲ୍ସ ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ଘରୋଇ ଚୀନ୍ ଯୋଡ଼ି ହେ ଜି ଟିଙ୍ଗ୍ ଏବଂ ରେନ୍ ସିଆଙ୍ଗ୍ ୟୁଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ଚାଇନା ମାଷ୍ଟର୍ସ ଟାଇଟଲ୍ ହାସଲ କରିଛନ୍ତି । ଫାଇନାଲ୍ ମ୍ୟାଚ୍ର ପ୍ରଥମ ସେଟ୍ ୧୧-୨୧ରେ ହାରିବା ପରେ ଭାରତୀୟ ଯୋଡ଼ି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ । ପରବର୍ତ୍ତୀ ଦୁଇଟି ସେଟ୍କୁ ୨୧-୧୩, ୨୧-୧୭ ଗୋଲ୍ରେ ଜିତି ମ୍ୟାଚ୍କୁ ନିଜ ନାମରେ କରିଥିଲେ ।
ଏହି ବିଜୟ ସହ ସାତ୍ତ୍ୱିକ ଏବଂ ଚିରାଗ ଚାଇନା ମାଷ୍ଟର୍ସ ସୁପର ୭୫୦ ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ପାଲଟିଛନ୍ତି । ପୂର୍ବରୁ ସାତ୍ତ୍ୱିକ-ଚିରାଗ ଦୁଇଥର (୨୦୨୩ ଏବଂ ୨୦୨୫) ଏହି ଟୁର୍ନାମେଣ୍ଟର ଫାଇନାଲ୍ରେ ପହଞ୍ଚି ରନର୍ସ-ଅପ୍ରେ ସନ୍ତୁଷ୍ଟ ହୋଇଥିଲେ, କିନ୍ତୁ ଏଥର ସେମାନେ ନିଜର ସ୍ୱପ୍ନ ପୂରଣ କରିବାରେ ସଫଳ ହୋଇଛନ୍ତି । ଆଗାମୀ ଆସିଆନ୍ ଗେମ୍ସ ପୂର୍ବରୁ ଏହି ବିଜୟ ଭାରତୀୟ ଯୋଡ଼ିଙ୍କ ଆତ୍ମବିଶ୍ୱାସକୁ ବହୁଗୁଣିତ କରିଛି । ଏହି ଐତିହାସିକ ବିଜୟ ସହ ସାତ୍ତ୍ୱିକସାଇରାଜ ଏବଂ ଚିରାଗ ନିଜ କ୍ୟାରିୟରର ୧୦ମ ୱାର୍ଲ୍ଡ ଟୁର୍ ଟାଇଟଲ୍ ହାସଲ କରିଛନ୍ତି ।

